About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday 13 June, 2007

ଗୀତାର ଭୂମିକା .........

----ଦ୍ଵିତୀୟ ଅଧ୍ୟାୟ ----
ସଞ୍ଜୟ କହିଲେ, - ମଧୁସୂଦନ ଅର୍ଜୁନଙ୍କର କୃପାବିଷ୍ଟ ଅଶ୍ରୁପୂର୍ଣ୍ଣ ଚକ୍ଷୁଦ୍ଵୟ ଓ ବିଷର୍ଣ୍ଣଭାବ ଦେଖି ତାଙ୍କୁ ଏହି ପ୍ର୍ୟୁତ୍ତର ଦେଲେ । ଶ୍ରୀଭଗବାନ୍ କହିଲେ, " ହେ ଅର୍ଜୁନ! ଏହି ସଙ୍କଟ ସମୟରେ ଏହି ଅନାର୍ଯ୍ୟବେସିତ ସ୍ଵର୍ଗପଥରୋଧକ ଅକୀର୍ତ୍ତିକର ମନର ମଳିନତା କେଉଁଠୁ ଆସିଲା ? ହେ ପୃଥତନୟ ! ହେ ଶତୃଦମନ ସମର୍ଥ ! କ୍ଳୀବତ୍ଵ ଆଶ୍ରୟ କର ନା, ଏହା ତୁମ ପକ୍ଷରେ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହି କ୍ଷୁଦ୍ରମାନସ ଦୁର୍ବଳତାକୁ ପରିତ୍ୟାଗ କର, ଉଠ । " ଶ୍ରୀକୃଷ୍ଣଙ୍କ ଉତ୍ତର - ଶ୍ରୀକୃଷ୍ଣ ଦେଖିଲେ ଯେ ଅର୍ଜୁନ କରୁଣାବିଷ୍ଟ ହୋଇପଡିଛନ୍ତି, ବିଷାଦ ତାଙ୍କୁ ଗ୍ରାସ କରିଛି । ଏହି ତାମସିକ ଭାବ ଦୂରକରିବା ନିମନ୍ତେ ଅନ୍ତ୍ରର୍ଯ୍ୟାମି ନିଜର ପ୍ରିୟ ସଖାକୁ କ୍ଷତ୍ରିୟୋଚିତ ତିରସ୍କାର କଲେ, ଯାହା ଫଳରେ ରାଜସିକଭାବ ଜାଗ୍ରତ ହୋଇ ତମଃକୁ ଦୂର କରିବ । ସେ କହିଲେ ଦେଖ, ଏହା ତୁମ ସପକ୍ଷର ସଙ୍କଟ କାଳ, ବର୍ତ୍ତମାନ ତୁମେ ଯଦି ଅସ୍ତ୍ର ପରିତ୍ୟାଗ କର, ସେମାନଙ୍କର ସମ୍ପୂର୍ଣ୍ଣ ବିପଦ ଓ ବିନାଶର ସମ୍ଭାବନା ଅଛି । ରଣକ୍ଷେତ୍ରରେ ସ୍ଵପକ୍ଷ ତ୍ୟାଗ ତୁମପରି କ୍ଷତ୍ରିୟବୀରର ମନରେ ଉଠିବାର କଥା ନୁହେଁ, କେଉଁଠାରୁ ତୁମର ହଠାତ୍ ଏ ଦୁର୍ମତି ଆସିଲା ? ତୁମର ଏହି ଭାବ ହେଲା ଦୁର୍ବଳତାପୂର୍ଣ୍ଣ, ପାପପୂର୍ଣ୍ଣ । ଅନାର୍ଯ୍ୟଗଣ ଏହି ଭାବର ପ୍ରସଂଶା କରନ୍ତି, ତାହାର ବଶ ହୁଅନ୍ତି, କିନ୍ତୁ ଏହା ଆର୍ଯ୍ୟମାନଙ୍କ ପକ୍ଷରେ ଅନୁଚିତ । ସେଥିରେ ପରଲୋକର ସ୍ଵର୍ଗପ୍ରାପ୍ତିରେ ବିଘ୍ନ ହୁଏ ଏବଂ ଈହଲୋକରେ ଯଶଃ ଓ କୀର୍ତ୍ତି ଲୁପ୍ତ ହୁଏ । ତା' ପରେ ଶ୍ରୀକୃଷ୍ଣ ଆହୁରି ମର୍ମଭେଦୀ ତିରସ୍କାର କଲେ । ଏହିଭାବ କ୍ଳୀବୋଚିତ, ତୁମେ ବୀରଶ୍ରେଷ୍ଠ, ତୁମେ ଜେତା, ତୁମେ କୁନ୍ତୀର ପୁତ୍ର, ତୁମେ ଏପରି କଥା କହୁଛ ? ପ୍ରାଣର ଏହି ଦୁର୍ବଳତା ପରିତ୍ୟାଗ କର, ଉଠ । କର୍ତ୍ତବ୍ୟପାଳନରେ ଉଦ୍ଯୋଗୀ ହୁଅ ।
କୃପା ଓ ଦୟା :- କୃପା ଓ ଦୟା ଦୁଇଟି ସ୍ଵତନ୍ତ୍ର ଭାବ , ଏପରିକି କୃପା ଦୟାର ବିରୋଧୀଭାବ ବି ହୋଇପାରେ । ଆମ୍ଭେମାନେ ଦୟାବଶର ଜଗତର କଲ୍ୟାଣ କରୁ, ମନୁଷ୍ୟର ଦୁଃଖ, ଜାତିର ଦୁଃଖ ଓ ପରର ଦୁଃଖ ମୋଚନ କରୁ । ଯଦି ନିଜର ଦୁଖ ବା ବ୍ୟକ୍ତିବିଶେଷର ଦୁଃଖ ସହ୍ୟକରି ନ ପାରି, ସେହି କଲ୍ୟାଣସାଧନରୁ ନିବୃତ ହେଉ, ତାହାହେଲେ ସେ ଆମର ଦୟା ହେଲା ନାହିଁ, କୃପାର ଆବେଶ ହେଲା । ସମସ୍ତ ମାନବଜାତିର ବା ସମଗ୍ର ଦେଶର ଦୁଃଖ ମୋଚନ କରିବାକୁ ମୁଁ ଉଠିଲି, ଏହି ଭାବ ହେଲା ଦୟା । ରକ୍ତପାତ ଭୟରେ, ପ୍ରାଣୀହିଂସା ଭୟରେ, ସେହି ପୂଣ୍ୟ କାର୍ଯ୍ୟରୁ ବିରତ ହେଲି, ଜଗତ୍ ଓ ଜାତିର ଦୁଃଖକୁ ଚିରସ୍ଥାୟୀ ହେବାକୁ ଦେଲି, ଏହି ଭାବକୁ କୃପା କୁହାଯାଏ । ଲୋକଙ୍କ ଦୁଃଖରେ ଦୁଃଖୀ ହୋଇ, ସେହି ଦୁଃଖମୋଚନ ନିମିତ୍ତ ଯେଉଁ ପ୍ରବଳ ପ୍ରବୃତ୍ତି ହୁଏ, ତାହାକୁ ଦୟା କୁହାଯାଏ । କିନ୍ତୁ ଅପରଙ୍କ ଦୁଃଖ ଚିନ୍ତା କରି ବା ଦୁଃଖ ଦେଖି କାତର ହେବା, ଏହା ଦୟା ନୁହେଁ, କୃପା । କାତରତାକୁ ଦୟା କୁହାଯାଏ ନାହିଁ , କୃପା କୁହାଯାଏ । ଦୟା ବଳବାନର ଧର୍ମ । ବୁଦ୍ଧଦେବ ଦୟାର ଆବେଶରେ ସ୍ତ୍ରୀ, ପୁତ୍ର, ପିତା, ମାତା, ବନ୍ଧୁବାନ୍ଧବଙ୍କୁ ଦୁଃଖୀ ଓ ହୃତସର୍ବସ୍ଵ କରି ଜଗତର ଦୁଃଖ ମୋଚନ କରିବାକୁ ବାହାରିଥିଲେ । ତୀବ୍ର ଦୟାର ଆବେଶରେ ଉନ୍ନତ୍ତା କାଳୀ ଜନ୍ମଜୟ ଅସୁର ସଂହାର କରି ପୃଥିବୀକୁ ରକ୍ତରେ ଭସାଇ ଦେଇ ସକଳଙ୍କ ଦୁଃଖ ମୋଚନ କରିଥିଲେ । ଆଉ ଅର୍ଜୁନ କୃପାର ଆବେଶରେ ଶସ୍ତ୍ର ପରିତ୍ୟାଗ କରିଥିଲେ । ଏହିଭାବ ଅନାର୍ଯ୍ୟପ୍ରଶଂସିତ , ଅନାର୍ଯ୍ୟ ଆଚରିତ । ଆର୍ଯ୍ୟଙ୍କ ଶିକ୍ଷା ଉଦାର, ବୀରୋଚିତ, ଦେବତାଙ୍କ ଶିକ୍ଷା । ଅନାର୍ଯ୍ୟମାନେ ମୋହରେ ପଡି ଅନୁଦାର ଭାବକୁ ଧର୍ମ ବୁଝି ଉଦାର ଧର୍ମକୁ ପରିତ୍ୟାଗ କରନ୍ତି । ଅନାର୍ଯ୍ୟମାନେ ରାଜସିକ ଭାବରେ ଭାବାନ୍ଵିତ ହୋଇ ନିଜର, ନିଜ ପ୍ରିୟଜନର, ନିଜ ପରିବାରର ବା କୁଳର ହିତ ଦେଖନ୍ତି, ବିରାଟ କଲ୍ୟାଣ ଦେଖନ୍ତି ନାହିଁ, କୃପାବଶରେ ଧର୍ମବିମୁଖ ହୋଇ ନିଜକୁ ପୂଣ୍ୟବାନ ବୋଲି ଗର୍ବ କରନ୍ତି, କଠୋରବ୍ରତୀ ଆର୍ଯ୍ୟକୁ ନିଷ୍ଠୁର ଓ ଅଧାର୍ମିକ କହନ୍ତି । ଅନାର୍ଯ୍ୟ ତାମସିକ ମୋହରେ ମୁଗ୍ଧ ହୋଇ ଅପ୍ରବୃତ୍ତିକୁ ନିବୃତ୍ତି କହନ୍ତି, ସକାମ ପୂଣ୍ୟକର୍ମକୁ ଉଚ୍ଚାସନ ପ୍ରଦାନ କରନ୍ତି । ଦୟା ଆର୍ଯ୍ୟ ଭାବ । କୃପା ଅନାର୍ଯ୍ୟ ଭାବ । ପୁରୁଷ ଦୟାର ବଶରେ, ବୀର ଭାବରେ ଅନ୍ୟର ଅମଙ୍ଗଳ ଓ ଦୁଃଖକୁ ବିନାଶ କରିବା ନିମିତ୍ତ ଅମଙ୍ଗଳର ସହିତ ଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତି । ନାରୀ ଦୟାବଶରେ ଅନ୍ୟର ଦୁଃଖ ଲାଘବ ନିମିତ୍ତ ଶୁଶ୍ରୁଷାରେ ଯତ୍ନ ଓ ପରହିତ ଚେଷ୍ଟା ରେ ସମସ୍ତ ପ୍ରାଣ ଓ ଶକ୍ତି ଢାଳି ଦିଅନ୍ତି । ଯେ କୃପାବଶରେ ଅସ୍ତ୍ର ପରିତ୍ୟାଗ କରେ, ଧର୍ମ ପାଖରୁ ମୁଖ ଫେରାଇ ନିଏ, କାନ୍ଦି କାନ୍ଦି ଭାବେ ଯେ ମୋର କର୍ତ୍ତବ୍ୟ ମୁଁ କରୁଛି, ମୁଁ ପୁଣ୍ୟବାନ୍ - ସେ କ୍ଳୀବ । ଏହି ଭାବ କ୍ଷୁଦ୍ର, ଏହି ଭାବ ଦୁର୍ବଳତା । ବିଷାଦ କେବେ ବି ଧର୍ମ ହୋଇପାରେ ନାହିଁ । ଯେଉଁ ବ୍ୟକ୍ତି ବିଷାଦକୁ ଆଶ୍ରୟ ଦିଏ , ସେ ପାପକୁ ଆଶ୍ରୟ ଦିଏ । ଏହି ଚିତ୍ତମଳିନତା, ଏହି ଅଶୁଦ୍ଧ ଓ ଦୁର୍ବଳ ଭାବ ପରିତ୍ୟାଗ କରି ଯୁଦ୍ଧରେ ଉଦ୍ଯୋଗୀ ହୋଇ କର୍ତ୍ତବ୍ୟ ପାଳନ ଦ୍ଵାରା ଜଗତ-ରକ୍ଷା, ଧର୍ମ-ରକ୍ଷା, ପୃଥିବୀର ଭାର ଲାଘବ କରିବାହିଁ ଶ୍ରେୟଃ । ଏହାହିଁ ହେଲା ଶ୍ରୀକୃଷ୍ଣଙ୍କ ଉକ୍ତିର ମର୍ମ ।
ଅର୍ଜୁନ କହିଲେ, "ହେ ମଧୁସୂଦନ, ହେ ଶତୃନାଶକାରୀ, ମୁଁ କି ରୂପେ ଭୀଷ୍ମ ଓ ଦ୍ରୋଣଙ୍କୁ ଯୁଦ୍ଧରେ ପ୍ରତିରୋଧ କରି ସେହି ପୂଜନୀୟ ଗୁରୁଜନଙ୍କ ବିରୁଦ୍ଧରେ ଅସ୍ତନିକ୍ଷେପ କରିବି ? ଏହି ମହାନୁଭବ ଗୁରୁଜନଙ୍କୁ ବଧ ନ କରି ଜଗତର ଭିକ୍ଷାନ୍ନ ଭୋଜନ କରିବା ଶ୍ରେୟଃ । ଗୁରୁଜନଙ୍କୁ ଯଦି ବଧ କରେ ତେବେ ଧର୍ମ ଓ ମୋକ୍ଷ ହରାଇ କେବଳ ଅର୍ଥ ଓ କାମ ଭୋଗ କରିବି, ସେ ବି ରୁଧିରାକ୍ତ ବିଷୟଭୋଗ ଏବଂ କେବଳ ଇହଲୋକରେହିଁ ଭୋଗ୍ୟ, ପୁଣି ଏହି ଭୋଗ କେବଳ ବଞ୍ଚିଥିବା ପର୍ଯ୍ୟନ୍ତ ରହିବ । ସେହି କାରଣରୁ ଆମ୍ଭମାନଙ୍କର ଜୟ ବା ପରାଜୟ, କେଉଁଟି ଅଧିକ ପ୍ରାର୍ଥନୀୟ, ତାହା ଆମ୍ଭେମାନେ ବୁଝିପାରୁ ନାହୁଁ । ଯେଉଁମାନଙ୍କୁ ବଧ କଲେ ଆମ୍ଭମାନଙ୍କ ବଞ୍ଚିରହିବାପାଇଁ କୌଣସି ଇଚ୍ଛା ରହିବ ନାହିଁ, ସେହିମାନେହିଁ ଶତୃ ସୈନ୍ୟର ସମ୍ମୁଖରେ ଉପସ୍ଥିତ, ସେମାନେ ଧୃତରାଷ୍ଟ ପୁତ୍ରଗଣଙ୍କର ସେନାନାୟକ । ଦୀନତା ଦୋଷରେ ମୋର କ୍ଷତ୍ରିୟସ୍ଵଭାବ ଅଭିଭୂତ ହୋଇଛି, ଧର୍ମାଧର୍ମ ସମ୍ବନ୍ଧରେ ମୋର ବୁଦ୍ଧି ବିମୁଢ, ସେଥିପାଇଁ ତୁମକୁ ପ୍ରଶ୍ନ କରୁଛି, ଯାହା ଶ୍ରେୟଃ ତାହା ମୋତେ ନିଶ୍ଚିତଭାବରେ କୁହ । ମୁଁ ତୁମ୍ଭର ଶିଷ୍ୟ, ତୁମ୍ଭର ଶରଣାପନ୍ନ ହୋଇଛି, ମୋତେ ଶିକ୍ଷା ଦିଅ । କାରଣ, ପୃଥିବୀରେ ଅସପତ୍ନ ରାଜ୍ୟ ଏବଂ ଦେବଗଣଙ୍କ ଉପରେ ଆଧିପତ୍ୟ ଲାଭ କଲେ ସୁଦ୍ଧା ଏହି ଶୋକ ମୋର ସକଳ ଇନ୍ଦ୍ରିୟର ତେଜ ଶୋଷଣ କରିନେବ, ଏହି ଶୋକ ଦୂର କରିବାର କୌଣସି ଉପାୟ ମୁଁ ଦେଖୁ ନାହିଁ । "
ଅର୍ଜୁନଙ୍କ ଶିକ୍ଷା ପ୍ରାର୍ଥନା :- ଶ୍ରୀକୃଷ୍ଣଙ୍କ ଉକ୍ତିର ଉଦ୍ଦେଶ୍ୟ ଅର୍ଜୁନ ବୁଝିପାରିଲେ, ସେ ରାଜନୈତିକ ଆପତ୍ତି ଉତ୍ଥାପନ କରିବାରୁ ବିରତ ହେଲେ , କିନ୍ତୁ ଆହୁରି ଯେଉଁ ଆପତ୍ତି ଥିଲା, ତାହାର କୌଣସି ଉତ୍ତର ନ ପାଇ ଶ୍ରୀକୃଷ୍ଣଙ୍କ ଚରଣରେ ଶିକ୍ଷାର୍ଥେ ଶରଣାଗତ ହେଲେ । ସେ କହିଲେ, ମୁଁ ସ୍ଵୀକାର କରୁଛି ମୁଁ କ୍ଷତ୍ରିୟ, କୃପାର ବଶବର୍ତ୍ତୀ ହୋଇ ମହତ୍ତ କାର୍ଯ୍ୟରୁ ବିରତ ହେବା ମୋ ପକ୍ଷରେ କ୍ଳୀବତ୍ଵସୂଚକ, ଅକୀର୍ତ୍ତିଜନକ, ଧର୍ମବିରୁଦ୍ଧ । କିନ୍ତୁ, ମନ, ପ୍ରାଣ ବି ମାନୁନାହିଁ, ମନ କହେ, ଗୁରୁଜନଙ୍କ ହତ୍ୟା ମହାପାପ, ନିଜର ସୁଖ ନିମିତ୍ତ ଗୁରୁଜନଙ୍କୁ ହତ୍ୟା କଲେ ଅଧର୍ମରେ ପତିତ ହୋଇ ଧର୍ମ, ମୋକ୍ଶ, ପରଲୋକ, ଯାହାକିଛି ବାଞ୍ଚନୀୟ, ସକଳହିଁ ଯିବ । କାମନା ତୃପ୍ତ ହେବ, ଅର୍ଥସ୍ପୃହା ତୃପ୍ତ ହେବ, କିନ୍ତୁ ସେ କେତେଦିନ ! ଅଧର୍ମଲବ୍ଧ ଭୋଗ ମରଣ ପର୍ଯ୍ୟନ୍ତ ରହେ, ତାହାପରେ ଅନିର୍ବଚନୀୟ ଦୁର୍ଗତି ହୁଏ । ଆଉ ଯେତେବେଳେ ଭୋଗ କରିବୁ , ସେତେବେଳେ ସେହି ଭୋଗ ମଧ୍ୟରେ ଗୁରୁଜନଙ୍କ ରକ୍ତର ଆସ୍ଵାଦ ପାଇଁ କେଉଁ ସୁଖ ବା ଶାନ୍ତି ପାଇବୁ ? ପ୍ରାଣ କହେ ଏମାନେ ମୋର ପ୍ରିୟଜନ, ଏମାନଙ୍କୁ ହତ୍ୟା କଲେ ମୁଁ ଆଉ ଏ ଜନ୍ମରେ ସୁଖ ଭୋଗ କରିପାରିବି ନାହିଁ, ବଞ୍ଚିବାକୁ ବି ଚାହେଁ ନାହିଁ । ଯଦି ତୁମେ ମୋତେ ସମସ୍ତ ପୃଥିବୀର ସାମ୍ରାଜ୍ୟଭୋଗ ଦିଅ ବା ସ୍ଵର୍ଗଜୟ କରି ଇନ୍ଦ୍ରଙ୍କ ଐଶ୍ଵର୍ଯ୍ୟ ଭୋଗ ଦିଅ, ତଥାପି ମୁଁ ଶୁଣିବି ନାହିଁ । ଯେଉଁ ଶୋକ ମୋତେ ଅଭିଭୂତ କରିବ, ତାହା ଦ୍ଵାରା ସମସ୍ତ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ଅଭିଭୂତ ଓ ଅବସନ୍ନ ହୋଇ ସ୍ଵ ସ୍ଵ କାର୍ଯ୍ୟରେ ଶିଥିଳ ଓ ଅସମର୍ଥ ହେବେ, ସେହି ଅବସ୍ଥାରେ ତୁମେ କ'ଣ ଭୋଗ କରିପାରିବ ? ମୋ ଚିତ୍ତର ବିଷମ ଦୀନତା ଉପସ୍ଥିତ, ମହାନ୍ କ୍ଷତ୍ରିୟ ସ୍ଵଭାବ ସେହି ଦୀନତାରେ ବୁଡିଯାଇଛି । ମୁଁ ତୁମର ଶରଣାପନ୍ନ ହେଲି । ମୋତେ ଜ୍ଞାନ, ଶକ୍ତି, ଶ୍ରଦ୍ଧା ଦିଅ; ଶ୍ରେୟଃପଥ ଦେଖାଅ ଓ ମୋତେ ରକ୍ଷା କର ।" ଭଗବାନଙ୍କ ପାଖରେ ସପମ୍ପୂର୍ଣ୍ଣରୂପେ ଶରଣାପନ୍ନ ହେବା ଗୀତୋକ୍ତ ଯୋଗର ପନ୍ଥା । ଏହାକୁ ଆତ୍ମ ସମର୍ପଣ ବା ଆତ୍ମ-ନିବେଦନ କୁହାଯାଏ । ଯେ ଭଗବାନଙ୍କୁ ଗୁରୁ, ପ୍ରଭୁ, ସଖା, ପଥ-ପ୍ରଦର୍ଶକ ଜାଣି ଅପର ସକଳ ଧର୍ମକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ, ପାପ-ପୂଣ୍ୟ, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ଧର୍ମ-ଅଧର୍ମ, ସତ୍ୟ-ଅସତ୍ୟ, ମଙ୍ଗଳ-ଅମଙ୍ଗଳ ବିଚାର ନ କରି ନିଜର ଜ୍ଞାନ, କର୍ମ ଓ ସାଧନାର ସମସ୍ତ ଭାର ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତି, ସେହି ହେଲେ ଗୀତୋକ୍ତ ଯୋଗର ଅଧିକାରୀ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ତୁମେ ଯଦି ଗୁରୁହତ୍ୟା କରିବାକୁ ବି କୁହ, ଏହାକୁ ଧର୍ମ ଓ କର୍ତ୍ତବ୍ୟକର୍ମ ବୋଲି ବୁଝାଇ ଦିଅ, ମୁଁ ଏହାହିଁ କରିବି । ଏହି ଗଭୀର ଶ୍ରଦ୍ଧା ବଳରେ ଅର୍ଜୁନ ତତ୍କାଳୀନ ସକଳ ମହାପୁରୁଷଙ୍କୁ ଅତିକ୍ରମ କରି ଗୀତୋକ୍ତ ଶିକ୍ଷାର ଶ୍ରେଷ୍ଠପାତ୍ର ବୋଲି ଗୃହୀତ ହୋଇଥିଲେ । ଉତ୍ତରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦୁଇଟି ଆପତ୍ତି ଖଣ୍ଡନ କରି ତତ୍ପରେ ଗୁରୁଙ୍କ ଆସନ ଗ୍ରହଣ କରି ଅସଲ ଜ୍ଞାନ ଦେବାକୁ ଆରମ୍ଭ କଲେ । 38 ଶ୍ଳୋକ ପର୍ଯ୍ୟନ୍ତ ଆପତ୍ତି ଖଣ୍ଡନ, ତା'ପରେ ଗୀତୋକ୍ତ ଶିକ୍ଷାର ଆରମ୍ଭ । କିନ୍ତୁ ଏହି ଆପତ୍ତିଖଣ୍ଡନ ମଧ୍ୟରେ କେତୋଟି ଅମୂଲ୍ୟ ଶିକ୍ଷା ନିହିତ ଅଛି, ଯାହା ନ ବୁଝିଲେ ଗୀତାର ଶିକ୍ଷା ହୃଦୟଙ୍ଗମ ହୁଏ ନାହିଁ । ଏହି କେତୋଟି କଥା ବିସ୍ତାରିତ ଭାବରେ ଆଲୋଚନା କରିବା ଆବଶ୍ୟକ ।
ପରନ୍ତପ ଗୁଡାକେଶ (ଅର୍ଜୁନ) ହୃଷୀକେଶଙ୍କୁ ଏହି କଥା କହି ପୁନଶ୍ଚ ତାଙ୍କୁ ନିବେଦନ କଲେ, "ମୁଁ ଯୁଦ୍ଧ କରିବି ନାହିଁ " ଏବଂ ତା'ପରେ ନୀରବ ରହିଲେ । ଶ୍ରୀକୃଷ୍ଣ ଈଷତ୍ ହସି ଦେଇ ଦୁଇ ସେନାର ମଧ୍ୟସ୍ଥଳରେ ବିଷର୍ଣ୍ଣ ଅର୍ଜୁନଙ୍କୁ ଏହି ଉତ୍ତର ଦେଲେ । " ଯେଉଁମାନଙ୍କ ନିମିତ୍ତ ଶୋକ କରିବାର କିଛି କାରଣ ନାହିଁ, ତାଙ୍କ ନିମିତ୍ତ ତୁମେ ଶୋକ କରୁଛ, ଅଥଚ ଜ୍ଞାନୀମାନଙ୍କ ପରି ତତ୍ତ୍ଵକଥା ନେଇ ବାଦବିବାଦ କରିବାକୁ ଚେଷ୍ଟା କରୁଛ, କିନ୍ତୁ ଯେଉଁମାନେ ଯଥାର୍ଥ ତତ୍ତ୍ଵଜ୍ଞାନୀ, ସେମାନେ ମୃତ ବା ଜୀବିତ କାହାରି ସକାଶେ ଶୋକ କରନ୍ତି ନାହିଁ । ଏହା ବି ନୁହେଁ ଯେ ମୁଁ ପୂର୍ବେ ନ ଥିଲି ବା ତୁମେ ନ ଥିଲ କିଂବା ଏ ନୃପତିବୃନ୍ଦ ନ ଥିଲେ, ଏହା ବି ନୁହେଁ ଯେ ଆମ୍ଭେମାନେ ସକଳେ ଦେହତ୍ୟାଗ ପରେ ଆଉ ରହିବୁ ନାହିଁ । ଯେପରି ଏହି ପ୍ରାଣବନ୍ତ ଦେହରେ ବାଲ୍ୟ, ଯୌବନ ଓ ବାର୍ଦ୍ଧକ୍ୟ; କାଳର ଗତିରେ ଆସେ, ସେହିପରି ଦେହାନ୍ତର ପ୍ରାତ୍ପି ବି କାଳର ଗତିରେ ଆସେ, ସେଥିରେ ସ୍ଥିରବୁଦ୍ଧି ଜ୍ଞାନୀ ବିମୁଢ ହୁଅନ୍ତି ନାହିଁ । ମରନ କିଛି ବି ନୁହେଁ, ଯେଉଁ ବିଷୟରସ୍ପର୍ଶରେ ଶୀତ, ଉଷ୍ଣ, ସୁଖ, ଦୁଃଖ ଇତ୍ୟାଦି ଅନୁଭୂତି ସୃଷ୍ଟି ହୁଏ, ସେହି ସ୍ପର୍ଶ ସକଳ ଅନିତ୍ୟ, ଆସେ ଓ ଯାଏ, ସେହି ସକଳକୁ ଅବିଚଳିତ ଭାବେ ଗ୍ରହଣ କରିବାକୁ ଅଭ୍ୟାସ କର । ଯେ ସ୍ଥିରବୁଦ୍ଧି ପୁରୁଷ, ସେ ଏହି ସ୍ପର୍ଶ ସକଳ ଭୋଗକରି ବ୍ୟଥିତ ହୁଅନ୍ତି ନାହିଁ ଏବଂ ତଜ୍ଜନିତ ସୁଖଦୁଃଖ ସମଭାବରେ ଗ୍ରହଣ କରନ୍ତି ଏବଂ ସେହି ପୁରୁଷ ମୃତ୍ୟୁକୁ ଜୟ କରିବାକୁ ସକ୍ଷମ ହୁଅନ୍ତି । ଯାହା ଅସତ୍ ତାହାର ଅସ୍ତିତ୍ଵ ନାହିଁ , ଯାହା ସତ୍ ତାହାର ବିନାଶ ନାହିଁ, ତଥାପି ସତ୍ ଓ ଅସତ୍ ଉଭୟର ବି ଅନ୍ତ ହୁଏ, ଏହା ତତ୍ତ୍ଵଦର୍ଶୀଗଣ ଦର୍ଶନ କରିଛନ୍ତି । କିନ୍ତୁ ଏହି ଯେଉଁ ଆତ୍ମା ଦୃଶ୍ୟମାନ ଜଗତକୁ ନିଜର ମଧ୍ୟରେ ବିସ୍ତାର କରିଛନ୍ତି, ସେହି ଆତ୍ମାର କ୍ଷୟ ହୁଏ ନାହିଁ, କେହି ବି ତା'ର ଧ୍ଵଂସ କରିପାରେ ନାହିଁ । ନିତ୍ୟ ଦେହାଶ୍ରିତ ଆତ୍ମାର ଏହି ସକଳ ଦେହର ଅନ୍ତ ଅଛି, ଆତ୍ମାର ନାହିଁ, ତାହା ଅସୀମ ଓ ଅବିନଶୀ ଅତଏବ ହେ ଭାରତ, ଯୁଦ୍ଧ କର । ଯେ ଆତ୍ମାକୁ ହନ୍ତା କହନ୍ତି ଏବଂ ଯେ ଦେହନାଶରେ ଆତ୍ମା ନିହତ ବୋଲି ବୁଝନ୍ତି, ଏହି ଦୁଇଜଣହିଁ ଭ୍ରାନ୍ତ ଓ ଅଜ୍ଞ ; ଆତ୍ମା ହତ୍ୟା କରେ ନାହିଁ, ହତ ବି ହୁଏ ନାହିଁ । ଏହି ଆତ୍ମାର ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଏହା କେବେ ବି ଉଦ୍ଭବ ହୋଇନାହିଁ ଏବଂ କେବେ ବି ଲୁପ୍ତ ହେବ ନାହିଁ । ଏହା ଜନ୍ମ ରହିତ, ନିତ୍ୟ, ସନାତନ, ପୁରାତନ; ଦେହନାଶରେ ମଧ୍ୟ ହତ ହୁଏ ନାହିଁ । ଯେ ଏହାକୁ ନିତ୍ୟ, ଅବିନାଶୀ ଓ ଅକ୍ଷୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି କାହାକୁ ହତ୍ୟା କରନ୍ତି ବା କରାନ୍ତି ? ଯେପରି ମନୁଷ୍ୟ ଜୀର୍ଣ୍ଣ ବସ୍ତ୍ର ପକାଇଦେଲେ, ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ ସେହିପରି ଜୀବ ଜୀର୍ଣ୍ଣ ପକାଇଦେଲେ ନବୀନ ଦେହକୁ ଆଶ୍ରୟ କରନ୍ତି । ଶସ୍ତ୍ର ଏହାକୁ ଛେଦନ କରିପାରେ ନାହିଁ, ଅଗ୍ନି ଦହନ କରିପାରେ ନାହିଁ, ଜଳ ଓଦା କରିପାରେ ନାହିଁ, ବାୟୁ ଶୁଖାଇ ପାରେ ନାହିଁ । ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ, ଅଶୋଷ୍ୟ, ନିତ୍ୟ,ସର୍ବଗତ, ସ୍ଥିର, ଅଚଳ, ସନାତନ । ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ, ଅବିକାରୀ କୁହାଯାଏ, ତୁମେ ଆତ୍ମାକୁ ଏହିପରି ଜାଣି ଶୋକ ପରିତ୍ୟାଗ କର । ଆଉ ତୁମେ ଯଦି ମନେ କର ଯେ ଜୀବ ବାରଂବାର ଜନ୍ମ ଗ୍ରହଣ କରେ ଓ ମରେ ତଥାପି ତାହା ନିମିତ୍ତ ଶୋକ କରିବା ଉଚିତ ନୁହେଁ । ଯାହାର ଜନ୍ମ ହୁଏ, ମରଣ ନିଶ୍ଚିତ - ଯାହାର ମରଣ ହୁଏ, ତାହାର ପୁନର୍ଜନ୍ମ ନିଶ୍ଚିତ - ଅତଏବ ଯେବେ ମୃତ୍ୟୁ ଅପରିହାର୍ଯ୍ୟ ପରିଣାମ, ତେବେ ତାହା ନିମିତ୍ତ ଶୋକ କରିବା ଅନୁଚିତ । ପ୍ରାଣୀ ମାତ୍ରେହିଁ ପ୍ରଥମେ ଅବ୍ୟକ୍ତ ଥାଏ, ମଝି ରେ ବ୍ୟକ୍ତ ହୁଏ, ମରଣାନ୍ତେ ପୁନଃ ଅବ୍ୟକ୍ତ ହୁଏ, ଏଥିରେ ଶୋକ କରିବାର କୌଣସି କାରଣ ନାହିଁ । ଆତ୍ମାକୁ କେହି ଆଶ୍ଚର୍ଯ୍ୟ କିଛି ବୋଲି ଦେଖନ୍ତି, କେହି ଆଶ୍ଚର୍ଯ୍ୟ କିଛି ବୋଲି ତା'ର କଥା କହନ୍ତି, କେହି ଆଶ୍ଚର୍ଯ୍ୟ କିଛି ବୋଲି ତା'ର କଥା ଶୁଣନ୍ତି, କିନ୍ତୁ ଶୁଣି କରି ବି କେହି ତାକୁ ଜାଣି ପାରନ୍ତି ନାହିଁ । ଏହି ଆତ୍ମା ସର୍ବଦା ସକଳଙ୍କ ଦେହ ମଧ୍ୟରେ ଅବଧ୍ୟ, ଅତଏବ ଏହି ସକଳ ପ୍ରାଣୀଙ୍କ ନିମିତ୍ତ କେବେ ବି ଶୋକ କରିବା ଉଚିତ ନୁହେଁ ।

No comments: