About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday, 13 June 2007

ଗୀତାର ଭୂମିକା......


ପୂର୍ବ ସୂଚନା :- ଭୀଷ୍ମଙ୍କ ଗଗନଭେଦୀ ଶଙ୍ଖନାଦରେ ରଣକ୍ଷେତ୍ର ଯେମିତି କମ୍ପିତ ହେଲା ସେମିତି ବିଶାଳ କୌରବ ସେନାର ଚାରିଦିଗରୁ ରଣବାଦ୍ୟ ବାଜି ଉଠିଲା ଏବଂ ରଥୀଗଣ ରଣୋଲ୍ଲାସରେ ମାତିବାକୁ ଲାଗିଲେ । ଅନ୍ୟ ଦିଗରେ ଶ୍ରେଷ୍ଠ-ପାଣ୍ଡବ-ବୀର ଓ ତାଙ୍କର ଦିବ୍ୟ ସାରଥି ଶ୍ରୀକୃଷ୍ଣ ଭୀଷ୍ମଙ୍କ ଆହ୍ଵାନର ଉତ୍ତରସ୍ଵରୂପ ଶଙ୍ଖନାଦ କଲେ ଏବଂ ଯୁଧିଷ୍ଠିର ପ୍ରଭୃତି ପାଣ୍ଡବପକ୍ଷୀୟ ବୀରଗଣ ନିଜ ନିଜର ଶଙ୍ଖ ବଜାଇ ସେନାଙ୍କ ହୃଦୟରେ ରଣଚଣ୍ଡୀଙ୍କୁ ଜାଗ୍ରତ୍ କଲେ । ସେହି ମହାନ୍ ଶବ୍ଦ ପୃଥିବୀ ଓ ନଭୋମଣ୍ଡଳକୁ ଧ୍ଵନିତ କରି ଯେପରି ଧାର୍ତ୍ତରାଷ୍ଟ୍ରଗଣଙ୍କ ହ୍ରୁଦୟକୁ ବିଦୀର୍ଣ୍ଣ କଲା । ଏହାର ଅର୍ଥ ଏପରି ନୁହେଁ ଯେ ଭୀଷ୍ମ ପ୍ରଭୃତି ଏହି ଶବ୍ଦରେ ଭୀତ ହୋଇଥିଲେ; ସେମାନେ ବୀର ପୁରୁଷ, ରଣଚଣ୍ଡୀର ଆହ୍ଵାନରେ ଭୀତ ହେବେ କାହିଁକି ? ଏହି ଉକ୍ତିରେ କବି ପ୍ରଥମ ଅତ୍ୟୁତ୍କଟ ଶବ୍ଦରେ ଶାରୀରିକ ବେଗବାନ୍ ସଞ୍ଚାର ବର୍ଣ୍ଣନା କରିଛନ୍ତି; ଯେପରି ଶ୍ରୋତାଙ୍କୁ ବହୁବାର ବୋଧହୁଏ ବଜ୍ରନାଦ ତା'ର ମସ୍ତକକୁ ଦ୍ଵିଖଣ୍ଡିତ କରିଯାଉଛି, ସେହିପରି ଏହି ରଣକ୍ଷେତ୍ରବ୍ୟାପୀ ମହାଶବ୍ଦର ସଞ୍ଚାର ହେଲା । ପୁଣି ଏହି ଶବ୍ଦ ଧାର୍ତ୍ତରାଷ୍ଟ୍ରଙ୍କର ଯେପରି ଭାବୀ ନିଧନର ଘୋଷଣା ! ଯେଉଁ ହୃଦୟକୁ ପାଣ୍ଡବଙ୍କ ଶସ୍ତ୍ର ବିଦୀର୍ଣ୍ଣ କରିବ, ପୂର୍ବରୁ ଯେପରି ଶଙ୍ଖନାଦ ସେହି ହୃଦୟକୁ ବିଦୀର୍ଣ୍ଣ କରିଗଲା । ଯୁଦ୍ଧା ଆରମ୍ଭ ହେଲା, ଦୁଇଦିଗରୁ ଶସ୍ତ୍ର ନିକ୍ଷିପ୍ତ ହେବାକୁ ଲାଗିଲା, ଏହି ସମୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, " ତୁମେ ମୋର ରଥକୁ ଦୁଇ ସୈନ୍ୟର ମଧ୍ୟ ଭାଗରେ ସ୍ଥାପନ କର, କିଏ କିଏ ବିପକ୍ଷ, କେଉଁମାନେ ଯୁଦ୍ଧରେ ଦୁର୍ବିଦ୍ଧି ଦୁର୍ଯ୍ୟୋଧନର ପ୍ରିୟ କର୍ମ କରିବାକୁ ସମାଗତ ହୋଇଛନ୍ତି, କେଉଁମାନଙ୍କ ସଙ୍ଗେ ମୋତେ ଯୁଦ୍ଧା କରିବାକୁ ହେବ, ତାହା ମୁଁ ଦେଖିବାକୁ ଚାହେଁ, ।" ଅର୍ଜୁନ ଭାବିଲେ, "ମୁହିଁ ପାଣ୍ଡବମାନଙ୍କ ଆଶାର ସ୍ଥଳ, ମୋ ଦ୍ଵାରାହିଁ ବିପକ୍ଷର ପ୍ରଧାନ ପ୍ରଧାନ ଯୋଦ୍ଧା ହନ୍ତବ୍ୟ, ଅତଏବ ଦେଖେ ସେମାନେ କିଏ ।" ଏପର୍ଯ୍ୟନ୍ତ ଅର୍ଜୁନଙ୍କ ପୂର୍ଣ୍ଣ କ୍ଷାନ୍ତଭାବ ରହିଛି, ଅନୁକମ୍ପା କିଂବା ଦୌର୍ବଲ୍ୟର କୌଣସି ଚିହ୍ନ ନାହିଁ । ବିପକ୍ଷ ସେନାଙ୍କ ମଧ୍ୟରେ ଭାରତର ବହୁ ଶ୍ରେଷ୍ଠ ବୀରପୁରୁଷ ଉପଶସ୍ଥିତ, ସକଳଙ୍କୁ ସଂହାର କରି ଜ୍ୟୋଷ୍ଠଭ୍ରାତ ଯୁଧିଷ୍ଠିରଙ୍କୁ ଅସପତ୍ନ-ସାମ୍ରାଜ୍ୟ ଦେବା ନିମିତ୍ତ ଅର୍ଜୁନ ଉଦ୍ଯୋଗୀ । କିନ୍ତୁ ଶ୍ରୀକୃଷ୍ଣ ଜାଣନ୍ତି ଯେ ଅର୍ଜୁନଙ୍କ ମନରେ ଦୁର୍ବଳତା ଅଛି । ଆରମ୍ଭରୁହିଁ ଚିତ୍ତ ପରିଷ୍କାର ନ କଲେ, କୌଣସି ସମୟରେ ଅକସ୍ମାତ୍ ସେହି ଦୁର୍ବଳତା ଚିତ୍ତରୁ ଉଠିଆସି ବୁଦ୍ଧିକୁ ଅଧିକାର କଲେ ପାଣ୍ଡବଙ୍କର ବିଶେଷ ଅନିଷ୍ଟ ହେବ, ହୁଏତ ସର୍ବନାଶ ସଂଘଟିତ ହେବ । ସେହି ସକାଶେ ଶ୍ରୀକୃଷ୍ଣ ଏପରି ସ୍ଥାନରେ ରଥ ସ୍ଥାପନ କଲେ ଯେ ଅର୍ଜୁନ ଦ୍ରୋଣାଦି ପ୍ରିୟଜନଙ୍କୁ ଠିକ୍ ସମ୍ମୁଖରେ ଦେଖିପାରିଲେ ଏବଂ ଅନ୍ୟ କୌରବ ନୃପତିଗଣଙ୍କୁ କେବଳ ଦୂରରୁ ଦେଖିପାରିଲେ ଏବଂ କହିଲେ, " ସମବେତ ଏହି କୁରୁଜାତିଙ୍କୁ ଦେଖ" । ମନେ ରଖିବାକୁ ହେବ ଅର୍ଜୁନ ସ୍ଵୟଂ କୁରୁଜାତାତୀୟ, କୁରୁବଂଶର ଗୌରବ । ତାଙ୍କର ସକଳ ଆତ୍ମୀୟ, ପ୍ରିୟଜନ, ବାଲ୍ୟ-ସହଚର, ସବୁହିମ୍ କୁରୁଜାତୀୟ । ତାହାହେଲେ ଶ୍ରୀକୃଷ୍ଣଙ୍କ ମୁଖରେ ଏହି ତିନୋଟି ସାମାନ୍ୟ କଥାର ଗଭୀର ଅର୍ଥ ଓ ଭାବ ହ୍ରୁଦୟଙ୍ଗମ କରିହେବ । ସେତେବେଳେ ଅର୍ଜୁନ ଦେଖିଲେ ଯେ ଯେଉଁମାନଙ୍କୁ ସଂହାର କରି ଯୁଧିଷ୍ଠିରଙ୍କ ଏକଚ୍ଛତ୍ର ସାମ୍ରାଜ୍ୟ ସ୍ଥାପନ କରିବାକୁ ହେବ, ସେମାନେ ଆଉ କେହି ନୁହନ୍ତି, ନିଜର ପ୍ରିୟ, ଆତ୍ମୀୟ, ଗୁରୁ, ବନ୍ଧୁ, ଭକି ଓ ସ୍ନେହର ପାତ୍ର । ସେ ଦେଖିଲେ ସମଗ୍ର ଭାରତର କ୍ଷତ୍ରିୟବଂଶ ପରସ୍ପରଙ୍କ ସହିତ ପ୍ରିୟ ସମ୍ବନ୍ଧ ଦ୍ଵାରା ଆବଦ୍ଧ, ଅଥଚ ପରସ୍ପରକୁ ସଂହାର କରିବାକୁ ଏହି ଭୀଷଣ ରଣକ୍ଷେତ୍ରରେ ସମାଗତ ।
ବିଷାଦର ମୂଳ କାରଣ : - ଅର୍ଜୁନଙ୍କର ନିର୍ବେଦର ମୂଳ କାରଣ କ'ଣ ? ବହୁ ଲୋକ ଏହି ବିଶାଦର ସ୍ତୁତିବାଦ କରି ଶ୍ରୀକୃଷ୍ଣଙ୍କୁ କୁମାର୍ଗପ୍ରଦର୍ଶକ ଓ ଅଧର୍ମର ଅନୁମୋଦକ ବୋଲି ନିନ୍ଦା କରନ୍ତି । ଖ୍ରୀଷ୍ଟଧର୍ମର ଶାନ୍ତିଭାବ, ବୌଦ୍ଧାଧର୍ମର ଅହିଂସାଭାବ ଓ ବୈଷ୍ଣବ ଧର୍ମର ପ୍ରେମଭାବହିଁ ଉଚ୍ଚ ଓ ଶ୍ରେଷ୍ଠ ଧର୍ମ ; ଯୁଦ୍ଧ ଓ ନରହତ୍ୟା ପାପ, ଭ୍ରାତୃହତ୍ୟା ଓ ଗୁରୁହତ୍ୟା ମହାପାତକ ; ଏହି ଧାରଣାର ବଶବର୍ତ୍ତୀ ହୋଇ ସେମାନେ ଅସଙ୍ଗତ କଥା କୁହନ୍ତି । କିନ୍ତୁ ଏହିସବୁ ଆଧୁନିକ ଧାରଣା ; ଦ୍ଵାପର ଯୁଗରେ ମହାବୀର ପାଣ୍ଡବଙ୍କ ମନରେ ଏହି ଭାବ ଉଠି ନ ଥିଲା । ଅହିଂସାଭାବ ଶ୍ରେଷ୍ଠ ବା ଯୁଦ୍ଧ , ନରହତ୍ୟା, ଭ୍ରାତୃ ହତ୍ୟା, ଗୁରୁହତ୍ୟା ମହାପାପ ବୋଲି ଯୁଦ୍ଧରୁ ବିରତ ହେବା ଉଚିତ, ଏପରି ଚିନ୍ତାର କୌଣସି ଚିହ୍ନ ପର୍ଯ୍ୟନ୍ତ ଅର୍ଜୁନଙ୍କ ବାକ୍ୟରେ ବ୍ୟକ୍ତ ହୋଇ ନ ଥିଲା । ଅବଶ୍ୟ ଏକଥା ସେ କହିଛନ୍ତି ଯେ ଗୁରୁଜନଙ୍କୁ ହତ୍ୟା କରିବା ଅପେକ୍ଷା ଭିକ୍ଷାବୃତ୍ତି ଅବଲମ୍ବନ କରିବା ଶ୍ରେୟସ୍କର ଏବଂ ବନ୍ଧୁବାନ୍ଧବଙ୍କୁ ହତ୍ୟା କଲେ ଆମ୍ଭମାନଙ୍କୁ ପାପ ଆଶ୍ରୟ କରିବ । କିନ୍ତୁ ଏକଥା କର୍ମର ସ୍ଵଭାବ ଦେଖି କହି ନ ଥିଲେ, କର୍ମର ଫଳ ଦେଖି କହିଥିଲେ ; ସେହି ସକାଶେ ଶ୍ରୀକୃଷ୍ଣ ତାଙ୍କ ବିଷାଦମୋଚନାର୍ଥେ ଏହି ଶିକ୍ଷା ଦେଇଛନ୍ତି ଯେ କର୍ମର ଫଳ ଦେଖିବାକୁ ହେବ ନାହିଁ, କର୍ମର ସ୍ଵଭାବ ଦେହି ସେହି କର୍ମ ଉଚିତ ବା ଅନୁଚିତ ସ୍ଥିର କରିବାକୁ ହେବ । ଅର୍ଜୁନଙ୍କ ପ୍ରଥମ ଭାବ ହେଲା ଏହି ଯେ ଏମାନେ ମୋର ଆତ୍ମୀୟ ,ଗୁରୁଜନ, ବନ୍ଧୁ, ବାଲ୍ୟ-ସହଚର, ସକଳେହିଁ ସ୍ନେହ, ଭକ୍ତି ଓ ପ୍ରମର ପାତ୍ର, ଏମାନଙ୍କୁ ହତ୍ୟା କରି ଅସପତ୍ନ ରାଜ୍ୟ ଲାଭ କଲେ ସେହି ରାଜ୍ୟଭୋଗ କଦାପି ସୁଖପ୍ରଦ ହୋଇପାରିବ ନାହିଁ ବରଂ ଯାବଜ୍ଜୀବନ ଦୁଃଖ ଓ ପଶ୍ଚାତ୍ତାପରେ ଦଗ୍ଧ ହେବାକୁ ହେବ, ବନ୍ଧୁ-ବାନ୍ଧବଶୂନ୍ୟ ରାଜ୍ୟ କଦାପି ବାଞ୍ଛନୀୟ ନୁହେଁ । ଅର୍ଜୁନଙ୍କର ଦ୍ଵିତୀୟ ଭାବ ଏହି ଯେ ପ୍ରିୟଜନଙ୍କୁ ହତ୍ୟା କରିବା ଧର୍ମବିରୁଦ୍ଧ, କିନ୍ତୁ ଯେଉଁମାନେ ଦ୍ଵେଷର ପାତ୍ର ସେମାନନ୍ଗ୍କୁ ଯୁଦ୍ଧରେ ହତ୍ୟା କରିବା ଧର୍ମସଂଗତ । ତୃତୀୟ ଭାବ ଏହି ଯେ ସ୍ଵାର୍ଥ ନିମିତ୍ତ ବି ଏହିପରି କର୍ମ କରିବା ଧର୍ମବିରୁଦ୍ଧ ଓ କ୍ଷତ୍ରିୟ ପକ୍ଷରେ ଅନୁଚିତ । ଚତୁର୍ଥ ଭାବ ଏହି ଯେ ଭ୍ରାତୃ ବିରୁଦ୍ଧରେ ଓ ଭ୍ରାତୃହତ୍ୟାରେ କୁଳନାଶ ଓ ଜାତିଧ୍ଵଂସ ଘଟିବ ; ଏହି ପ୍ରକାର କୁଫଳ ସୃଷ୍ଟି କରିବା କୁଳରକ୍ଷକ କ୍ଷତ୍ରିୟ ବୀରଙ୍କ ପକ୍ଷରେ ମହାପାପ । ଏହି ଚାରୋଟି ଭାବ ବ୍ୟତୀତ ଅର୍ଜୁନଙ୍କର ବିଷାଦର ମୂଳରେ ଅନ୍ୟ କୌଣସି ଭାବ ନାହିଁ । ଏକଥା ନ ବୁଝିଲେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ଓ ଶିକ୍ଷାର ଅର୍ଥ ବି ବୁଝାଯାଏ ନାହିଁ । ଖ୍ରୀଷ୍ଟଧର୍ମ, ବୌଦ୍ଧଧର୍ମ, ବୈଷ୍ଣବଧର୍ମ, ସହିତ ଗୀତାଧର୍ମର ବିରୋଧ ସାମଞ୍ଜସ୍ୟ କଥା ପରେ କୁହାଯିବ । ଅର୍ଜୁନଙ୍କ କଥାର ଭାବ ସୂକ୍ଷ୍ମ ବିଚାରରେ ନିରୀକ୍ଷଣ କଲେ ତାଙ୍କ ମନର ଭାବ ଆମେ ବୁଝିପାରୁ ।
ବୈଷ୍ଣବୀ ମାୟାର ଆକ୍ରମଣ :- ଅର୍ଜୁନ ପ୍ରଥମେ ତାଙ୍କର ବିଷାଦର କାରଣ ବର୍ଣ୍ଣନା କଲେ । ସ୍ନେହ ଓ କୃପାର ଅକସ୍ମାତ୍ ବିଦ୍ରୋହରେ ମହାବୀର ଅର୍ଜୁନ ଅଭିଭୂତ ଓ ପରାସ୍ତ, ତାଙ୍କ ଦେହର ସମସ୍ତ ବଳ ଏକ ମୁହୂର୍ତ୍ତରେ ଶୁଖିଯାଇଛି, ଅଙ୍ଗସକଳ ଅବସନ୍ନ, ଛିଡାହେବାର ଶକ୍ତି ନାହିଁ, ବଳବାନ୍ ହସ୍ତ ଗାଣ୍ଡୀବ ଧାରଣରେ ଅସମର୍ଥ, ଶୋକର ଉତ୍ତାପରେ ଜ୍ଵରର ଲକ୍ଷଣ ବ୍ୟକ୍ତ, ଶରୀର ଦୁର୍ବଳ ହୋଇଛି, ତ୍ଵକ୍ ଯେପରି ଅଗ୍ନିରେ ଦଗ୍ଧ ହୋଇଛି, ସମସ୍ତ ଶରୀର ତୀବ୍ର ଭାବରେ କମ୍ପମାନ, ମନ ଯେପରି ସେହି ଆକ୍ରମଣରେ ଘୂରୁଛି । ଏହିପରି ବର୍ଣ୍ଣନା ପ୍ରତି ପ୍ରଥମେ ଆମ୍ଭେମାନେ କବିର ତେଜସ୍ଵୀନି କଳ୍ପନାର ଅତିରିକ୍ତ ବିଳାସ ବୋଲି କେବଳ ସେହି କବିତ୍ଵ ସୌନ୍ଦର୍ଯ୍ୟ ଭୋଗ କରି କ୍ଷାନ୍ତ ହେଉ, କିନ୍ତୁ ଯଦି ସୂକ୍ଷ୍ମ ବିଚାର ଦ୍ଵାରା ନିରୀକ୍ଷଣ କରୁ ତେବେ ଏହି ବର୍ଣ୍ଣନାର ଗୋଟିଏ ଗୂଢ ଅର୍ଥ ବୁଝିପାରିବା । ଅର୍ଜୁନ ପୂର୍ବେ ବି କୁରୁବୀରଙ୍କ ସହିତ ଯୁଦ୍ଧ କରିଥିଲେ, ଅଥଚ ଏହିପରି ଭାବ କେବେ ବି ଆସି ନ ଥିଲା । ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ଅକସ୍ମାତ୍ ଅନ୍ତରରେ ଏହି ଉତ୍ପାତ ଘଟିଛି । ଅନେକ ମାନବିକ ପ୍ରବଳ ବୃତ୍ତି କ୍ଷତ୍ରିୟୋଚିତ ଶିକ୍ଷା ଓ ଉଚ୍ଚ ଆଦର୍ଶ ଦ୍ଵାରା ପରାଜିତ ଓ ଆବଦ୍ଧ ହୋଇ ଅର୍ଜୁନଙ୍କ ହୃଦୟତଳେ ଗୁପ୍ତଭାବେ ରହିଥିଲା । ନିଗ୍ରହ ଦ୍ଵାରା ଚିତ୍ତଶୁଦ୍ଧ ହୁଏ ନାହିଁ, ବିବେକ ଓ ବିଶୁଦ୍ଧ ସାହାଯ୍ୟରେ ସଂଯମ ଦ୍ଵାରା ଚିତ୍ତଶୁଦ୍ଧ ହୁଏ । ନିଗୃହୀତ ବୃତ୍ତି ଓ ଭାବସକଳ ହୁଏତ ଏହି ଜନ୍ମରେ, ନ ହେଲେ ପରଜନ୍ମରେ ଦିନେ ନା ଦିନେ ଚିତ୍ତରୁ ଉଠି ବୁଦ୍ଧିକୁ ଆକ୍ରମଣ କରେ ଏବଂ ଜୟ କରି ସମସ୍ତ କର୍ମକୁ ସ୍ଵବିକାଶର ଅନୁକୁଳ ପଥରେ ଚଳାଏ । ଏହି ହେତୁ, ଯେ ଏହି ଜନ୍ମରେ ଦୟାବାନ୍ ଅନ୍ୟ ଜନ୍ମରେ ସେ ନିର୍ଦୟ ହୁଏ, ସେହି ଜନ୍ମରେ ଯେ କାମୀ ଓ ଦୁଶ୍ଚରିତ୍ର, ଅନ୍ୟ ଜନ୍ମରେ ସେ ସାଧୁ ଓ ପବିତ୍ର ହୁଏ । ନିଗ୍ରହ ନ କରି ବୁଦ୍ଧି ଓ ବିବେକ ସାହାଯ୍ୟରେ ବୃତ୍ତିଗୁଡିକୁ ପ୍ରତ୍ୟାଖ୍ୟାନପୂର୍ବକ ଚିତ୍ତ ନିର୍ମଳ କରିବାକୁ ହୁଏ । ଏହାକୁହିଁ କୁହାଯାଏ ସଂଯମ । ଜ୍ଞାନ ପ୍ରଭାବରେ ତମୋଭାବ ଦୂର ନ ହେଲେ ସଂଯମ ଅସମ୍ଭବ । ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଅଜ୍ଞାନ ଦୂର କରି ସୁପ୍ତ ବିବେକକୁ ଜାଗ୍ରତ କରି ଚିତ୍ତୋଶୋଧନ କରିବାକୁ ଚାହିଁଲେ । କିନ୍ତୁ ପରିହାର୍ଯ୍ୟ ବୃତ୍ତିସକଳକୁ ଚିତ୍ତରୁ ଉଠାଇ ଆଣି ବୁଦ୍ଧି ସମ୍ମୁଖରେ ଉପସ୍ଥିତ ନ କଲେ ବୁଦ୍ଧି ପ୍ରତ୍ୟାଖ୍ୟାନ କରିବାର ଅବସର ପାଏ ନାହିଁ , ଉପରନ୍ତୁ ଅନ୍ତସ୍ଥ ଦୈତ୍ୟ ଓ ରାକ୍ଷସ ବିବେକ ଦ୍ଵାରା ଯୁଦ୍ଧରେ ନିହତ ହୁଅନ୍ତି ଏବଂ ସେତେବେଳେ ବିବେକ ବୁଦ୍ଧିକୁ ମୁକ୍ତ କରେ । ଯୋଗର ପ୍ରଥମ ଅବସ୍ଥାରେ ଯେତେ କୁପ୍ରବୃତ୍ତି ଚିତ୍ତରେ ବଦ୍ଧମୂଳ ହୋଇ ରହିଛି ତାହା ବୁଦ୍ଧିକୁ ପ୍ରବଳ ବେଗରେ ଆକ୍ରମଣ କରି ଅନଭ୍ୟସ୍ତ ସାଧକକୁ ଭୟ ଓ ଶୋକରେ ବିହ୍ଵଳ କରିପକାଏ । ଏହାକୁହିଁ ପାଶ୍ଚାତ୍ୟ ଦେଶରେ କହନ୍ତି 'ସଇତାନ' ର ପ୍ରଲୋଭନ, ଏହାହିଁ 'ମାର' ର ଆକ୍ରମଣ । କିନ୍ତୁ ସେହି ଭୟ ଓ ଶୋକ ଅଜ୍ଞାନସଞ୍ଜାତ, ସେହି ପ୍ରଲୋଭନ ସଇତାନଠାରୁ ଆସେ ନାହିଁ, ଆସେ ଭଗବାନଙ୍କଠାରୁ । ଅନ୍ତର୍ଯ୍ୟାମୀ ଜଗଦ୍ ଗୁରୁହିଁ ସାଧକକୁ ଆକ୍ରମଣ କରିବା ନିମିତ୍ତ ସେହି ବୃତ୍ତିଚୟକୁ ଆହ୍ଵାନ କରନ୍ତି, ଅମଙ୍ଗଳ ସକାଶେ ନୁହେଁ, ମଙ୍ଗଳ ସକାଶେ, ଚିତ୍ତଶୋଧନ ନିମିତ୍ତ । ଶ୍ରୀକୃଷ୍ଣ ଯେପରି ବାହ୍ୟ ଜଗତରେ ଶରୀରରେ ଅର୍ଜୁନଙ୍କର ସଖା ଓ ସାରଥି, ସେହିପରି ତାଙ୍କ ମଧ୍ୟରେ ଆଶରୀରୀ ଇଶ୍ଵର ଓ ଅନ୍ତର୍ଯ୍ୟାମୀ ପୁରୁଷୋତ୍ତମ । ସେଥିପାଇଁ ଶ୍ରୀକୃଷ୍ଣ ଏହି ଗୁପ୍ତବୃତ୍ତି ଓ ଭାବକୁ ପ୍ରବଳ ବେଗରେ ବୁଦ୍ଧି ଉପରେ ନିକ୍ଷେପ କଲେ । ସେହି ଭୀଷଣ ଆଘାତରେ ବୁଦ୍ଧି ଘୂର୍ଣ୍ଣାୟମାନ ହେଲା ଏବଂ ପ୍ରବଳ ମାନସିକ ବିକାରବଶରେ ସ୍ଥୂଳ ଶରୀରରେ ତତ୍ କ୍ଷଣାତ୍ କବି ବର୍ଣ୍ଣିତ ଲକ୍ଷଣରାଜି ବ୍ୟକ୍ତ ହେଲା । ପ୍ରବଳ ଅପ୍ରତ୍ୟାଶିତ ଶୋକ-ଦୁଃଖରେ ଏହିପରି ଶାରୀରିକ ବିକାର ହୁଏ, ତାହା ଆମ୍ଭେମାନେ ଜାଣୁ, ତାହା ମନୁଷ୍ୟର ସାଧାରଣ ଅଭିଜ୍ଞତାର ବହିର୍ଭୂତ ନୁହେଁ । ଭଗବାନଙ୍କର ବୈଷ୍ଣବୀ ମାୟା ଅର୍ଜୁନଙ୍କୁ ଏକ ମୁହୂର୍ତ୍ତରେ ଅଖଣ୍ଡ ବଳରେ ଅଭିଭୂତ କଲା, ତାହାରି ପରିଣାମ ହେଲା ଏହି ପ୍ରବଳ ବିକାର । ଯେବେ ଅଧର୍ମ ଦୟାପ୍ରେମାଦି କୋମଳ ଧର୍ମର ଆକାର ଧାରଣ କରେ, ଯେବେ ଅଜ୍ଞାନ ଜ୍ଞାନର ଛଦ୍ମବେଶ ଧରି ଆସେ, ଯେବେ ଗାଢକୃଷ୍ଣ ତମୋଗୁଣ ଉଜ୍ଜ୍ଵଳ ଓ ବିଶଦ ପବିତ୍ରତାର ସୁଆଙ୍ଗ କରି କହେ, " ମୁଁ ସାତ୍ତ୍ଵିକ, ମୁଁ ଜ୍ଞାନୀ, ମୁଁ ଧର୍ମ, ମୁଁ ଭଗବାନଙ୍କର ପ୍ରିୟଦୂତ, ମୁଁ ପୂଣ୍ୟମୂର୍ତ୍ତି ଓ ପୂଣ୍ୟପ୍ରବର୍ତ୍ତକ ", ତେବେ ବୁଝିବାକୁ ହେବ ଯେ ଭଗବାନଙ୍କର ବୈଷ୍ଣବୀ ମାୟା ବୃଦ୍ଧି ମଧ୍ୟରେ ପ୍ରଘଟ ହୋଇଛି ।
ବୈଷ୍ଣବୀ ମାୟାର ଲକ୍ଷଣ :- ବୈଷ୍ଣବୀ ମାୟାର ମୁଖ୍ୟ ଅସ୍ତ୍ର ହେଲା କୃପା ଓ ସ୍ନେହ । ମାନବଜାତିର ପ୍ରୀତି ଓ ପ୍ରେମ ବିଶୁଦ୍ଧ ବୃତ୍ତି ନୁହେଁ, ଶାରୀରିକ ତଥା ପ୍ରାଣ-କୋଷଗତ ବିକାଶରେ ପବିତ୍ର ପ୍ରେମ ଓ ଦୟା କଳୁଷିତ ଏବଂ ବିକଳାଙ୍ଗ ହୁଏ । ଚିତ୍ତହିଁ ବୃତ୍ତିର ବାସସ୍ଥାନ, ପ୍ରାଣ ଭୋଗର କ୍ଷେତ୍ର, ଶରୀର କର୍ମର ଯନ୍ତ୍ର, ବୁଦ୍ଧି ହେଲା ଚିନ୍ତାର ରାଜ୍ୟ । ବିଶୁଦ୍ଧ ଅବସ୍ଥାରେ ଏହି ସମସ୍ତଙ୍କର ସ୍ଵତନ୍ତ୍ର ଅଥଚ ପରସ୍ପର ଅବିରୋଧୀ ପ୍ରବୃତ୍ତି ହୁଏ, ଚିତ୍ତରେ ଭାବ ଉଠେ, ଶରୀର ଦ୍ଵାରା ତଦନୁଯାୟୀ ଏ କର୍ମ ହୁଏ, ବୁଦ୍ଧିରେ ତତ୍ ସଂପର୍କୀୟ ଚିନ୍ତା ହୁଏ, ପ୍ରାଣ ସେହି ଭାବ, କର୍ମ ଓ ଚିନ୍ତାର ଆନନ୍ଦ ଭୋଗ କରେ, ଜୀବ ସାକ୍ଷୀରୂପେ ପ୍ରକୃତିର ଏହି ଆନନ୍ଦମୟ କ୍ରିଡା ଦେଖି ଆନନ୍ଦ ଲାଭକରେ । ଅଶୁଦ୍ଧ ଅବସ୍ଥାରେ ପ୍ରାଣ ଶାରୀରିକ ବା ମାନସିକ ଭୋଗ ସକାଶେ ଲାଳାୟିତ ହୋଇ ଶରୀରକୁ କର୍ମର ଯନ୍ତ୍ର ନ କରି ଭୋଗର ଉପାୟ କରେ; ଶରୀର ଭୋଗରେ ଆସକ୍ତ ହୋଇ ବାରଂବାର ଶାରୀରିକ ଭୋଗ ସକାଶେ ଦାବି କରେ, ଚିତ୍ତ ଅକ୍ଷମ ହୁଏ, ପୁଣି କଳୁଷିତ ବାସନାଯୁକ୍ତ ଭାବ ଚିତ୍ତ-ସାଗରକୁ ବିକ୍ଷୁବ୍ଧ କରେ । ସେହି ବାସନାର କୋଳାହଳ ବୁଦ୍ଧିକୁ ଅଭିଭୂତ କରି ବ୍ୟତିବ୍ୟସ୍ତ କରେ, ବଧିର କରେ, ବୁଦ୍ଧି ଆଉ ନିର୍ମଳ, ଶାନ୍ତ ଓ ଅଭାନ୍ତ ଚିନ୍ତା ଗ୍ରହଣରେ ସମର୍ଥ ହୁଏ ନାହିଁ , ଚଞ୍ଚଳ ମନର ବଶୀଭୂତ ହୋଇ ଭ୍ରମେ, ଚିନ୍ତାବିଭ୍ରାଟରେ, ଅସତ୍ୟର ପ୍ରାବଲ୍ୟରେ ଅନ୍ଧ ହୋଇଯାଏ । ଜୀବ ବି ଏହି ବୁଦ୍ଧିଭ୍ରଶଂରେ ହତଜ୍ଞାନ ହୋଇ ସାକ୍ଷୀଭାବ ଓ ନିର୍ମଳ ଆନନ୍ଦ ଭାବରୁ ବଞ୍ଚିତ ହୋଇ ଆଧାର ସହିତ ନିଜର ଏକତ୍ଵ ସ୍ଵୀକାର କରି ମୁଁ ଦେହ, ମୁଁ ପ୍ରାଣ, ମୁଁ ଚିତ୍ତ, ମୁଁ ବୁଦ୍ଧି ଏହି ଭ୍ରାନ୍ତ ଧାରଣାରେ, ଶାରୀରିକ ଓ ମାନସିକ ସୁଖ-ଦୁଃଖରେ ସୁଖୀ ଓ ଦୁଃଖୀ ହୁଏ । ଅଶୁଦ୍ଧ ଚିତ୍ତ ଏହି ବିପର୍ଯ୍ୟୟର ମୂଳ କାରଣ । ଅତଏବ ଚିତ୍ତ ଶୁଦ୍ଧି ହେଲା ଉନ୍ନତିର ପ୍ରଥମ ସୋପାନ । ଏହି ଅଶୁଦ୍ଧତା କେବଳ ତାମସିକ ଓ ରାଜସିକ ବୃତ୍ତିକୁ କଳୁଷିତ କରି ନିବୃତ୍ତ ହୁଏ ନାହିଁ , ସାତ୍ତ୍ଵିକ ବୃତ୍ତିକୁ ବି କଳୁଷିତ କରେ । ଅମୁକ ଲୋକ ମୋର ଶାରୀରିକ ଓ ମାନସିକ ଭୋଗର ସାମଗ୍ରୀ, ମୋତେ ଭଲ ଲାଗେ ; ତାକୁହିଁ ଚାହେଁ, ତା'ବିରହରେ ମୋତେ କଷ୍ଟ ହୁଏ - ଏହା ହେଲା ଅଶୁଦ୍ଧ ପ୍ରେମ, ଯାହା ବଶରେ ଶରୀର ଓ ପ୍ରାଣ ଚିତ୍ତକୁ କଳୁଷିତ କରି ନିର୍ମଳ ପ୍ରେମକୁ ବିକୃତ କରେ । ବୁଦ୍ଧି ସେହି ଅଶୁଦ୍ଧତାର ଫଳରେ ଭ୍ରାନ୍ତ, ହୋଇ କହେ ଅମୁକ ମୋର ସ୍ତ୍ରୀ, ଭଗିନୀ , ଭାଇ, ସଖା, ଆତ୍ମୀୟ, ମିତ୍ର; ତାକୁହିଁ ଭଲ ପାଇବାକୁ ହେବ, ସେହି ପ୍ରେମ ପୁଣ୍ୟମୟ , ସେହି ପ୍ରେମର ପ୍ରତିକୂଳ କାର୍ଯ୍ୟ ଯଦି କର, ତେବେ ତାହା ପାପ, କ୍ରୁରତା, ଅଧର୍ମ । ଏହିପରି ଅଶୁଦ୍ଧ ପ୍ରେମ ଫଳରେ ଏପରି ବଳବତୀ କୃପା ଉତ୍ପନ୍ନ ହୁଏ ଯେ ପ୍ରିୟଜନଙ୍କୁ କଷ୍ଟ, ପ୍ରିୟଜନଙ୍କ ଅନିଷ୍ଟ କରିବା ଅପେକ୍ଷା ଧର୍ମକୁ ଜଳାଞ୍ଜଳି ଦେବା ବି ଶ୍ରେୟସ୍କର ବୋଧ ହୁଏ । ଶେଷରେ ଏହି କୃପା ଉପରେ ଆଘାତ ପଡେ ବୋଲି ଧର୍ମକୁ ଅଧର୍ମ କହି ନିଜ ଦୁର୍ବଳତାକୁ ଆମ୍ଭେମାନେ ସମର୍ଥନ କରୁ । ଏହିପରି ବୈଷ୍ଣବୀ ମାୟାର ପ୍ରମାଣ ଅର୍ଜୁନଙ୍କର ପ୍ରତ୍ୟକ କଥାରେ ମିଳେ ।
ବୈଷ୍ଣବୀ ମାୟାର କ୍ଷୁଦ୍ରତା : - ଅର୍ଜୁନଙ୍କର ପ୍ରଥମ କଥା, ଏମାନେ ଆମ୍ଭମାନଙ୍କର ସ୍ଵଜନ, ଆତ୍ମୀୟ, ପ୍ରେମର ପାତ୍ର, ଏମାନଙ୍କୁ ଯୁଦ୍ଧରେ ହତ୍ୟାକରି ଆମ୍ଭମାନଙ୍କର କେଉଁ ହିତ ସାଧିତ ହେବ ? ବିଜେତାର ଗର୍ବ, ରାଜାର ଗୌରବ, ଧନୀର ସୁଖ, ମୁଁ ଏହି ସକଳ ଶୂନ୍ୟ ସ୍ଵାର୍ଥ ଚାହେଁ ନାହିଁ । ରାଜ୍ୟ, ଭୋଗ, ଜୀବନ ଏସବୁ ବସ୍ତୁ ପ୍ରିୟ ହୁଏ କାହିଁକି ? ସ୍ତ୍ରୀ, ପୁତ୍ର, କନ୍ୟା ଅଛନ୍ତି ବୋଲି, ଆତ୍ମୀୟସ୍ଵଜନଙ୍କୁ ସୁଖରେ ରଖିପାରିବ ବୋଲି, ବନ୍ଧୁ ବାନ୍ଧବଙ୍କ ସହ ଐଶ୍ଵର୍ଯ୍ୟରେ , ସୁଖରେ ଓ ଆମୋଦରେ ଦିନ କଟାଇବ ବୋଲି, ଏହି ସକଳ ସୁଖ ଓ ମହତ୍ତ୍ଵ ଲୋଭର ବିଷୟ । କିନ୍ତୁ ଯେଉଁମାନଙ୍କ ସକାଶେ ଆମ୍ଭେମାନେ ରାଜ୍ୟ, ଭୋଗ, ସୁଖ ଚାହୁଁ ସେମାନେ ଆଜି ଆମ୍ଭମାନଙ୍କର ଶତ୍ରୁ ହୋଇ ଯୁଦ୍ଧରେ ଉପସ୍ଥିତ । ସେମାନେ ବରଂ ଆମ୍ଭମାନଙ୍କୁ ବଧ କରିବାକୁ ପ୍ରସ୍ତୁତ, ତଥାପି ଆମ୍ଭମାନଙ୍କ ସହିତ ରାଜ୍ୟ ଓ ସୁଖ ଏକତ୍ର ଭୋଗ କରିବାକୁ ସମ୍ମତ ନୁହନ୍ତି । ସେମାନେ ମୋତେ ବଧ କରନ୍ତୁ, କିନ୍ତୁ ମୁଁ ସେମାନଙ୍କୁ ବଧ କରିପାରିବି ନାହିଁ । ଯଦି ସେମାନଙ୍କ ହତ୍ୟା ଦ୍ଵାରା ତ୍ରୖଲୋକ୍ୟ ରାଜ୍ୟ ମିଳନ୍ତା ତାହା ହେଲେ ବି ସେମାନଙ୍କୁ ହତ୍ୟା କରନ୍ତି ନାହିଁ , ଅପ୍ରତିଦ୍ଵନ୍ଦୀ ପୃଥିବୀ-ସାମ୍ରାଜ୍ୟ କି ଛାର !
ସ୍ଥୂଳଦର୍ଶୀ ଲୋକ :- ଏହି ଉକ୍ତିରେ ମୋହିତ ହୋଇ କହନ୍ତି , - ଅହୋ ! ଅର୍ଜୁନଙ୍କର କି ମହାନ୍ ଉଦାର ନିଃସ୍ଵାର୍ଥ ପ୍ରେମମୟ ଭାବ । ରୁଧିରାକ୍ତ ଭୋଗ ଓ ସୁଖ ଅପେକ୍ଷା ପରାଜୟ, ମରଣ, ଚିରଦୁଃଖ ବାଞ୍ଛନୀୟ ।" କିନ୍ତୁ ଯଦି ଆମ୍ଭେମାନେ ଅର୍ଜୁନଙ୍କର ମନର ଭାବ ପରୀକ୍ଷା କରୁ, ତେବେ ବୁଝିପାରୁ ଯେ ଅର୍ଜୁନଙ୍କ ମନର ଭାବ ଅତି କ୍ଷୁଦ୍ର, କ୍ଳୀବୋଚିତ, ଦୁର୍ବଳତା-ପ୍ରକାଶକ । କୁଳର ହିତାର୍ଥେ ବା ପ୍ରିୟଜନଙ୍କର ପ୍ରେମରେ, କୃପାବଶରେ, ରକ୍ତପାତ ଭୟରେ ବ୍ୟକ୍ତିଗତ ସ୍ଵାର୍ଥତ୍ୟାଗ କରିବା ଅନାର୍ଯ୍ୟଙ୍କ ପକ୍ଷରେ ମହତ୍ ଉଦାର ଭାବ ହୋଇପାରେ, କିନ୍ତୁ ଆର୍ଯ୍ୟଙ୍କ ପକ୍ଷେ ତାହା ମଧ୍ୟମ ଭାବ । ଧର୍ମ ଓ ଭାଗବତ୍ ପ୍ରୀତି ନିମିତ୍ତ ସ୍ଵାର୍ଥତ୍ୟାଗ କରିବାହିଁ ହେଲା ଉତ୍ତମ ଭାବ । ଅନ୍ୟ ପକ୍ଷରେ କୁଳର ହିତାର୍ଥେ, ପ୍ରିୟଜନଙ୍କ ପ୍ରେମରେ, କୃପାବଶରେ, ରକ୍ତପାତ ଭୟରେ ଧର୍ମ ପରିତ୍ୟାଗ କରିବା ହେଲା ଅଧମ ଭାବ । ଧର୍ମ ଓ ଭଗବତ୍ ପ୍ରୀତି ନିମିତ୍ତ, ସ୍ନେହ, କୃପା ଓ ଭୟ ଦମନ କରିବା ହେଲା ପ୍ରକୃତ ଆର୍ଯ୍ୟଭାବ । ଏହି କ୍ଷୁଦ୍ର ଭାବର ସମର୍ଥନ ନିମିତ୍ତ ଅର୍ଜୁନ ସ୍ଵଜନ ହତ୍ୟାର ପାପ ଦେଖାଇ କହିଲେ, " ଧାର୍ତ୍ତରାଷ୍ଟ୍ରଗଣଙ୍କ ବଧରେ ଆମ୍ଭମାନଙ୍କର କି ସୁଖ, କି ମନୋତୁଷ୍ଟି, ହେବ ? ସେମାନେ ଆମ୍ଭମାନଙ୍କର ବନ୍ଧୁ-ବାନ୍ଧବ ଏବଂ ଆତ୍ମୀୟ-ସ୍ଵଜନ, ସେମାନେ ଯଦ୍ୟପି ଅନ୍ୟାୟ କରନ୍ତି ଓ ଆମ୍ଭମାନଙ୍କ ସହିତ ଶତ୍ରୁତା କରନ୍ତି, ରାଜ୍ୟ ଅପହରଣ କରନ୍ତି, ସତ୍ୟ ଭଙ୍ଗ କରନ୍ତି, ତଥାପି ସେମାନଙ୍କ ବଧରେ ଆମ୍ଭମାନଙ୍କର ପାପହିଁ ହେବ , ସୁଖ ହେବ ନାହିଁ । " ଅର୍ଜୁନ ଭୁଲିଯାଇଥିଲେ ଯେ ସେ ଧର୍ମଯୁଦ୍ଧ କରୁଛନ୍ତି, ନିଜ ସୁଖ ସକାଶେ ବା ଯୁଧିଷ୍ଠିରଙ୍କ ସୁଖ ସକାଶେ, ସେ ଶ୍ରୀକୃଷ୍ଣଙ୍କ ଦ୍ଵାରା କୌରବ ବଧରେ ନିଯୁକ୍ତି ହୋଇ ନାହାନ୍ତି, ବରଂ ଧର୍ମ ସ୍ଥାପନ, ଅଧର୍ମ ନାଶ, କ୍ଷତ୍ରିୟଧର୍ମପାଳନ, ଭାରତରେ ଧର୍ମପ୍ରତିଷ୍ଠିତ ଏକ ମହତ୍ ସାମ୍ରାଜ୍ୟ-ସ୍ଥାପନ କରିବା ଏହି ଯୁଦ୍ଧର ଉଦ୍ଦେଶ୍ୟ । ସମସ୍ତ ସୁଖକୁ ଜଳାଞ୍ଜଳି ଦେଇ ଜୀବନବ୍ୟାପୀ ଦୁଃଖ ଯନ୍ତ୍ରଣା ସହ୍ୟ କରି ବି ଏହି ଉଦ୍ଦେଶ୍ୟରେ ସିଦ୍ଧି ଅର୍ଜୁନଙ୍କ କର୍ତ୍ତବ୍ୟ ।

No comments: