About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday, 13 June 2007

ଗୀତାର ଭୂମିକା......

ମୃତ୍ୟୁର ଅସତ୍ୟତା :- ଅର୍ଜୁନଙ୍କ କଥା ଶୁଣି ଶ୍ରୀକୃଷ୍ଣଙ୍କ ମୁକ୍ ହରେ ହାସ୍ଯଭାବ ପ୍ରକାଶ ପାଇଲା, ସେହି ହାସ୍ୟ ରଙ୍ଗମୟ ଅଥଚ ପ୍ରସନ୍ନ , - ଅର୍ଜୁନଙ୍କ ଭ୍ରାନ୍ତିକୁ ମାନବଜାତିର ପୁରାତନ ଭ୍ରାନ୍ତି ଚିହ୍ନି ଅନ୍ତର୍ଯ୍ୟାମି ହସିଲେ - କାରଣ ସେହି ଭ୍ରାନ୍ତି ଶ୍ରୀକୃଷ୍ଣଙ୍କ ମାୟାପ୍ରସୂତ୍ର । ଜଗତରେ ଅଶୁଭ, ଦୁଃଖ ଓ ଦୁର୍ବଳତାକୁ ଭୋଗ ଏବଂ ସଂଯମ ଦ୍ଵାରା କ୍ଷୟ କରିବା ନିମିତ୍ତ ସେ ମାନବଙ୍କୁ ଏହି ମାୟାରେ ବଶୀଭୂତ କରିଛନ୍ତି । ପ୍ରାଣର ମମତା, ମରଣର ଭୟ, ସୁଖ-ଦୁଃଖର ଅଧୀନତା, ପ୍ରିୟ-ଅପ୍ରିୟ ବୋଧ ଇତ୍ୟାଦି ଅଜ୍ଞାନ ଅର୍ଜୁନଙ୍କ ବାକ୍ୟରେ ପ୍ରକାଶ ପାଇଛି, ଏହି ଅଜ୍ଞାନକୁ ମାନବବୁଦ୍ଧିରୁ ଦୂର କରି ଜଗତକୁ ଅଶୁଭରୁ ମୁକ୍ତ କରିବାକୁ ହେବ । ସେହି ଶୁଭ କାର୍ଯ୍ୟର ଅନୁକୂଳ ଅବସ୍ଥା ପ୍ରସ୍ତୁତ କରିବା ନିମିତ୍ତ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୋଇଛନ୍ତି , ଗୀତା ପ୍ରକାଶ କରିବାକୁ ଯାଉଛନ୍ତି । କିନ୍ତୁ ଅର୍ଜୁନଙ୍କ ମନରେ ପ୍ରଥମେ ଯେଉଁ ଭ୍ରମ ଉତ୍ପନ୍ନ ହୋଇଛି, ତାହାକୁ ତାହାକୁ ଭୋଗ ଦ୍ଵାରା କ୍ଷୟ କରିବାକୁ ହେବ । ଅର୍ଜୁନ ଶ୍ରୀକୃଷ୍ଣଙ୍କ ସଖା, ମାନବଜାତିର ପ୍ରତିନିଧି, ଗୀତା ତାଙ୍କ ପାଖରେହିଁ ପ୍ରକାଶିତ ହେବ, ସେ ଶ୍ରେଷ୍ଠ ପାତ୍ର । କିନ୍ତୁ ମାନବଜାତି ଆଜି ବି ଗୀରାର ଅର୍ଥ ଗ୍ରହଣ କରିବାକୁ ଯୋଗ୍ୟ ହୋଇନାହିଁ, ଅର୍ଜୁନ ବି ସମ୍ପୂର୍ଣ୍ଣ ଅର୍ଥ ଗ୍ରହଣ କରିପାରି ନାହାନ୍ତି । ଯେଉଁ ଶୋକ, ଦୁଃଖ ଓ କାତରତା ତାଙ୍କ ମନରେ ଉଠିଥିଲା , ତାହା ମାନବଜାତି କଳିଯୁଗରେ ସଂପୂର୍ଣ୍ଣ ଭୋଗ କରିଆସୁଛି - ଖ୍ରୀଷ୍ଟଧର୍ମ ପ୍ରେମ ଆନୟନ କରି, ବୌଦ୍ଧ ଧର୍ମ ଦୟା ଆନୟନ କରି ଇସଲାମ୍ ଧର୍ମ ଶକ୍ତି ଆନୟନ କରି ସେହି ଦୁଃଖଭୋଗ ଲାଘବ କରିବାକୁ ପ୍ରଚାରିତ ହୋଇଛି । ଆଜି କଳିଯୁଗ ଅନ୍ତର୍ଗତ ପ୍ରଥମଖଣ୍ଡ ସତ୍ୟଯୁଗ ଆରମ୍ଭ ହେବ, ଭଗବାନ ପୁନଶ୍ଚ ଭାରତକୁ, କୁରୁଜାତିର ବଂଶଧରଗଣଙ୍କୁ ଗୀତା ପ୍ରଦାନ କରୁଛନ୍ତି, ଯଦି ସେହି ଗୀତାର ଶିକ୍ଷାକୁ ଗ୍ରହଣ କରିବାକୁ ଓ ଧାରଣ କରିବାକୁ ସମର୍ଥ ହୁଏ, ତେବେ ସୁନିଶ୍ଚିତ ଫଳ ହେବ ଭାରତର ମଙ୍ଗଳ, ଜଗତର ମଙ୍ଗଳ । ଶ୍ରୀକୃଷ୍ଣ କହିଲେ, " ହେ ଅର୍ଜୁନ !, ତୁମେ ପଣ୍ଡିତବତ୍ ପାପପୁଣ୍ୟର ବିଚାର କରୁଛ, ଜୀବନ-ମରଣର ତତ୍ତ୍ଵ କହୁଛ, ଜାତିର କଲ୍ୟାଣ-ଅକଲ୍ୟାଣ କିପରି ହୁଏ, ତାହା ପ୍ରତିପାଦନ କରିବାକୁ ଚେଷ୍ଟା କରୁଛ, କିନ୍ତୁ ତୁମ କଥା ମଧ୍ୟରେ ପ୍ରକୃତ ଜ୍ଞାନର ପରିଚୟ ମିଳୁ ନାହିଁ, ବରଂ ତୁମର ପ୍ରତ୍ୟକ କଥା ଘୋର ଅଜ୍ଞାନପୂର୍ଣ୍ଣ । ସ୍ପଷ୍ଟ ଭାବରେ କୁହ- ମୋର ହୃଦୟ ଦୁର୍ବଳ, ମୁଁ ଶୋକାତୁର, ମୋର ବୁଦ୍ଧି କର୍ତ୍ତବ୍ୟବିମୁଢ ; ଜ୍ଞାନୀଙ୍କ ଭାଷାରେ, ମୂର୍ଖପରି ତର୍କ କରି ନିଜର ଦୁର୍ବଳତାକୁ ସମର୍ଥନ କରିବାର କୌଣସି ପ୍ରୟୋଜନ ନାହିଁ । ପ୍ରତ୍ୟକ ମନୁଷ୍ୟ ହୃଦୟରେ ଶୋକ ଉତ୍ପନ୍ନ ହୁଏ, ମନୁଷ୍ୟ ସକାଶେ ମରଣ ଓ ବିଚ୍ଛେଦ ଅତି ଭୟଙ୍କର । ପ୍ରତ୍ୟକ ମନୁଷ୍ୟ ଜୀବନକୁ ମହାମୂଲ୍ୟ, ଶୋକକୁ ଅସହ୍ୟ, କର୍ତ୍ତବ୍ୟକୁ କଠୋର, ସ୍ଵାର୍ଥସିଦ୍ଧିକୁ ମଧୁର ବୁଝି ସୁଖଭୋଗ କରନ୍ତି । କିନ୍ତୁ ଏହି ସବୁ ବୃତ୍ତିକୁ କେହି ବି ଜ୍ଞାନ-ପ୍ରସୂତ ବୋଲି କହନ୍ତି ନାହିଁ । ଯେଉଁମାନଙ୍କ ନିମିତ୍ତ ଶୋକ କରିବା ଅନୁଚିତ, ସେମାନଙ୍କ ନିମିତ୍ତ ତୁମେ ଶୋକ କରୁଛ । ଜ୍ଞାନୀ ଜନ କାହାରି ନିମିତ୍ତ ଶୋକ କରନ୍ତି ନାହିଁ - ନା ମୃତ ବ୍ୟକ୍ତି ନିମିତ୍ତ, ନା ଜୀବିତ ବ୍ୟକ୍ତି ନିମିତ୍ତ । ସେ ଏହି କଥାକୁ ଜାଣନ୍ତି , ମରଣ ନାହିଁ କିଂବା ବିଚ୍ଛେଦ ନାହିଁ ବା ଦୁଃଖ ନାହିଁ, ଆମ୍ଭେମାନେ ଅମର, ଆମ୍ଭେମାନେ ଚିରକାଳ ଏକ, ଆମ୍ଭେମାନେ ଆନନ୍ଦର ସନ୍ତାନ, ଅମୃତର ସନ୍ତାନ, ଜୀବନ-ମରଣ ସଙ୍ଗେ, ସୁଖ-ଦୁଃଖର ସଙ୍ଗେ ଏହି ପୃଥିବୀରେ ଲୁଚକାଳି ଖେଳିବାକୁ ଆସିଛୁ-ପ୍ରକୃତିର ବିଶାଳ ନାଟ୍ୟଗୃହରେ ହସକାନ୍ଦର ଅଭିନୟ କରୁଛୁ, ଶତୃ ମିତ୍ର ସୁଆଙ୍ଗ ଧରି ଯୁଦ୍ଧ ଓ ଶାନ୍ତି, ପ୍ରେମ ଓ କଳହର ରସ ଅସ୍ଵାଦନ କରୁଛୁ । ଆମ୍ଭେମାନେ ଯେ ଅଳ୍ପକାଳ ବଞ୍ଚିରହିବୁ, କାଲି ବା ତା'ପରଦିନ ଦେହ ତ୍ୟାଗ କରି କେଉଁଠିକୁ ଯିବୁ ଜାଣି ନାହୁଁ - ଏ ଆମ୍ଭମାନଙ୍କ ଅନନ୍ତ କ୍ରୀଡାର ମଧ୍ୟରେ ଗୋଟାଏ ମୁହୂର୍ତ୍ତ ମାତ୍ର, କ୍ଷଣିକ ଖେଳ କିଛିକ୍ଷଣର ଭାବ । ଆମ୍ଭେମାନେ ଥିଲୁ, ଆମ୍ଭେମାନେ ଅଛୁ, ଆମ୍ଭେମାନେ ରହିବୁ - ସନାତନ, ନିତ୍ୟ, ଅବିନାଶୀ - ପ୍ରକୃତିର ଈଶ୍ଵର ଆମ୍ଭେମାନେ, ଜୀବନ-ମରଣର କର୍ତ୍ତା, ଭଗବାନଙ୍କର ଅଂଶ; ଭୂତ, ବର୍ତ୍ତମାନ ଓ ଭବିଷ୍ୟତର ଅଧିକାରୀ । ଦେହର ବାଲ୍ୟ, ଯୌବନ, ଜରା ଯେପରି ଦେହାନ୍ତର ପ୍ରାପ୍ତି ସେହିପରି, ମରଣ ନାମକୁ ମାତ୍ର; ନାମ ଶୁଣି ଆମ୍ଭେମାନେ ଭୟ ପାଉ, ଦୁଃଖ ପାଉ, ଯଦି ବସ୍ତୁକୁ ଯଥାର୍ଥ ବୁଝିଥା'ନ୍ତୁ ତେବେ ଦୁଃଖ ବା ଭୟ ପାଆନ୍ତୁ ନାହିଁ । ଯଦି ଆମ୍ଭେମାନେ ଶିଶୁର ଯୌବନ ପ୍ରାପ୍ତିକୁ ମରଣ ବୋଲି କାନ୍ଦି କହନ୍ତୁ, ଆହା ! ଆମ୍ଭମାନଙ୍କର ସେହି ପ୍ରିୟ ଶିଶୁ କୁଆଡେ ଗଲା, ଏହି ତରୁଣ ତ' ସେହି ଶିଶୁ ନୁହେଁ, ଆମ୍ଭମାନଙ୍କର ସୁନାର ଚାନ୍ଦ କୁଆଡେ ଗଲା -ତେବେ ଆମ୍ଭମାନଙ୍କର ବ୍ୟବହାରକୁ ସମସ୍ତେ ଅଜ୍ଞାନ-ପ୍ରସୂତ ହାସ୍ୟକାର ବ୍ୟାପାର ବୋଲି କହନ୍ତେ; କାରଣ ଏହି ଅବସ୍ଥାପ୍ରାପ୍ତି ପ୍ରକୃତିର ନିୟମ, ଏକହିଁ ପୁରୁଷ ବାଳକଦେହରେ ଓ ଯୁବକଦେହରେ ବାହ୍ୟ ପରିବର୍ତ୍ତନର ଅତୀତ ହୋଇ ସ୍ଥିର ଭାବରେ ରହିଛନ୍ତି, ଜ୍ଞାନୀମାନେ ସାଧାରଣ ମନୁଷ୍ୟଙ୍କ ମରଣର ଭୟ ଓ ମରଣର ଦୁଃଖ ଦେଖି ତାହା ହାସ୍ୟକର ଓ ଘୋର ଅଜ୍ଞାନଜନିତ ବୋଲି ବୁଝନ୍ତି, କାରଣ ଦେହାନ୍ତରପ୍ରାପ୍ତି ପ୍ରକୃତିର ନିୟମ, ସ୍ଥୂଳ ଦେହରେ ଓ ସୂକ୍ଷ୍ମ ଦେହରେ ଏକହିଁ ପୁରୁଷ ବାହ୍ୟ ପରିବର୍ତ୍ତନର ଅତୀତ ହୋଇ ସ୍ଥିର ଭାବରେ ରହିଛନ୍ତି । ଅମୃତର ସନ୍ତାନ ଆମ୍ଭେମାନେ, କିଏ ମରେ, କିଏ ମାରେ ? ମୃତ୍ୟୁ ଆମ୍ଭମାନଙ୍କୁ ସ୍ପର୍ଶ କରିପାରେ ନାହିଁ - ମୃତ୍ୟୁ ଏକ ଫାଙ୍କା ଆବାଜ୍ , ମୃତ୍ୟୁ ଭ୍ରମ, ମୃତ୍ୟୁ ନାହିଁ ।
ମାତ୍ରା : - ପୁରୁଷ ଅଚଳ, ପ୍ରକୃତି ଚଳା ; ଚଳା ପ୍ରକୃତି ମଧ୍ୟରେ ଅଚଳ ପୁରୁଷ ଅବସ୍ଥିତ । ପ୍ରକୃତିସ୍ଥ ପୁରୁଷ ପଞ୍ଚେନ୍ଦ୍ରିୟ ଦ୍ଵାରା ଯାହାକିଛି ଦେଖନ୍ତି, ଶୁଣନ୍ତି, ଆଘ୍ରାଣ କରନ୍ତି, ସ୍ପର୍ଶ କରନ୍ତି ତାହା ଭୋଗ କରିବା ନିମିତ୍ତ ପକୃତିକୁ ଆଶ୍ରୟ କରନ୍ତି । ଆମ୍ଭେମାନେ ଦେଖୁ ରୂପ, ଶୁଣୁ ଶବ୍ଦ, ଆଘ୍ରାଣ କରୁ ଗନ୍ଧ, ଅସ୍ଵାଦ କରୁ ରସ, ଅନୁଭବ କରୁ ସ୍ପର୍ଶ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଏହି ପଞ୍ଚତନ୍ମାତ୍ରହିଁ ଇନ୍ଦ୍ରିୟଭୋଗର ବିଷୟ । ଷଷ୍ଠ ଇନ୍ଦ୍ରିୟ ମନର ବିଶେଷ ବିଷୟ ହେଲା ସଂସ୍କାର । ବୁଦ୍ଧିର ବିଷୟ ହେଲା ଚିନ୍ତା । ପଞ୍ଚତନ୍ମାତ୍ର ଏବଂ ସଂସ୍କାର ଓ ଚିନ୍ତାକୁ ଅନୁଭବ ତଥା ଭୋଗ କରିବା ନିମିତ୍ତ ପୁରୁଷ-ପ୍ରକୃତିର ପରସ୍ପର ସମ୍ବୋଗ ଓ ଅନନ୍ତ କ୍ରୀଡା । ଏହି ଭୋଗ ଦ୍ଵିବିଧ, ଶୁଦ୍ଧ ଓ ଅଶୁଦ୍ଧ । ଶୁଦ୍ଧ ଭୋଗରେ ସୁଖଦୁଃଖ ନାହିଁ, ଅଛି କେବଳ ପୁରୁଷଙ୍କ ଚିରନ୍ତନ ସ୍ଵଭାଗତ ଆନନ୍ଦ । ଅଶୁଦ୍ଧ ଭୋଗରେ ସୁଖ-ଦୁଃଖ ଅଛି; ହର୍ଷ-ଶୋକ, ଶୀତ-ଉଷ୍ଣ, କ୍ଷୁଧା-ପିପାସା ଇତ୍ୟାଦି ଦ୍ଵନ୍ଦ ଅଶୁଦ୍ଧ ଭୋଗୀକୁ ବିଚଳିତ ଓ ବିକ୍ଷୁବ୍ଧ କରେ । କାମନାହିଁ ଅଶୁଦ୍ଧତାର କାରଣ । କାମୀମାତ୍ରେହିଁ ଅଶୁଦ୍ଧ, ଯେ ନିଷ୍କାମ ସେ ଶୁଦ୍ଧ । କାମନାରୁ ରାଗ ଓ ଦ୍ଵେଷ ସୃଷ୍ଟି ହୁଏ, ରାଗଦ୍ଵେଷବଶରେ ପୁରୁଷ ବିଷୟାସକ୍ତ ହୁଏ । ଆସକ୍ତିର ଫଳ ବନ୍ଧନ । ପୁରୁଷ ବିଚଳିତ ଓ ବିକ୍ଷୁବ୍ଧ, ଏପରିକି ବ୍ୟଥିତ ଓ ଯନ୍ତ୍ରଣାକ୍ଳିଷ୍ଟ ହୋଇ ମଧ୍ୟ, ଆସକ୍ତିର ଅଭ୍ୟାସ ଦୋଷରେ ତାଙ୍କର କ୍ଷୋଭର ବ୍ୟଥା ଓ ଯନ୍ତ୍ରଣାର କାରଣକୁ ପରିତ୍ୟାଗ କରିବାକୁ ଅକ୍ଷମ ହୁଅନ୍ତି । ସମଭାବ :- ଶ୍ରୀକୃଷ୍ଣ ପ୍ରଥମରେ ଆତ୍ମାର ନିତ୍ୟତାର ଉଲ୍ଲେଖ କରି ପରେ ଅଜ୍ଞାନର ବନ୍ଧନ ଶିଥିଳ କରିବାର ଉପାୟ ଦେଖାଇଲେ । ମାତ୍ରା ଅର୍ଥାତ୍ ବିଷୟର ନାନା ରୂପ, ସ୍ପର୍ଶ, ସୁଖ-ଦୁଃଖାଦି ଦ୍ଵନ୍ଦ ହେତୁ । ଏହି ସବୁ ସ୍ପର୍ଶ ଅନିତ୍ୟ, ତାହାର ଆରମ୍ଭ ଅଛି, ଅନ୍ତ ବି ଅଛି, ସେହି ସ୍ପର୍ଶର ଆସକ୍ତି ଅନିତ୍ୟ ବୋଲି ପରିତ୍ୟାଗ କରିବାକୁ ହେବ । ଯଦି ଅନିତ୍ୟ ବସ୍ତୁରେ ଆସକ୍ତ ହେଉ, ଯଦି ତାହାର ଆଗମନରେ ହୃଷ୍ଟ ହେଉ ଏବଂ ତାହାର ନାଶରେ ବା ଅଭାବରେ ଦୁଃଖିତ ଓ ବ୍ୟଥିତ ହେଉ, ତେବେ ଏହି ଅବସ୍ଥାକୁ ଅଜ୍ଞାନ କୁହାଯାଏ । ଅଜ୍ଞାନରେ ଅବିନାଶୀ ଆତ୍ମାର ସନାତନ ଭାବ ଓ ଆନନ୍ଦ ଆଚ୍ଛନ୍ନ ହୁଏ, ଆମ୍ଭେମାନେ କେବଳ କ୍ଷଣିକ ଭାବ ଓ ବସ୍ତୁରେ ମତ୍ତ ହୋଇ ରହୁ, ତାହାର ନାଶରେ ଦୁଃଖ ଓ ଶୋକ-ସାଗରରେ ନିମଗ୍ନ ହେଉ । ଯେଉଁ ବ୍ୟକ୍ତି ଏପରି ଅଭିଭୂତ ନ ହୋଇ ବିଷୟର ସମସ୍ତ ସ୍ପର୍ଶକୁ ସହ୍ୟ କରିପାରନ୍ତି, ଅର୍ଥାତ ଯେଉଁ ବ୍ୟକ୍ତି ଦ୍ଵନ୍ଦ ଉପଲବ୍ଧି କରି ମଧ୍ୟ ସୁଖଦୁଃଖରେ, ଶୀତୋଷ୍ଣରେ, ପିୟାପ୍ରିୟରେ , ମଙ୍ଗଳାମଙ୍ଗଳରେ, ସିଦ୍ଧି-ଅସିଦ୍ଧିରେ, ହର୍ଷ ବା ବିଷାଦ ଅନୁଭବ ନ କରି, ସମାନ ଭାବରେ, ପ୍ରଫୁଲ୍ଲଚିତ୍ତରେ, ହାସ୍ୟମୁଖରେ ଗ୍ରହଣ କରିପାରନ୍ତି, ସେହି ପୁରୁଷ ରାଗ, ଦ୍ଵେଷରୁ ବିମୁକ୍ତ ହୁଅନ୍ତି, ଅଜ୍ଞାନର ବନ୍ଧନ କାଟି, ସନାତନ ଭାବ ଓ ଆନନ୍ଦ ଉପଲବ୍ଧି କରିବାକୁ ସମର୍ଥ ହୁଅନ୍ତି, - " ଅମୃତତ୍ଵାୟ କଲପତେ "
ସମତାର ଗୁଣ :- ଏହି ସମତା ଗୀତାର ପ୍ରଥମ ଶିକ୍ଷା । ସମତା ଉପରେହିଁ ଗୀତୋକ୍ତ ସାଧନା ପ୍ରତିଷ୍ଠିତ । ଗ୍ରୀକ୍ ସ୍ତୋଇକ୍ ସମ୍ପ୍ରଦାୟ ଭାରତରୁ ଏହି ସାମ୍ୟ ଶିକ୍ଷା ଲାଭକରି ଇଉରୋପରେ ସମତାବାଦ ପ୍ରଚାର କରିଥିଲେ । ଗ୍ରୀକ୍ ଦାର୍ଶନିକ ଏପିକ୍ୟୁରସ୍ ଶ୍ରୀକୃଷ୍ଣଙ୍କ ପ୍ରଚାରିତ ଶିକ୍ଷାର ଆହୁରି ଗୋଟିଏ ଦିଗ ଧରି ଶାନ୍ତଭୋଗର ଶିକ୍ଷା, ଓ ଭୋଗବାଦ ପ୍ରଚାର କରିଥିଲେ । ଏଇ ଦୁଇ ମତ, ସମତାବାଦ ଆଉ ଭୋଗବାଦ, ପ୍ରାଚୀନ ଇଉରୋପରେ ଶ୍ରେଷ୍ଠ ନୈତିକ ମତ ବୋଲି ଜ୍ଞାତ ଥିଲା ଏବଂ ଆଧୁନିକ ଇଉରୋପରେ ନବ ଆକାର ଧାରଣ କରି ଚିରଦ୍ଵନ୍ଦ ସୃଷ୍ଟି କରିଛି । କିନ୍ତୁ ଗୀତୋକ୍ତ ସାଧନାରେ ସମତାବାଦ ଓ ଶାନ୍ତ ବା ଶୁଦ୍ଧ ଭୋଗ ହେଲା ଏକହିଁ କଥା । ସମତା ହେଲା କାରଣ, ଶୁଦ୍ଧ ଭୋଗ କାର୍ଯ୍ୟ । ସମତାରେ ଆଶକ୍ତି ମରିଯାଏ, ରାଗଦ୍ଵେଷ ପ୍ରଶମିତ ହୁଏ, ଆସକ୍ତି ନାଶରୁ ଓ ରାଗଦ୍ଵେଷ ପ୍ରଶମନରୁ ଶୁଦ୍ଧତା ଉତ୍ପନ୍ନ ହୁଏ । ଶୁଦ୍ଧ ପୁରୁଷଙ୍କ ଭୋଗରେ କାମନା ଓ ଆସକ୍ତି ନ ଥାଏ, ଅତଏବ ତାହା ଶୁଦ୍ଧ । ସମତାର ସହିତ ଆସକ୍ତି ଓ ରାଗଦ୍ଵେଷ ଏକାଧାରରେ ରହିପାରେ ନାହିଁ । ଏହାହିଁ ହେଲା ସମତାର ବିଶିଷ୍ଟ ଗୁଣ । ସମତାହିଁ ଶୁଦ୍ଧିର ବୀଜ ।
ଦୁଃଖ ଜୟ :- ଗ୍ରୀକ୍ ସ୍ତୋଇକ୍ ସମ୍ପ୍ରଦାୟ ଏହି ଭୁଲ କଲେ ଯେ ସେମାନେ ଦୁଃଖ ଜୟର ପ୍ରକୃତ ଉପାୟ ବୁଝିପାରିଲେ ନାହିଁ । ସେମାନେ ଦୁଃଖକୁ ନିଗ୍ରହ ଓ ପଦଦଳିତ କରି ଦୁଃଖଜୟ କରିବାକୁ ଚେଷ୍ଟା କଲେ । କିନ୍ତୁ ଗୀତାରେ ଅନ୍ୟତ୍ର କୁହାଯାଇଛି, " ପ୍ରକୃତିଂ ୟାନ୍ତି ଭୂତାନି, ନିଗ୍ରଃହ କିଂ କରିଷ୍ୟତି " ଭୂତସକଳ ନିଜ ପ୍ରକୃତି ଅନୁସରଣ କରନ୍ତି, ନିଗ୍ରହରେ କ'ଣ ଫଳହେବ ? ଦୁଃଖରେ ଅଶ୍ରୁଜଳ ମୋଚନ କରିବ ନାହିଁ, ଯନ୍ତ୍ରଣା ସ୍ଵୀକାର କରିବ ନାହିଁ, " ଏ କିଛି ନୁହେଁ " ବୋଲି ନୀରବରେ ସହ୍ୟ କରିବ, ସ୍ତ୍ରୀର ଦୁଃଖ, ସନ୍ତାନର ଦୁଃଖ, ବନ୍ଧୁର ଦୁଃଖ, ଜାତିର ଦୁଃଖକୁ ଅବିଚଳିତ ଚିତ୍ତରେ ଦେଖିବ, ଏହି ଭାବ ହେଲା ବଳଦୃପ୍ତ ଅସୁରଙ୍କର ତପସ୍ୟା - ତାହାର ମହତ୍ତ୍ଵ ଅଛି, ମାନବର ଉନ୍ନତି ସାଧନରେ ପ୍ରୟୋଜନ ବି ଅଛି, କିନ୍ତୁ ଦୁଃଖଜୟର ପ୍ରକୃତ ଉପାୟ ହେଲା ଜ୍ଞାନ, ଶାନ୍ତି ଓ ସମତା । ଶାନ୍ତ ଭାବରେ ସୁଖ ଦୁଃଖ ଗ୍ରହଣ କରିବାହିଁ ପ୍ରକୃତ ପଥ । ଆମ୍ଭେମାନେ ପ୍ରାଣରେ ସୁଖଦୁଃଖର ସଞ୍ଚାର କରିବୁ ନାହିଁ, ବୁଦ୍ଧି ଅବିଚଳିତ କରି ରଖିବୁ । ସମତାର ସ୍ଥାନ ହେଲା ବୁଦ୍ଧି, ଚିତ୍ତ ନୁହେଁ, ପ୍ରାଣ ବି ନୁହେଁ । ବୁଦ୍ଧି ସମ ହେଲେ ଚିତ୍ତ ଓ ପ୍ରାଣ ଆପେ ଆପେ ସମ ହୁଏ, ଅଥଚ ପ୍ରେମ ଇତ୍ୟାଦି ପ୍ରକୃତିଜାତ ପ୍ରବୃତ୍ତି ଶୁଖିଯାଏ ନାହିଁ, ମନୁଷ୍ୟ ପଥର ହୁଏ ନାହିଁ, ଜଡ ଓ ନିସ୍ପନ୍ଦ ହୁଏ ନାହିଁ । ପ୍ରକୃତିଂ ୟାନ୍ତି ଭୂତାନି - ପ୍ରେମ ଇତ୍ୟାଦି ପ୍ରବୃତ୍ତି ପ୍ରକୃତିର ଚିରନ୍ତନ ପ୍ରବୃତ୍ତି; ସେସବୁ ହାତରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ପରମବ୍ରହ୍ମରେ ବିଲୟ । ପ୍ରକୃତିର ମଝିରେ ରହି ପ୍ରକୃତିବର୍ଜନ ଅସମ୍ଭବ । ଯଦି କୋମଳତା ତ୍ୟାଗ କରୁ ତେବେ କଠୋରତା ହୃଦୟକୁ ଅଭିଭୂତ କରିବ, ଯଦ୍ୟପି ବାହ୍ୟ ଦୁଃଖର ସ୍ପନ୍ଦନ ବାରଣ କରୁ, ତେବେ ଦୁଃଖ ଭିତରେ ଜମା ହୋଇ ରହିବ ଏବଂ ଅଲକ୍ଷିତ ଭାବରେ ପ୍ରାଣକୁ ଶୁଖାଇ ଦେବ । ଏପରି କୃଚ୍ଛ୍ର-ସାଧନାରେ ଉନ୍ନତିର ସମ୍ଭାବନା ନାହିଁ । ତପସ୍ୟାରୁ ଶକ୍ତି ଆସିବ ସତ୍ୟ, କିନ୍ତୁ ଏହି ଜନ୍ମରେ ଆମେ ଯାହାକୁ ନିଗ୍ରହ କରି ରଖିଲୁ, ପରଜନ୍ମରେ ତାହା ସକଳ ବନ୍ଧ ଭାଙ୍ଗି ଦ୍ଵିଗୁଣ ବେଗରେ ଉଛୁଳି ପଡିବ । ----ପରିଶିଷ୍ଟ ----ଗୀତାରେ ବିଶ୍ଵରୂପଦର୍ଶନ : - 'ବନ୍ଦେ ମାତରମ୍' ଶୀର୍ଷକ ପ୍ରବନ୍ଧରେ ଆମ୍ଭର ଶ୍ରେଦ୍ଧୟ ବନ୍ଧୁ ବିପିନଚନ୍ଦ୍ର ପାଲ୍ କଥାପ୍ରସଙ୍ଗରେ ଅର୍ଜୁନଙ୍କର ବିଶ୍ଵରୂପଦର୍ଶନ ଉଲ୍ଲେଖ କରି କହିଛନ୍ତି ଯେ ଗୀତାର ଏକାଦଶ ଅଧ୍ୟାୟରେ ଯେଉଁ ବିଶ୍ଵରୂପଦର୍ଶନର ବର୍ଣ୍ଣନା କରାହୋଇଛି, ତାହା ସଂପୂର୍ଣ୍ଣ ଅସତ୍ୟ, କବିର କଳ୍ପନାମାତ୍ର । ଆମ୍ଭେମାନେ ଏହି କଥାର ପ୍ରତିବାଦ କରିବାକୁ ବାଧ୍ୟ ହେଉଛୁ । ବିଶ୍ଵରୂପ ଦର୍ଶନ ଗୀତାର ଅତିପ୍ରୟୋଜନୀୟ ଅଙ୍ଗ । ଅର୍ଜୁନଙ୍କ ମନରେ ଯେଉଁ ଦ୍ଵିଧା ଓ ସନ୍ଦେହ ଉତ୍ପନ୍ନ ହୋଇଥିଲା , ତାହା ଶ୍ରୀକୃଷ୍ଣ ତର୍କ ଓ ଜ୍ଞାନପୂର୍ଣ୍ଣ ଉକ୍ତି ଦ୍ଵାରା ଦୂର କରିଥିଲେ, କିନ୍ତୁ ତର୍କ ଓ ଉପଦେଶ ଦ୍ଵାରା ଯେଉଁ ଜ୍ଞାନ ଲାଭ ହୁଏ, ତାହା ଦୃଢଭାବେ ପ୍ରତିଷ୍ଠିତ ନୁହେଁ, କିନ୍ତୁ ଯେଉଁ ସାକ୍ଷାତ ଉପଲବ୍ଧିରେ ହୁଏ, ସେହି ଜ୍ଞାନ ଦୃଢ ପ୍ରତିଷ୍ଠିତ ହୁଏ । ସେହି ସକାଶେ ଅର୍ଜୁନ ଅନ୍ତର୍ଯ୍ୟାମିଙ୍କ ଅଲକ୍ଷିତ ପ୍ରେରଣାରେ ବିଶ୍ଵରୂପଦର୍ଶନର ଆକାଙାକ୍ଷା ବ୍ୟକ୍ତ କଲେ । ବିଶ୍ଵରୂପ ଦର୍ଶନରେ ଅର୍ଜୁନଙ୍କର ସନ୍ଦେହ ଚିରକାଳ ସକାଶେ ତିରୋହିତ ହେଲା, ବୁଦ୍ଧି ପୂତ, ବିଶୁଦ୍ଧ ହୋଇ ଗୀତାର ପରମ ରହସ୍ୟ ଗ୍ରହଣ କରିବାର ଯୋଗ୍ୟ ହେଲା । ବିଶ୍ଵରୂପଦର୍ଶନର ପୂର୍ବେ ଗୀତାରେ ଯେଉଁ ଜ୍ଞାନ କଥିତ ହୋଇଥିଲା, ତାହା ସାଧକର ଉପଯୋଗୀ ଜ୍ଞାନର ବହିରଙ୍ଗ । ରୂପଦର୍ଶନ ପରେ ଯେଉଁ ଜ୍ଞାନ ବ୍ୟାଖ୍ୟାତ ହେଲା, ସେହି ଜ୍ଞାନ ଗୂଢ ସତ୍ୟ, ପରମ ରହସ୍ୟ, ସନାତନ ଶିକ୍ଷା । ଏହି ବିଶ୍ଵରୂପଦର୍ଶନର ବର୍ଣ୍ଣନାକୁ ଯଦି କବିର ଉପମା ବୋଲି କୁହାଯାଏ, ତା'ହେଲେ ଗାମ୍ଭୀର୍ଯ୍ୟ, ସତ୍ୟତା ଓ ଗଭୀରତା ନଷ୍ଟ ହୁଏ, ଯୋଗଲବ୍ଧ ଗଭୀରତମ ଶିକ୍ଷା କେବଳ କେତୋଟି ଦାର୍ଶନିକ ମତ ଓ କବିକଳ୍ପନାର ସମାବେଶରେ ପରିଣତ ହୁଏ । ବିଶ୍ଵରୂପ ଦର୍ଶନ କଳ୍ପନା ନୁହେଁ, ଉପମା ନୁହେଁ, ଏକେବାରେ ସତ୍ୟ ; ଅତିପ୍ରାକୃତିକ ସତ୍ୟ ନୁହେଁ, କାରଣ ବିଶ୍ଵପ୍ରକୃତିର ଅନ୍ତର୍ଗତ ଯେଉଁ ବିଶ୍ଵରୂପ ତାହା ଅତିପ୍ରାକୃତ ହୋଇପାରେ ନାହିଁ । ବିଶ୍ଵରୂପ କାରଣ ଜଗର ସତ୍ୟ । କାରଣଜଗତର ରୂପ ଦିବ୍ୟଚକ୍ଷୁରେ ଦେଖାଯାଏ । ଦିବ୍ୟଚକ୍ଷୁପ୍ରାପ୍ତ ଅର୍ଜୁନ କାରଣଜଗତର ବିଶ୍ଵରୂପଦର୍ଶନ କଲେ ।
ସାକାର ଓ ନିରାକାର :- ଯେଉଁମାନେ ନିର୍ଗୁଣ ନିରାକାର ବ୍ରହ୍ମର ଉପାସକ ସେମାନେ ଗୁଣ ଏବଂ ଆକାରକୁ ରୂପକ ଓ ଉପମା ବୋଲି ଉଡେଇ ଦିଅନ୍ତି; ଯେଉଁମାନେ ସଗୁଣ ନିରାକାର ବ୍ରହ୍ମର ଉପାସକ, ସେମାନେ ଶାସ୍ତ୍ରର ଅନ୍ୟ ରୂପ ବ୍ୟାଖ୍ୟା କରି ନିର୍ଗୁଣତ୍ଵକୁ ଅସ୍ଵୀକାର କରନ୍ତି ଏବଂ ଆକାରର କଥା ରୂପକ ଓ ଉପମା ବୋଲି ଉଡେଇ ଦିଅନ୍ତି । ସଗୁଣ ସାକାର ବ୍ରହ୍ମର ଉପାସକ ଏହି ଦୁଇଜଣଙ୍କ ଉପରେ ଖଡ୍ଗହସ୍ତ । ଆମ୍ଭେମାନେ ଏହି ତିନି ମତକୁ ସଂକୀର୍ଣ୍ଣ ଓ ଅସଂପୂର୍ଣ୍ଣ ଜ୍ଞାନରୁ ସମ୍ଭୁତ ବୋଲି କହୁ । କାରଣ ଯେଉଁମାନେ ସାକାର ଓ ନିରାକାର ଦ୍ଵିବିଧ ବ୍ରହ୍ମଙ୍କୁ ଉପଲବ୍ଧି କରିଛନ୍ତି, ସେମାନେ କିପରି ଗୋଟିଏକୁ ସତ୍ୟ ଓ ଅନ୍ୟଟିକୁ ଅସତ୍ୟ କଳ୍ପନା କରି ଜ୍ଞାନର ଅନ୍ତିମ ପ୍ରମାଣକୁ ନଷ୍ଟ କରିବେ ଏବଂ ଅସୀମ ବ୍ରହ୍ମଙ୍କୁ ସୀମିତ କରିବେ । ଯଦି ବ୍ରହ୍ମଙ୍କର ନିର୍ଗୁଣତ୍ଵ ଓ ନିରାକାରତ୍ଵ ଅସ୍ଵୀକାର କରୁ, ତେବେ ଆମ୍ଭେମାନେ ଭଗବାନଙ୍କ ମହତ୍ତ୍ଵକୁ ଉଣା କରିଦେଉ; ଏହି କଥା ସତ୍ୟ । କିନ୍ତୁ ଯଦି ଆମ୍ଭେମାନେ ବ୍ରହ୍ମର ସଗୁଣତ୍ଵ ଓ ସାକାରତ୍ଵକୁ ଅସ୍ଵୀକାର କରୁ, ତେବେ ମଧ୍ୟ ଭଗବାନଙ୍କୁ କମ୍ କରି ଦେଉ, ଏହା ବି ସତ୍ୟ । ଭଗବାନ୍ ରୂପର ସ୍ରଷ୍ଟା, କର୍ତ୍ତା, ଅଧୀଶ୍ଵର, ସେ କୌଣସି ରୂପରେ ଆବଦ୍ଧ ନୁହନ୍ତି, ସେ ଯେପରି ସାକାର ଦ୍ଵାରା ଆବଦ୍ଧ ନୁହନ୍ତି, ସେହିପରି ନିରାକାରତ୍ଵ ଦ୍ଵାରା ବି ଆବଦ୍ଧ ନୁହନ୍ତି । ଭଗବାନ ସର୍ବଶକ୍ତିମାନ, ସ୍ଥୂଳ-ପ୍ରକୃତିର ନିୟମ ବା ଦେଶକାଳର ନିୟମରୂପ ଜାଲରେ ତାଙ୍କୁ ଧରିବାକୁ ସୁଆଙ୍ଗ କରି ଆମ୍ଭେମାନେ ଯଦି କହୁ, ତୁମେ ଯେତେବେଳେ ଅନନ୍ତ ସେତେବେଲେ ମୁଁ ତୁମକୁ ଶାନ୍ତ ହେବାକୁ ଦେବି ନାହିଁ , ଚେଷ୍ଟା କରି ଦେଖ, ତୁମେ ପାରିବ ନାହିଁ, ତୁମେ ମୋର ଅକାଟ୍ୟ ତର୍କ ଓ ଯୁକ୍ତିରେ ଆବଦ୍ଧ । ଯେପରି ପ୍ରସ୍ପେରୋର ଇନ୍ଦ୍ରଜାଲରେ ଫର୍ଡିନାଣ୍ଡ ! ଏହା କିପରି ହାସ୍ୟାସ୍ପଦ କଥା, କିପରି ଘୋର ଅଜ୍ଞାନ ଓ ଅହଂକାର କଥା ! ଭଗବାନ୍ ବନ୍ଧନ ରହିତ, ନିରାକାର ଓ ସାକାର । ସାଧକକୁ ସାକାର ହୋଇ ଦର୍ଶନ ଦିଅନ୍ତି, ସେହି ଆକାରରେ ପୂର୍ଣ୍ଣ ଭଗବାନ୍ ରହିଛନ୍ତି, ଅଥଚ ସେହି ଏକ ସମୟରେ ମଧ୍ୟ ସଂପୂର୍ଣ୍ଣ ବ୍ରହ୍ମାଣ୍ଡରେ ବ୍ୟାପ୍ତ ହୋଇ ରହିଛନ୍ତି । କାରଣ ଭଗବାନ୍ ଦେଶକାଳାତୀତ, ତର୍କାତୀତ, ଦେଶ ଏବଂ କାଳ ତାଙ୍କର ଖେଳର ସମଗ୍ରୀ, ସେ ଦେଶ ଓ କାଳରୂପ ଜାଲ ପକାଇ ସର୍ବଭୂତଙ୍କୁ ଧରି କ୍ରୀଡା କରୁଛନ୍ତି, କିନ୍ତୁ ଆମ୍ଭେମାନେ ତାଙ୍କୁ ସେହି ଜାଲରେ ଧରିପାରୁ ନାହିଁ । ଯେତେଥର ଦାର୍ଶନିକ ଓ ତର୍କ ଓ ଯୁକ୍ତି ପ୍ରୟୋଗ କରି ଆମେ ସେହି ଅସାଧ୍ୟ ସାଧନ କରିବାକୁ ଯାଉ, ସେତେଥର ସେହି ରଙ୍ଗ୍ମୟ ଭଗବାନ୍ ସେହି ଜାଲକୁ ଘୁଞ୍ଚାଇ ଆମ୍ଭମାନଙ୍କ ସମ୍ମୁଖରେ, ପଶ୍ଚାତରେ, ପାର୍ଶ୍ଵରେ, କିଛିଦୂରରେ, ଚାରିଦିଗରେ, ମୃଦୁହାସ୍ୟରେ ବିଶ୍ଵରୂପ ଓ ବିଶ୍ଵାତୀତରୂପ ପ୍ରକାଶ କରି ଆମ୍ଭମାନଙ୍କ ବୁଦ୍ଧିକୁ ପରାସ୍ତ କରନ୍ତି । ଯେ କହେ ମୁଁ ତାଙ୍କୁ ଜାଣିପାରିଲି, ସେ କିଛିହିଁ ଜାଣେ ନାହିଁ; ଯେ କହେ ମୁଁ ଜାଣେ ଅଥଚ ଜାଣେ ନାହିଁ, ସେହି ପ୍ରକୃତ ଜ୍ଞାନୀ ।
ବିଶ୍ଵରୂପ :- ଯେ ଶକ୍ତିର ଉପାସକ, କର୍ମଯୋଗୀ, ଯନ୍ତ୍ରୀର ଯନ୍ତ୍ର ହୋଇ ଭଗବତ୍ ନିର୍ଦିଷ୍ଟ କାର୍ଯ୍ୟ କରିବାକୁ ଆଦିଷ୍ଟ, ତାଙ୍କ ଦୃଷ୍ଟିରେ ବିଶ୍ଵରୂପଦର୍ଶନ ଅତି ପ୍ରୟୋଜନ । ବିଶ୍ଵରୂପଦର୍ଶନର ପୂର୍ବେ ବି ସେ ଆଦେଶ ଲାଭ କରିପାରନ୍ତି, କିନ୍ତୁ ସେହି ଦର୍ଶନ ଲାଭ ନ ହେବା ପର୍ଯ୍ୟନ୍ତ ଆଦେଶ ଠିକ୍ ମଞ୍ଜୁର ହୁଏ ନାହିଁ , ରୁଜୁ ହୋଇଛି, କିନ୍ତୁ ପାସ୍ ହୋଇ ନାହିଁ । ସେ ପର୍ଯ୍ୟନ୍ତ ତାହାର କର୍ମ ଶିକ୍ଷା କରିବା ଓ ପ୍ରସ୍ତୁତ ହେବାର ସମୟ । ବିଶ୍ଵରୂପଦର୍ଶନରେ କର୍ମର ଆରମ୍ଭ । ସାଧକ ଓ ସାଧନାର ସ୍ଵଭାବ ଅନୁସାରେ ବିଶ୍ଵରୂପଦର୍ଶନ ବହୁ ପ୍ରକାରର ହୋଇପାରେ - କାଳୀଙ୍କ ବିଶ୍ଵରୂପ ଦର୍ଶନରେ ସାଧକ ଜଗନ୍ମୟ ଅପରୂପ ନାରୀରୂପ ଦେଖନ୍ତି ; ଏକ ଅଥଚ ଅଗଣିତ ଦେହଯୁକ୍ତ, ସର୍ବତ୍ର ସେହି ନିବିଡ-ତିମିର-ପ୍ରସାରକ ଘନ-କୃଷ୍ଣ କୁନ୍ତଳରାଶି ଆକାଶବ୍ୟାପୀ ରହିଛି । ସର୍ବତ୍ର ସେହି ରକ୍ତାକ୍ତ ଖଡ୍ଗର ଆଭା ନୟନ ଝଲସାଇ ନୃତ୍ୟ କରୁଛି । ଜଗନ୍ମୟ ସେହି ଭୀଷଣ ଅଟ୍ଟହାସ୍ୟର ସ୍ରୋତ ବିଶ୍ଵ-ବ୍ରହ୍ମାଣ୍ଡକୁ ଚୂର୍ଣ୍ଣବିଚୂର୍ଣ୍ଣ କରୁଛି । ଏହି ସକଳ କଥାର କବିର କଳ୍ପନା ନୁହେଁ । ଅନତି ପ୍ରାକୃତ ଉପଲବ୍ଧିକୁ ଅସଂପୂର୍ଣ୍ଣ ମାନବ ଭାଷାରେ ବର୍ଣ୍ଣନା କରିବାର ବିଫଳ ଚେଷ୍ଟା ନୁହେଁ । ଏହା କାଳୀଙ୍କ ଆତ୍ମପ୍ରକାଶ । ଏହା ଆମ୍ଭମାନଙ୍କ ମା'ଙ୍କ ପ୍ରକୃତ ରୂପ । ଯାହା ଦିବ୍ୟଚକ୍ଷୁରେ ଦେଖା ହୋଇଛି, ତାହାର ଅନତିରଞ୍ଜିତ ସରଳ ସତ୍ୟ ବର୍ଣ୍ଣନା । ଅର୍ଜୁନ କାଳୀଙ୍କର ବିଶ୍ଵରୂପ ଦେଖି ନ ଥିଲେ, ଦେଖିଥିଲେ କାଳରୂପୀ ଶ୍ରୀକୃଷ୍ଣଙ୍କର ସଂହାରକ ବିଶ୍ଵରୂପ । ଏହା ଏକହିଁ କଥା । ଦିବ୍ୟଚକ୍ଷୁରେ ଦେଖିଲେ, ବାହ୍ୟ ଜ୍ଞାନହୀନ ସମାଧୀରେ ନୁହେଁ । ଯାହା ଦେଖିଲେ ବ୍ୟାସଦେବ ତାହାର ଅନତିରଞ୍ଜିତ ବର୍ଣ୍ଣନା କଲେ । ସ୍ଵପ୍ନ ନୁହେଁ, କଳ୍ପନା ନୁହେଁ, ସତ୍ୟ , ଜାଗ୍ରତ ସତ୍ୟ ।
କାରଣଜଗତର ରୂପ :- ଭଗବଦାଧିଷ୍ଠିତ ତିନୋଟି ଅବସ୍ଥାର କଥା ଶାସ୍ତ୍ରରେ ମିଳେ - ପ୍ରାଜ୍ଞ-ଅଧିଷ୍ଠିତ ସୁଷୁପ୍ତି, ତୈଜସ୍ ବା ହିରଣ୍ୟଗର୍ଭ ଅଧିଷ୍ଠିତ ସପ୍ନ , ବିରାଟ-ଅଧିଷ୍ଠିତ ଜାଗତ । ପ୍ରତ୍ୟକ ଅବସ୍ଥା ଏକ ଏକ ଜଗତ୍ । ସୁଷୁପ୍ତି ହେଲା କାରଣ ଜଗତ୍ , ସ୍ଵପ୍ନ ସୂକ୍ଷ୍ମଜଗତ୍ , ଜାଗ୍ରତ ସ୍ଥୂଳଜଗତ୍ । କାରଣ ଜଗତରେ ଯାହା ନିର୍ଣ୍ଣିତ ଓ ଦେଶକାଳର ଅତୀତ, ସୂକ୍ଷ୍ମରେ ତାହା ପ୍ରତିଭାସିତ ଏବଂ ସ୍ଥୂଳଜଗତରେ ଆଂଶିକ ଭାବେ ତାହାର ନିୟମାନୁସାରେ ଅଭିନୀତ ହୁଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଧାର୍ତ୍ତରାଷ୍ଟ୍ରଗଣଙ୍କୁ ପୂର୍ବରୁହିଁ ବଧ କରିଛି, ଅଥଚ ସ୍ଥୂଳଜଗତରେ ଧାର୍ତ୍ତରାଷ୍ଟ୍ରଗଣ ସେତେବେଳେ ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ସମ୍ମୁଖରେ ଦଣ୍ଡାୟମାନ , ଜୀବିତ ଓ ଯୁଦ୍ଧରେ ବ୍ୟାପୃତ । ଭଗବାନଙ୍କର ଏହି କଥା ଅସତ୍ୟ ନୁହେଁ, ଉପମା ବି ନୁହେଁ । କାରଣଜଗତରେ ସେ ସେମାନଙ୍କୁ ବଧ କରିଥିଲେ, ନଚେତ୍ ଇହଲୋକରେ ସେମାନଙ୍କର ବଧ ଅସମ୍ଭବ । ଆମ୍ଭମାନଙ୍କ ପ୍ରକୃତ ଜୀବନ କାରଣଜଗତରେ, ସ୍ଥୂଳଜଗତରେ ତାହାର ଛାୟା ମାତ୍ର ପଡେ । କିନ୍ତୁ କାରଣଜଗତର ନିୟମ, ଦେଶ, କାଳ, ରୂପ, ନାମ ସ୍ଵତନ୍ତ୍ର । ବିଶ୍ଵରୂପ କାରଣଜଗତର ରୂପ, ସ୍ଥୂଳଜଗତରେ ଦିବ୍ୟଚକ୍ଷୁରେ ପ୍ରକାଶିତ ହୁଏ ।
ଦିବ୍ୟ ଚକ୍ଷୁ : - ଦିବ୍ୟ ଚକ୍ଷୁ କ'ଣ ? ଏହା କଳ୍ପନାର ଚକ୍ଷୁ ନୁହେଁ, କବିର ଉପମା ନୁହେଁ । ଯୋଗଲବ୍ଧ ଦୃଷ୍ଟି ତିନି ପ୍ରକାର ଅଛି, ସୂକ୍ଷ୍ମଦୃଷ୍ଟି, ବିଜ୍ଞାନଚକ୍ଷୁ ଓ ଦିବ୍ୟଚକ୍ଷୁ । ସୂକ୍ଷ୍ମଦୃଷ୍ଟିରେ ଆମ୍ଭେମାନେ ସ୍ଵପ୍ନରେ ବା ଜାଗ୍ରତ ଅବସ୍ଥାରେ ମାନସିକ ମୂର୍ତ୍ତି ଦେଖୁ । ବିଜ୍ଞାନ ଚକ୍ଷୁରେ ଆମ୍ଭେମାନେ ସମାଧିସ୍ଥ ହୋଇ ସୂକ୍ଷ୍ମଜଗତ୍ ଓ କାରଣଜଗତର ଅନ୍ତର୍ଗତ ନାମ-ରୂପରେ ପ୍ରତିମୂର୍ତ୍ତି ଓ ସାଙ୍କେତିକ ରୂପ ଚିତ୍ତାକାଶରେ ଦେଖୁ । ଦିବ୍ୟ ଚକ୍ଷୁରେ କାରଣଜଗତର ନାମରୂପ ଉପଲବ୍ଧି କରୁ - ସମାଧିରେ ବି ଉପଲବ୍ଧି କରୁ , ସ୍ଥୂଳଚକ୍ଷୁର ସମ୍ମୁଖରେ ବି ଦେଖିପାରୁ । ଯାହା ସ୍ଥୂଳେନ୍ଦ୍ରିୟର ଅଗୋଚର ତାହା ଯଦି ଇନ୍ଦ୍ରିୟଗୋଚର ହୁଏ, ତାହାକୁ ଦିବ୍ୟଚକ୍ଷୁର ପ୍ରଭାବରେ ଜାଗ୍ରତ ଅବସ୍ଥାରେ ଭଗବାନଙ୍କ କାରଣାନ୍ତର୍ଗତ ବିଶ୍ଵରୂପ ଦେଖି ସନ୍ଦେହମୁକ୍ତ ହୋଇଥିଲେ । ସେହି ବିଶ୍ଵରୂପ ଦର୍ଶନ ସ୍ଥୂଳଜଗତରେ ଇନ୍ଦ୍ରିୟଗୋଚର ସତ୍ୟ ନ ହେଲେ ସୁଦ୍ଧା ସ୍ଥୂଳ ସତ୍ୟ ଅପେକ୍ଷା ଅଧିକ, ସତ୍ୟ; କଳ୍ପନା, ଅସତ୍ୟ ବା ଉପମା ନୁହେଁ ।

No comments: