About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday, 13 June 2007

ଗୀତାର ଭୂମିକା..........

ଶ୍ରୀକୃଷ୍ଣଙ୍କ ରାଜନୈତିକ ଉଦ୍ଦେଶ୍ୟ :-
ମାନବ ସମାଜର କ୍ରମ-ବିକାଶରେ କୁଳ ଓ ଜାତି ଧୀରେ ଧୀରେ ପୃଥକ୍ ହୁଏ, ପ୍ରାଚୀନ କାଳରେ ସେହି ଭେଦ ଭାରତରେ ତଥା ଅନ୍ୟ ଦେଶରେ ଏପରି ପରିସ୍ଫୁଟ ହୋଇ ନ ଥିଲା । ଜାତି ଗଠିତ ହେଉଥିଲା ଏକାଧିକ ବଡ କୁଳର ସମାବେଶରେ । ଏହି ଭିନ୍ନ୍ ଭିନ୍ନ୍ କୁଳ ହୁଏତ ଏକ ଅଭିନ୍ନ ପୂର୍ବପୁରୁଷଙ୍କ ବଂଶଧର, ନୁହେ ତ ଭିନ୍ନ ବଂଶଜାତ ହେଲେ ସୁଦ୍ଧା, ପ୍ରୀତିବଶରେ ଏକବଂଶଜାତ ବୋଲି ସ୍ଵୀକୃତ ହେଉଥିଲା । ସମଗ୍ର ଭାରତ ଏକ ବୃହତ୍ ମହାଜାତି ହୋଇ ନ ଥିଲା, କିନ୍ତୁ ଯେଉଁ ବଡ ବଡ ଜାତି ସମସ୍ତ ଦେଶ ମାଡି ବସିଥିଲେ, ସେମାନଙ୍କ ମଧ୍ୟରେ ଏକ ସଭ୍ୟତା, ଏକ ଧର୍ମ, ଏକ ସଂସ୍କୃତ ଭାଷା ଏବଂ ବିବାହ ଇତ୍ୟାଦି ସମ୍ବନ୍ଧ ପ୍ରଚଳିତ ଥିଲା । ତଥାପି ପ୍ରାଚୀନ କାଳରୁ ଏକତ୍ଵର ଚେଷ୍ଟା ହୋଇଆସୁଥିଲା, କେବେ କୁରୁ କେବେ ପାଞ୍ଚାଳ, କେବେ କୋଶଳ କେବେ ମଗଧ ଜାତି ଦେଶର ନେତା ବା ସାର୍ବଭୌମ ରାଜା ହୋଇ ସାମ୍ରାଜ୍ୟ କରୁଥିଲେ, କିନ୍ତୁ ପ୍ରାଚୀନ କୁଳଧର୍ମ ଓ କୁଳର ସ୍ଵାଧୀନପ୍ରିୟତା ଏକତ୍ଵର ଏପରି ପ୍ରବଳ ଅନ୍ତରାୟ ସୃଷ୍ଟି କରୁଥିଲା ଯେ ସେହି ଏକତ୍ଵ ପ୍ରାୟାସ କେବେହେଲେ ଚିରକାଳ ଟେକି ପାରୁ ନ ଥିଲା । ଭାରତରେ ଏହି ଏକତ୍ଵର ପ୍ରୟାସ ଅସପତ୍ନ ସାମ୍ରାଜ୍ୟର ଚେଷ୍ଟା ପୂଣ୍ୟକର୍ମ ଏବଂ ରାଜାର କର୍ତ୍ତବ୍ୟକର୍ମ ମଧ୍ୟରେ ଗଣ୍ୟ ହେଉଥିଲା । ଏହି ଏକତ୍ଵର ସ୍ରୋତ ଏପରି ପ୍ରବଳ ହୋଇଥିଲା ଯେ ଚେଦିରାଜ ଶିଶୁପାଳଙ୍କ ତୁଲ୍ୟ ତେଜସ୍ଵୀ ଦୁରନ୍ତ କ୍ଷତ୍ରିୟ ବି ଯୁଧିଷ୍ଠିରଙ୍କ ସାମ୍ରାଜ୍ୟ ସ୍ଥାପନରେ ପୁଣ୍ୟକର୍ମ ଜାଣି ଯୋଗଦାନ କରିବାକୁ ସମ୍ମତ ହୋଇଥିଲେ । ଏହି ଏକତ୍ଵ ସାମ୍ରାଜ୍ୟ ବା ଧର୍ମରାଜ୍ୟ ସଂସ୍ଥାପନ ଶ୍ରୀକୃଷ୍ଣଙ୍କ ରାଜନୈତିକ ଉଦ୍ଦେଶ୍ୟ ଥିଲା । ମଗଧରାଜ ଜରାସନ୍ଧ ତତ୍ ପୂର୍ବରୁ ଏହି ପ୍ରୟାସ କରିଥିଲେ, କିନ୍ତୁ ତାଙ୍କ ଶକ୍ତି ଓ ଅଧର୍ମ ଓ ଅତ୍ୟାଚାର ଉପରେ ପ୍ରତିଷ୍ଠିତ ଥିଲା । ସେହି ସକାଶେ କ୍ଷଣସ୍ଥାୟୀ ବୋଲି ଶ୍ରୀକୃଷ୍ଣ ତାହାକୁ ଭୀମ ଦ୍ଵାରା ବଧ କରାଇଥିଲେ, ସେହି ଚେଷ୍ଟା ବିଫଳ ହେଲା । ଶ୍ରୀକୃଷ୍ଣଙ୍କ କାର୍ଯ୍ୟର ପ୍ରଧାନ ଅନ୍ତରାୟ ଥିଲେ ଗର୍ବିତ ଓ ତେଜସ୍ଵୀ କୁରୁବଂଶ । କୁରୁଜାତି ବହୁକାଳରୁ ଭାରତର ନେତୃସ୍ଥାନୀୟ ଜାତି ଥିଲେ - ଅର୍ଥାତ୍ ବହୁ ସମାନ ସମାନ ଜାତି ମଧ୍ୟରେ ସେମାନେ ଥିଲେ ପ୍ରଧାନ । ଏହି ନେତୃତ୍ଵରେ କୁରୁଜାତିର ବଂଶପରମ୍ପରାଗତ ଅଧିକାର ଥିଲା । ଶ୍ରୀକୃଷ୍ଣ ବୁଝିପାରିଲେ ଯେ ଏହି ଜାତିର ଯେତେଦିନ ପର୍ଯ୍ୟନ୍ତ ବଳ ଗର୍ବ ଅକ୍ଷୁର୍ଣ୍ଣ ରହିବ, ତେତେଦିନ ପର୍ଯ୍ୟନ୍ତ ଭାରତରେ କଦାପି ଏକତ୍ଵ ସ୍ଥାପିତ ହେବ ନାହିଁ । ଅତଏବ କୁରୁଜାତିର ଧ୍ଵଂସରେ କୃତସଂକଳ୍ପ ହେଲେ । କିନ୍ତୁ କୁରୁଜାତିର ଭାରତ-ସାମ୍ରାଜ୍ୟପଦରେ ପୁରୁଷପରମ୍ପରାଗତ ଅଧିକାର ଥିଲା । ଏକଥା ଶ୍ରୀକୃଷ୍ଣ ଭୁଲି ନ ଥିଲେ । ସେ ଯାହା ଧର୍ମତଃ ଯାହାର ପ୍ରାପ୍ୟ ସେଥିରେ ତାହାକୁ ବଞ୍ଚିତ କରିବା ଅଧର୍ମ ବୋଲି କୁରୁବଂଶର ନ୍ୟାୟତଃ ଯେ ରାଜା ଓ ପ୍ରଧାନ ସେହି ଯୁଧିଷ୍ଠିରଙ୍କୁ ଭାବୀ ସମ୍ରାଟ୍ ପଦରେ ନିଯୁକ୍ତି କରିବାକୁ ମନୋନୀତ କଲେ । ଶ୍ରୀକୃଷ୍ଣ ପରମ ଧାର୍ମିକ, ସମର୍ଥ ହେବା ସତ୍ତ୍ଵେବି ସ୍ନେହବଶରେ ନିଜର ପ୍ରିୟ ଯାଦବକୁଳକୁ କୁରୁକୁଳ ସ୍ଥାନରେ ସ୍ଥାପନ କରିବାକୁ ଚେଷ୍ଟା କଲେ ନାହିଁ । ପାଣ୍ଡବମାନଙ୍କ ମଧ୍ୟରେ ଜ୍ୟୋଷ୍ଠ ଯୁଧିଷ୍ଠିରଙ୍କୁ ଅବହେଳା କରି ନିଜ ପ୍ରିୟତମ ସଖା ଅର୍ଜୁନଙ୍କୁ ସେହି ପଦରେ ନିଯୁକ୍ତି କଲେ ନାହିଁ । କିନ୍ତୁ କେବଳ ବୟସ ବା ପୂର୍ବାଧିକାର ଦେଖିଲେ ଯୁଧିଷ୍ଠିର ଅଧାର୍ମିକ, ଅତ୍ୟାଚାରୀ ବା ଅସମର୍ଥ ହୋଇଥାଆନ୍ତେ, ତେବେ ଶ୍ରୀକୃଷ୍ଣ ଅନ୍ୟ ପାତ୍ରଙ୍କୁ ଅନ୍ଵେଷଣ କରିବାକୁ ବାଧ୍ୟ ହୋଇଥା'ନ୍ତେ । ଯୁଧିଷ୍ଠିର ଯେପରି ବଂଶକ୍ରମେ, ନ୍ୟାଯ୍ୟ ଅଧିକାରରେ ଏବଂ ଦେଶର ପ୍ରାଚୀନ ନିୟମ ଅନୁସାରେ ସମ୍ରାଟ୍ ହେବାକୁ ଯୋଗ୍ୟ ଥିଲେ, ସେହିପରି ଗୁଣରେ ବି ସେହି ପଦର ପ୍ରକୃତ ଅଧିକାରୀ ଥିଲେ । ତାଙ୍କ ଅପେକ୍ଷା ତେଜସ୍ଵୀ ଓ ପ୍ରତିଭାବାନ୍ ଅନେକ ବଡ ବଡ ବୀର ନୃପତି ଥିଲେ, କିନ୍ତୁ କେବଳ କେହି ସାମର୍ଥ୍ୟରେ ବା ପ୍ରତିଭାରେ ରାଜ୍ୟର ଅଧିକାରୀ ହୁଅନ୍ତି ନାହିଁ । ରାଜା ଧର୍ମ ରକ୍ଷା କରିବେ, ପ୍ରଜାରଞ୍ଜନ କରିବେ, ଦେଶରକ୍ଷା କରିବେ । ପ୍ରଥମ ଦୁଇଗୁଣରେ ଯୁଧିଷ୍ଠିର ଅତୁଳନୀୟ ଥିଲେ, ସେ ଧର୍ମପୁତ୍ର, ସେ ଦୟାବାନ୍ ନ୍ୟାୟପରାୟଣ, ସତ୍ୟବାଦୀ, ସତ୍ୟପ୍ରତିଜ୍ଞ, ସତ୍ୟକାମୀ ଏବଂ ପ୍ରଜାଙ୍କର ଅତୀବ ପ୍ରିୟ । ଶେଷୋକ୍ତ ଆବଶ୍ୟକ ଗୁଣରେ ତାଙ୍କର ଯେ ଅଭାବ ଥିଲା, ତାଙ୍କ ବୀର ଭ୍ରାତୃଦ୍ଵୟ ଭୀମାର୍ଜୁନ ସେହି ଅଭାବ ପୂରଣ କରିବାକୁ ସମର୍ଥ ଥିଲେ । ପଞ୍ଚପାଣ୍ଡବଙ୍କ ତୁଲ୍ୟ ପରାକ୍ରମୀ ରାଜା ବା ବୀରପୁରୁଷ ସମକାଳୀନ ଭାରତରେ କେହି ନ ଥିଲେ । ଅତଏବ ଜରାସନ୍ଧ ବଧରେ କଣ୍ଟକ ଉଦ୍ଧାର କରି ଶ୍ରୀକୃଷ୍ଣଙ୍କ ପରାମର୍ଶରେ ରାଜା ଯୁଧିଷ୍ଠିର ଦେଶର ପ୍ରାଚୀନ ପ୍ରଣାଳୀ ଅନୁସାରେ ରାଜସୂୟ ଯଜ୍ଞ କରି ଦେଶର ସମ୍ରାଟ ହେଲେ । ଶ୍ରୀକୃଷ୍ଣ ଯେପରି ଧାର୍ମିକ ସେହିପରି ରାଜନୀତିଜ୍ଞ ଥିଲେ । ଦେଶର ଧର୍ମ, ଦେଶର ପଦ୍ଧତି, ଦେଶର ସାମାଜିକ ନିୟମ ମଧ୍ୟରେ କର୍ମ କରି ଯଦି ତାଙ୍କର ମହତ୍ ଉଦ୍ଦେଶ୍ୟ ସିଦ୍ଧ ହେବାର ସମ୍ଭାବନା ଥାଆନ୍ତା, ତେବେ ସେହି ଧର୍ମର ହାନି, ସେହି ପଦ୍ଧତିର ବିରୁଦ୍ଧାଚରଣ, ସେହି ନିୟମର ବ୍ୟତିକ୍ରମ ସେ କରନ୍ତେ କାହିଁକି ? ବିନା କାରଣରେ ଏହିପରି ରାଷ୍ଟ୍ର ବିପ୍ଳବ ଓ ସମାଜ ବିପ୍ଳବ କରିବା ଦେଶ ପକ୍ଷରେ ଅହିତକର । ପ୍ରଥମେ ପୁରାତନ ପ୍ରଣାଳୀ ରକ୍ଷା କରି ଉଦ୍ଦେଶ୍ୟ ସିଦ୍ଧି ସକାଶେ ସେ ସଚେଷ୍ଟ ହେଲେ । କିନ୍ତୁ ଦେଶର ପ୍ରାଚୀନ ପ୍ରଣାଳୀରେ ଗୋଟାଏ ଦୋଷ ଥିଲା । ତହିଁରେ ଚେଷ୍ଟା ସଫଳ ହେଲେ ସୁଦ୍ଧା ସ୍ଥାୟୀ ଫଳ ଲାଭର ସମ୍ଭାବନା ଖୁବ୍ କମ୍ ଥିଲା । ଯାହାଙ୍କର ସାମରିକ ବଳ-ବୁଦ୍ଧି ଥିଲା ସେ ରାଜସୂୟ ଯଜ୍ଞ କରି ସମ୍ରାଟ୍ ହୋଇପାରୁଥିଲେ ସତ, କିନ୍ତୁ ତାଙ୍କର ବଂଶଧର କ୍ଷୀଣତେଜ ହେବା ମାତ୍ରେ ସେହି ମୁକୁଟ ତାଙ୍କ ମସ୍ତକରୁ ଆପେ ଆପେ ଖସି ପଡୁଥିଲା । ଯେଉଁ ତେଜସ୍ଵୀ ବୀରଜାତିଗଣ ତାହାଙ୍କ ପିତା ବା ପିତାମହଙ୍କର ବଶ ହୋଇଥିଲେ, ସେମାନେ ବିଜେତାର ପୁତ୍ର ବା ପୌତ୍ରର ଅଧୀନତା ସ୍ଵୀକାର କରିବେ କାହିଁକି ? ବଂଶଗତ ଅଧିକାର ନୁହେଁ, ରାଜସୂୟ ଯଜ୍ଞ ଅର୍ଥାତ୍ ଅସାଧାରଣ ବଳବୀର୍ଯ୍ୟ ସେହି ସାମ୍ରାଜ୍ୟର ମୂଳ ଥିଲା ଏବଂ ଯେଉଁମାନଙ୍କର ଅଧିକ ବଳବୀର୍ଯ୍ୟ ଥିଲା ସେମାନେ ଯଜ୍ଞ କରି ସମ୍ରାଟ୍ ହେଉଥିଲେ । ଅତଏବ ସାମ୍ରାଜ୍ୟ ସ୍ଥାୟୀ ହେବାର କୌଣସି ଆଶା ନ ଥିଲା. ଅଳ୍ପକାଳ ନିମିତ୍ତ ପ୍ରଧାନତ୍ଵ ରହିପାରୁଥିଲ । ଏହିପରି ଆଉ ଗୋଟାଏ ଦୋଷ ମଧ୍ୟ ଥିଲା । ନବ ସମ୍ରାଟର ହଠାତ୍ ବଳବୃଦ୍ଧି ଓ ପ୍ରଧାନତ୍ଵ ଲାଭରେ ଦେଶର ଅନ୍ୟାନ୍ୟ ବଲଦୃପ୍ତ ଅସହିଷ୍ଣୁ ତେଜସ୍ଵୀ କ୍ଷତ୍ରିୟଗଣଙ୍କ ହୃଦୟରେ ଇର୍ଷ୍ୟାବହ୍ନି ପ୍ରଜ୍ଜ୍ଵଳିତ ହେଉଥିଲା , - ଏମାନେ ପ୍ରଧାନ ହେବେ କାହିଁକି, ଆମ୍ଭେମାନେ ହେବୁ ନାହିଁ କାହିଁକି - ଏହି ବିଚାର ସହଜରେ ମନ ମଧ୍ୟରେ ଉଠିବାର ସମ୍ଭାବନା ଥିଲା । ଯୁଧିଷ୍ଟିରଙ୍କ ନିଜକୁଳର କ୍ଷତ୍ରିୟଗଣ ଏହି ଇର୍ଷାରେ ତାଙ୍କର ବିରୁଦ୍ଧାଚାରୀ ହୋଇଥିଲେ, ତାଙ୍କ ପିତୃବ୍ୟଙ୍କର ସନ୍ତାନଗଣ ଏହି ଇର୍ଷାରେ ବଶବର୍ତ୍ତୀ ହୋଇ କୌଶଳରେ ତାଙ୍କୁ ପଦଚ୍ୟୁତ ଓ ନିର୍ବାସିତ କରିଥିଲେ ଦ୍ଵେଷଜନିତ ପ୍ରଣାଳୀର ଦୋଷ ଅଳ୍ପ ଦିନରେ ବ୍ୟକ୍ତ ହୋଇଥିଲା । ଶ୍ରୀକୃଷ୍ଣ ଯେପରି ଧାର୍ମିକ ସେହିପରି ରାଜନୀତିବିତ୍ । ସେ କେତେବେଳେ ହେଲେ ଦୋଷମୁକ୍ତ, ଅହିତକର ବା ସମୟର ଅନୁପଯୋଗୀ ପ୍ରଣାଳୀ ବା ଉପାୟ ବା ନିୟମ ବଦଳାଇବାକୁ ପଶ୍ଚାତ୍ପଦ ହେଉ ନ ଥିଲେ । ସେ ତାଙ୍କ ଯୁଗର ଶ୍ରେଷ୍ଠ ବିପ୍ଳବକାରୀ ଥିଲେ । ରାଜା ଭୂରିଶ୍ରବା ଶ୍ରୀକୃଷ୍ଣଙ୍କୁ ଭର୍ତ୍ସନା କରିବା ସମୟରେ ସମକାଳୀନ ପୁରାତନ ମତର ଅନେକ ଭାରତବାସୀଙ୍କର ଆକ୍ରୋଶ ବ୍ୟକ୍ତକରି କହିଥିଲେ, " କୃଷ୍ଣ ଓ କୃଷ୍ଣଚାଳିତ ଯାଦବ କୁଳ ଧର୍ମର ବିରୁଦ୍ଧାଚରଣ ବା ଧର୍ମକୁ ବିକୃତ କରିବାକୁ କେବେ ବି କୁଣ୍ଠିତ ହେଉ ନ ଥିଲେ, ଯେ କୃଷ୍ଣଙ୍କର ପରାମର୍ଶରେ କାର୍ଯ୍ୟ କରିବ, ସେ ଅବିଳମ୍ବେ ପାପରେ ଡୁବିଯିବେ ।" କାହିଁକି ନା ପୁରାତନ ରୀତିରେ ଆସକ୍ତ ଜନଙ୍କ ବିଚାରରେ ନୂତନ ପ୍ରୟାସହିଁ ପାପ । ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ପତନରୁ ବୁଝିଲେ, - ବୁଝିଲେ କାହିଁକି , ସେ'ତ ଭଗବାନ୍ , ପୂର୍ବେହିଁ ଜାଣିଥିଲେ - ଦ୍ଵାପର ଯୁଗର ଉପଯୋଗୀ ପ୍ରଥା କଳିରେ କେବେ ବି ରକ୍ଷଣୀୟ ନୁହେଁ । ଅତଏବ ସେ ଆଉ ସେପରି ଚେଷ୍ଟା କଲେ ନାହିଁ, କଳିର ଉଚିତ ଭେଦ-ଦଣ୍ଡ-ପ୍ରଧାନ ରାଜନୀତି ଅନୁସରଣ କରି, ଗର୍ବୀ, ଦୃପ୍ତ କ୍ଷତ୍ରିୟ ଜାତିର ବଳନାଶରେ ଭାବୀ ସାମ୍ରାଜ୍ୟକୁ ନିଷ୍କଣ୍ଟକ କରିବାକୁ ସଚେଷ୍ଟ ହେଲେ । ସେ କୁରୁକୁଳର ପୁରାତନ ସମକ୍ଷକ ଶତ୍ରୁ ପାଞ୍ଚାଳ ଜାତିକୁ କୁରୁବଂଶ ଧ୍ଵଂସରେ ପ୍ରବୃତ୍ତ କରାଇଲେ । ଯେତେ ଜାତି କୁରୁମାନଙ୍କ ବିଦ୍ଵେଷରେ ବା ଯୁଧିଷ୍ଠିରଙ୍କ ପ୍ରେମ ବା ଧର୍ମରାଜ୍ୟ ଓ ଏକତ୍ଵ ସ୍ଥାପନର ଇଚ୍ଛାରେ ଆକୃଷ୍ଟ ହୋଇପାରନ୍ତି, ସେହି ସକଳଙ୍କୁ ପାଣ୍ଡବଙ୍କ ସପକ୍ଷରେ ଆକର୍ଷଣ କଲେ ଏବଂ ଯୁଦ୍ଧର ଉଦ୍ଯୋଗ କରାଇଲେ । ଯେଉଁ ସନ୍ଧିର ଚେଷ୍ଟା ହେଲା, ସେଥିରେ ଶ୍ରୀକୃଷ୍ଣଙ୍କର ଆସ୍ଥା ନ ଥିଲା । ସେ ଜାଣିଥିଲେ ଯେ ସନ୍ଧିର କୌଣସି ସମ୍ଭାବନା ନାହିଁ, ତଥାପି ଧର୍ମ ସକାଶେ, ରାଜନୀତି ସକାଶେ ସେ ସନ୍ଧିଚେଷ୍ଟାରେ ପ୍ରବୃତ୍ତ ହେଲେ । ଏ ବିଷୟରେ କୌଣସି ସନ୍ଦେହ ନାହିଁ ଯେ କୁରୁକ୍ଷେତ୍ର ଯୁଦ୍ଧ ଶ୍ରୀକୃଷ୍ଣଙ୍କ ରାଜନୀତିର ଫଳ, କୁରୁଧ୍ଵସଂ, କ୍ଷତ୍ରିୟଧ୍ଵସଂ, ନିଷ୍କଣ୍ଟକ ସାମ୍ରାଜ୍ୟ ଓ ଭାରତର ଏକତ୍ଵ ସ୍ଥାପନ ତାଙ୍କର ଉଦ୍ଦେଶ୍ୟ । ଧର୍ମରାଜ୍ୟ ସ୍ଥାପନ ନିମିତ୍ତ ଯେଉଁ ଯୁଦ୍ଧ ତାହାହିଁ ଧର୍ମଯୁଦ୍ଧ, ସେହି ଧର୍ମଯୁଦ୍ଧର ଇଶ୍ଵରନିର୍ଦିଷ୍ଟ ବିଜେତା, ଦିବ୍ୟ-ଶକ୍ତିଙ୍କ ଦ୍ଵାରା ଚାଳିତ ମହାରଥୀ ହେଲେ ଅର୍ଜୁନ । ସେହି ଅର୍ଜୁନ ଅସ୍ତ୍ର ତ୍ୟାଗ କଲେ ଶ୍ରୀକୃଷ୍ଣଙ୍କ ରାଜନୀତିକ ପରିଶ୍ରମ ବ୍ୟର୍ଥ ହୋଇଥା'ନ୍ତା, ଭାରତର ଏକତ୍ଵ ସାଧିତ ହୋଇପାରି ନ ଥା'ନ୍ତା, ଦେଶର ଭବିଷ୍ୟତ ଅବିଳମ୍ବେ ଅନ୍ଧକାରମୟ ହୋଇଥା'ନ୍ତା ।

No comments: