About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday, 13 June 2007

ଗୀତାର ଭୂମିକା......

ଅବସ୍ଥା :-

ମନୁଷ୍ୟର ପ୍ରତ୍ୟକ କାର୍ଯ୍ୟ ଓ କଥାର ଉଦ୍ଦେଶ ଏବଂ କାରଣ ପୂର୍ଣ୍ଣରୂପେ ବୁଝିବାକୁ ହେଲେ କେଉଁ ଅବସ୍ଥାରେ ସେହି କାର୍ଯ୍ୟ କରାହୋଇଛି ବା ସେହି କଥା କୁହାଯାଇଛି, ତାହା ଜାଣିବାକୁ ଆବଶ୍ୟକ । କୁରୁକ୍ଷେତ୍ର ମହାଯୁଦ୍ଧର ପ୍ରାରମ୍ଭକାଳରେ , ଯେତେବେଳେ ଅସ୍ତ୍ରପ୍ରୟୋଗ ଆରମ୍ଭ ହୋଇଛି - "ପ୍ରବୃତ୍ତେ ଶସ୍ତ୍ରସମ୍ପାତେ" - ସେହି ସମୟରେ ଭଗବାନ୍ ଗୀତା ପ୍ରକାଶ କରିଛନ୍ତି । ଏଥିରେ ବହୁଲୋକ ବିସ୍ମିତ ଓ ବିରକ୍ତ ହୁଅନ୍ତି । ସେମାନେ କୁହନ୍ତି ଏହା ନିଶ୍ଚୟ କବିଙ୍କ ଅସାବଧନତା ବା ବୁଦ୍ଧିର ଦୋଷ । କିନ୍ତୁ ବାସ୍ତବରେ ସେହି ସମୟରେ ସେହି ସ୍ଥାନରେ ସେହିପରି ଭାବାପନ୍ନ ପାତ୍ରକୁ ଦେଶ-କାଳ-ପାତ୍ର ବିବେଚନା କରି ଶ୍ରୀକୃଷ୍ଣ ଗୀତୋକ୍ତି ଜ୍ଞାନ ପ୍ରକାଶ କରିଛନ୍ତି । ସମୟ, ଯୁଦ୍ଧ ପ୍ରାରମ୍ଭ କାଳ। ଯେଉଁମାନେ ପ୍ରବଳ କର୍ମସ୍ରୋତରେ ନିଜର ବୀରତ୍ଵ ଓ ଶକିତ୍ ବିକାଶ କରିନାହାନ୍ତି ସେମାନେ କଦାପି ଗୀତୋକ୍ତ ଜ୍ଞାନର ଅଧିକାରୀ ହୋଇପାରନ୍ତି ନାହିଁ । ଉପରନ୍ତୁ ଯେଉଁମାନେ କଠିନ ମହାବ୍ରତ ଆରମ୍ଭ କରିଛନ୍ତି, ଯେଉଁ ମହାବ୍ରତରେ ବହୁତ ବାଧାବିଘ୍ନ, ବହୁତ ଶତ୍ରୁ ବୃଦ୍ଧି, ବହୁତ ପରାଜୟ ଆଶଙ୍କା ସ୍ଵଭାବତଃ ରହିଛି, ସେହି ମହାବ୍ରତର ଆଚରଣରେ ଯେବେ ଦିବ୍ୟଶକ୍ତି ଜନ୍ମ ଲାଭ କରିଛନ୍ତି, ତେବେ ତାହାର ଚରମ ଉଦ୍ଦୀପନାର୍ଥେ, ଭଗବାନଙ୍କ କାର୍ଯ୍ୟସିଦ୍ଧି ଅର୍ଥରେ ଏହି ଗୀତୋକ୍ତ ଜ୍ଞାନ ପ୍ରକଟ ହୁଏ । ଗୀତା କର୍ମଯୋଗକୁ ଭଗବତ୍ -ଲାଭର ଶ୍ରେଷ୍ଠ ଉପାୟ ବୋଲି ବିହିତ କରିଛି, ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ କର୍ମରୁହିଁ ଜ୍ଞାନ ଉତ୍ପନ୍ନ ହୁଏ ବୋଲି ନିର୍ଦ୍ଦେଶ କରିଛି, ଅତଏବ ଗୀତୋକ୍ତ ମାର୍ଗର ପଥିକ ପଥତ୍ୟାଗ କରି ଦୂରସ୍ଥ ଶାନ୍ତିମୟ ଆଶ୍ରମରେ, ପର୍ବତରେ ବା ନିର୍ଜନ ସ୍ଥାନରେ ଭଗବାନଙ୍କ ସାକ୍ଷାତ ଲାଭ କରିନ୍ତି ନାହିଁ, ପଥ ମଧ୍ୟରେହିଁ କର୍ମର କୋଳାହଳ ମଧ୍ୟରେ ଅକସ୍ମାତ୍ ସେହି ସ୍ଵର୍ଗୀୟ ଦୀପ୍ତି ଜଗତକୁ ଆଲୋକିତ କରେ, ସେହି ମଧୁର ତେଜୋମୟୀ ବାଣୀ କର୍ଣ୍ଣକୁହରରେ ପ୍ରବେଶ କରେ । ସ୍ଥାନ : - କୁରୁକ୍ଷେତ୍ର-ସୈନ୍ୟଦ୍ଵୟର ମଧ୍ୟସ୍ଥଳ, ଶସ୍ତ୍ରପାତ ଆସନ୍ନ । ଯେଉଁମାନେ ଏହି ପଥର ପଥିକ, ଏହିପରି କର୍ମର ଅଗ୍ରନୀ ପ୍ରାୟହିଁ କୌଣସି ଗୁରୁତର ସଂକଟମୟ ସମୟରେ କର୍ମୀର କର୍ମାନୁସାରେ ଅଦୃଷ୍ଟର ଗତି ଏପାଖ ବା ସେପାଖ ଚାଳିତ ହୁଏ, ସେତେବେଳେହିଁ ଅକସ୍ମାତ୍ ତାଙ୍କର ଯୋଗ-ସିଦ୍ଧି ଓ ପରମ ଜ୍ଞାନ ଲବ୍ଧ ହୁଏ । ତାଙ୍କ ଜ୍ଞାନ କର୍ମରୋଧକ ନୁହେଁ, କର୍ମ ସହିତ ସଂଶ୍ଳିଷ୍ଟ । ଏହା ବି ସତ୍ୟ ଯେ ଧ୍ୟାନରେ, ନିର୍ଜନରେ ସ୍ଵସ୍ଥ ଆତ୍ମା ମଧ୍ୟରେ ଜ୍ଞାନ ଉନ୍ମୀଳିତ ହୁଏ, ସେହି ସକାଶେ ମନୀଷିଗଣ ନିର୍ଜନରେ ରହିବାକୁ ଭଲପାଆନ୍ତି । କିନ୍ତୁ ଗୀତୋକ୍ତ ଯୋଗର ପଥିକ ମନ-ପ୍ରାଣ-ଦେହରୁ ଏପରି ବିଭକ୍ତ କରିପାରନ୍ତି ଯେ ସେ ଜନତା ମଧ୍ୟରେ ନିର୍ଜନତା, କୋଳାହଳ ମଧ୍ୟରେ ଶାନ୍ତି, ଘୋର କର୍ମ ପ୍ରବୃତ୍ତି ମଧ୍ୟରେ ପରମ ନିବୃତ୍ତି ଅନୁଭବ କରନ୍ତି । ସେ ଅନ୍ତରକୁ କୁ ବାହ୍ୟ ଦ୍ଵାରା ନିୟନ୍ତ୍ରଣ କରନ୍ତି ନାହିଁ, ବରଂ ବାହ୍ୟକୁ ଅନ୍ତର ଦ୍ଵାରା ନିୟନ୍ତ୍ରିତ କରନ୍ତି । ସାଧାରଣ ଯୋଗୀ ସଂସାରକୁ ଭୟ କରନ୍ତି, ପଳାୟନ କରି ଯୋଗାଶ୍ରମରେ ଶରଣ ନେଇ ଯୋଗସାଧାନାରେ ପ୍ରବୃତ୍ତ ହୁଅନ୍ତି । କର୍ମଯୋଗୀର ଯୋଗାଶ୍ରମ ହେଲା ସଂସାର । ସାଧାରନ ଯୋଗୀ ବାହ୍ୟ ଶାନ୍ତି ଓ ନୀରବତା ଆଭିଳାଷ କରନ୍ତି, ଶାନ୍ତି ଭଙ୍ଗରେ ତାଙ୍କର ତପୋଭଙ୍ଗ ହୁଏ । କର୍ମଯୋଗୀ ଅନ୍ତରରେ ବିଶାଳ ଶାନ୍ତି ଓ ନୀରବତା ଭୋଗ କରନ୍ତି, ବାହ୍ୟ କୋଳାହଳରେ ସେହି ଅବସ୍ଥା ଗଭୀର ହୁଏ, ବାହ୍ୟ ତପୋଭଙ୍ଗରେ ସେହି ସ୍ଥିର ଆନ୍ତର ତପସ୍ୟା ଭଗ୍ନ ହୁଏ ନାହିଁ , ଅବିଚଳିତ ରହେ । ଲୋକେ କହନ୍ତି ସମରୋଦ୍ୟତ ସୈନ୍ୟ ଦ୍ଵୟର ମଧ୍ୟରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ କିପରି ସମ୍ଭବପର ହୁଏ ? ଉତ୍ତର: ଯୋଗ-ପ୍ରଭାବରେ ସମ୍ଭବପର ହୁଏ । ସେହି ଯୋଗବଳରେ ଯୁଦ୍ଧ-କୋଳାହଳର ମଧ୍ୟଭାଗରେ ଏକ ସ୍ଥାନରେ ଶୀକୃଷ୍ଣ ଓ ଅର୍ଜୁନଙ୍କ ଅନ୍ତରରେ ଓ ବାହ୍ୟରେ ଶାନ୍ତି ବିରାଜ କଲା; ଯୁଦ୍ଧର କୋଳାହଳ ଦୁଇଜଣଙ୍କୁ ସ୍ପର୍ଶ କରିପାରିଲା ନାହିଁ । ଏଥିରେ କର୍ମୋପଯୋଗୀ ଆହୁରି ଗୋଟିଏ ଆଧ୍ୟାତ୍ମିକ ଶିକ୍ଷା ନିହିତ ଅଛି । ଯେଉଁମାନେ ଗୀତୋକ୍ତ ଯୋଗ ଅନୁଶୀଳନ କରନ୍ତି, ସେମାନେ ଶ୍ରେଷ୍ଠ କର୍ମୀ ଅଥଚ କର୍ମରେ ଅନାସକ୍ତ । କର୍ମର ମଧ୍ୟରେହିଁ ଆତ୍ମାର ଆନ୍ତରିକ ଆହ୍ଵାନ ଶ୍ରବଣ କରି, ସେମାନେ କର୍ମରୁ ବିରତ ହୋଇ ଯୋଗମଗ୍ନ ଓ ତପସ୍ୟାରତ ହୁଅନ୍ତି । ସେମାନେ ଜାଣନ୍ତି ଯେ କର୍ମ ଭଗବାନଙ୍କର, କର୍ମଫଳହିଁ ଭଗବାନଙ୍କର, ଆମ୍ଭେମାନେ ଯନ୍ତ୍ରମାତ୍ର; ଅତଏବ ସେମାନେ କର୍ମଫଳ ନିମିତ୍ତ ଉତ୍କଣ୍ଠିତ ହୁଅନ୍ତି ନାହିଁ । ସେମାନେ ଏହା ବି ଜାଣନ୍ତି ଯେ କର୍ମ ଯୋଗର ସୁବିଧା ସକାଶେ, କର୍ମର ଉନ୍ନତି ସକାସେ, ଜ୍ଞାନବୃଦ୍ଧି ଓ ଶକ୍ତିବୃଦ୍ଧି ସକାଶେ ସେହି ଆହ୍ଵାନ ଆସେ । ଅତଏବ କର୍ମରୁ ବିରତ ହେବାକୁ ଭୟ କରନ୍ତି ନାହିଁ, ସେମାନେ ଜାଣନ୍ତି ଯେ ତପସ୍ୟାରେ କଦାପି ବୃଥା କାଳକ୍ଷେପ ହୋଇପାରେ ନାହିଁ । ପାତ୍ରଙ୍କ ଭାବ, କର୍ମଯୋଗୀଙ୍କର ଚରମ ସଂଶୟର ଉଦ୍ରେକ । ବିଶ୍ଵ ସମସ୍ୟା, ସୁଖଦୁଃଖ-ସମସ୍ୟା, ପାପପୂଣ୍ୟ-ସମସ୍ୟାରେ ବିବ୍ରତ ହୋଇ ବହୁତ ଲୋକ ପଳାୟନକୁ ଶ୍ରେୟସ୍କର ବୋଲି କହି ନିବୃତ୍ତି, ବୈରାଗ୍ୟ ଓ କର୍ମତ୍ୟାଗର ପ୍ରଶଂସା ଘୋଷଣା କରନ୍ତି । ବୁଦ୍ଧଦେବ ଜଗତକୁ ଅନିତ୍ୟ ଓ ଦୁଃଖମୟ ବୁଝାଇ, ନିର୍ବାଣ-ପ୍ରାପ୍ତିର ପଥ ଦେଖାଛନ୍ତି । ଯୀଶୁ, ଟଲଷ୍ଟୟ ପ୍ରଭୃତି ମାନବଜାତିର ବଂଶରକ୍ଷାର୍ଥେ, ବିବାହପଦ୍ଧତି ପ୍ରଥା ଏବଂ ଜଗତର ଯୁଦ୍ଧାରୂପ ଚିରନ୍ତନ ପ୍ରଥାର ଘୋର ବିରୋଧୀ । ସନ୍ୟାସୀମାନେ କହନ୍ତି, କର୍ମହିଁ ଅଜ୍ଞାନ-ସୃଷ୍ଟ, ଅଜ୍ଞାନ ବର୍ଜନୀୟ, କର୍ମବର୍ଜନ କର, ଶାନ୍ତ ନିଷ୍କ୍ରିୟ ହୁଅ । ଅଦୈତ୍ୟବାଦୀମାନେ କହନ୍ତି ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା, ଅତଏବ ବ୍ରହ୍ମରେ ବିଲୀନ ହୁଅ । ତେବେ ଏହି ଜଗତ କେଉଁ ସକାଶେ ? ଏଇ ସଂସାର କେଉଁ ସକାଶେ ? ଭଗବାନ ଯଦି ଥା'ନ୍ତି, ତେବେ ସେ ଅବାଧ ବାଳକତୁଲ୍ୟ ଏହି ବୃଥା ପଣ୍ଡଶ୍ରମ, ଏହି ନୀରସ ଉପହାସ କାହିଁକି ଆରମ୍ଭ କରିଛନ୍ତି ? ଆତ୍ମା ଯଦି ଥାଏ, ଏବଂ ଜଗତ ଯଦି ମୟା ହୁଏ, ତେବେ ଅଧ୍ୟାରୋପ କରିଛନ୍ତି ? ନାସ୍ତିକଗଣ କହନ୍ତି, ଭଗବାନ୍ ନାହିଁ, ଆତ୍ମା ବି ନାହିଁ । ମାତ୍ର ଅଛି କେବଳ ଅନ୍ଧଶକ୍ତିର ଅନ୍ଧକ୍ରିୟା, ତାହା ତେବେ କିପରି ? ଶକ୍ତି କାହାର ? କେଉଁଠାରୁ ସୃଷ୍ଟି ହେଲା ? କାହିଁକି ତାହା ଅନ୍ଧ ଓ ଉନ୍ମତ୍ତ ? ଏହି ସକଳ ପ୍ରଶ୍ନର ସନ୍ତୋଷଜନକ ମୀମାଂସା କେହି ବି କରିପାରି ନାହାନ୍ତି । ନା ଖ୍ରୀଷ୍ଟାନ୍ , ନା ବୌଦ୍ଧ ନା ଅଦୈତବାଦୀ, ନା ନାସ୍ତିକ, ନା ବୈଜ୍ଞାନିକ; ସକଳେହିଁ ଏହି ବିଷୟରେ ନିରୁତ୍ତର, ଅଥଚ ସମସ୍ୟାକୁ ବାଦଦେଇ ଫାଙ୍କିଦେବାକୁ ସଚେଷ୍ଟ । ଏକମାତ୍ର ଉପନିଷଦ୍ ଓ ତାହାର ଅନୁକୂଳ ଗୀତ ଏପରି ଭୁରୁଡେଇ ଦେବାକୁ ଅନିଚ୍ଛୁକ । ସେହି ସକାଶେ କୁରୁକ୍ଷେତ୍ର-ଯୁଦ୍ଧରେ ଗୀତା କଥିତ ହୋଇଛି । ଘୋର ସଂସାରିକ କର୍ମ, ଗୁରୁହତ୍ୟା, ଭାତୃହତ୍ୟା, ଆତ୍ମୀୟହତ୍ୟା ଯାହାର ଉଦ୍ଦେଶ ; ଯେହି ଅଯୁତପ୍ରାଣୀସଂହାରକ ଯୁଦ୍ଧର ପ୍ରାରମ୍ଭରେ ଅର୍ଜୁନ ହତବୁଦ୍ଧି ହୋଇ, ଗାଣ୍ଡୀବ ହାତରୁ ପକାଇ ଦେଇ କାତର ସ୍ଵରରେ କହୁଛନ୍ତି : (ସଂସ୍କୃତ ଶ୍ଳୋକ ପଙକ୍ତି .... ଓଡିଆ ଭାଷାନୁବାଦ) ହେ କେଶବ, " କାହିଁକି ମୋତେ ଏହି ଘୋର କର୍ମରେ ନିଯୁକ୍ତି କରୁଛ ? " ଉତ୍ତରରେ ସେହି ଯୁଦ୍ଧ କୋଳାହଳ ମଧ୍ୟରେ ବଜ୍ରଗମ୍ଭୀର ସ୍ଵରରେ ଭଗବତ୍ ମୁଖନିଃସ୍ରୁତ ମହାଗୀତ ଉଠିଛି : (ସଂସ୍କୃତ ଶ୍ଳୋକ ପଙକ୍ତିର ଓଡିଆ ଭାଷାନୁବାଦ)" ଅତଏବ ତୁମେ କର୍ମ କରୁଥାଅ, ତୁମର ପୂର୍ବ ପୁରୁଷମାନେ ଯେଉଁ କର୍ମ କରିଆସୁଛନ୍ତି ତୁମକୁ ବି ସେହି କର୍ମ କରିବାକୁ ହେବ । ... ଯୋଗସ୍ଥ ଅବସ୍ଥାରେ ଆସକ୍ତି ପରିତ୍ୟାଗପୂର୍ବକ କର୍ମ କର । .... ଯାହାର ବୁଦ୍ଧି ଯୋଗସ୍ଥ ସେ ଏହି ପାର୍ଥିବ କର୍ମକ୍ଷେତ୍ରରେହିଁ ପାପପୂଣ୍ୟ ଅତିକ୍ରମ କରନ୍ତି, ଅତଏବ ଯୋଗସାଧନା କର, ଯୋଗହିଁ ଶ୍ରେଷ୍ଠ କର୍ମସାଧନ । .... ମନୁଷ୍ୟ ଯଦି ଅନାସକ୍ତ ଭାବରେ କର୍ମ କରେ ସେ ନିଶ୍ଚୟହିଁ ପରମ ଭଗବାନଙ୍କୁ ଲାଭ କରିବ । .... ଜ୍ଞାନପୂର୍ଣ୍ଣ ହୃଦୟରେ ମୋ ଉପରେ ତୁମର ସକଳ କର୍ମ ନ୍ୟସ୍ତ କର, କାମନା ପରିତ୍ୟାଗ ଦ୍ଵାରା ଓ ଅହଂକାର ପରିତ୍ୟାଗ ଦ୍ଵାରା ଦୁଃଖ ରହିତ ହୋଇ ଯୁଦ୍ଧରେ ପ୍ରବୃତ୍ତ ହୁଅ । ... ଯେ ମୁକ୍ତ, ଯେ ଆସକ୍ତିହୀନ, ଯାହାଙ୍କର ଚିତ୍ତ ସର୍ବଦା ଜ୍ଞାନରେ ବାସ କରେ, ଯେ ଯଜ୍ଞାର୍ଥେ କର୍ମ କରନ୍ତି, ତାଙ୍କର କର୍ମ ବନ୍ଧନର କାରଣ ନ ହୋଇ ସେତେବେଳେହିଁ ତାହା ମୋ ମଧ୍ୟରେ ସଂପୂର୍ଣ୍ଣ ବିଲୀନ ହୁଏ । .... ସର୍ବ ପ୍ରାଣୀଙ୍କ ଆନ୍ତର ଜ୍ଞାନ ବାହ୍ୟଜ୍ଞାନ ଦ୍ଵାରା ଆବୃତ, ସେହି ସକାଶେ ସେମାନେ ସୁଖ-ଦୁଃଖ, ପାପ-ପୂଣ୍ୟ ଇତ୍ୟାଦି ଦ୍ଵନ୍ଦ ସୃଷ୍ଟି କରି ମୋହରେ ପତିତ ହୁଅନ୍ତି । ... ମୋତେ ସର୍ବଲୋକର ମହେଶ୍ଵର, ଯଜ୍ଞ , ତପସ୍ୟା ପ୍ରଭୃତି ସର୍ବବିଧ କର୍ମର ଭୋକ୍ତା ଏବଂ ସର୍ବଭୂତର ସଖା ଓ ବନ୍ଧୁ ବୋଲି ଜାଣିଲେ ପରମ ଶାନ୍ତି ଲାଭ ହୁଏ । ... ମୁଁ ହିଁ ତୁମର ଶତ୍ରୁ ଗଣନ୍ଗ୍କୁ ବଧ କରିଛି, ତୁମେ ଯନ୍ତ୍ର ହୋଇ ସେମାନଙ୍କୁ ସଂହାର କର, ଦୁଃଖିତ ହୁଅନା, ଯୁଦ୍ଧରେ ପ୍ରବୃତ୍ତ ହୁଅ, ବିପକ୍ଷକୁ ରଣରେ ଜୟ କରିବ । .... ଯାହାଙ୍କ ଅନ୍ତଃକରଣ ଅଜ୍ଞାନଶୂନ୍ୟ, ଯାହାଙ୍କ ବୁଦ୍ଧି ନିର୍ଲିପ୍ତ, ସେ ଯଦି ସମସ୍ତ ଜଗତକୁ ସଂହାର କରନ୍ତି, ତଥାପି ସେ ହତ୍ୟା କରନ୍ତି ନାହିଁ, ତାଙ୍କର ପାପରୂପ କୌଣସି ବନ୍ଧନ ହୁଏ ନାହିଁ । " ପ୍ରଶ୍ନ ଏଡାଇବାର, ଫାଙ୍କି ଦେବାର କୌଣସି ଲକ୍ଷଣ ନାହିଁ । ପ୍ରଶ୍ନଟି ପରିଷ୍କାର ଭାବରେ ଉତ୍ଥାପନ କରାହେଲା । ଭଗବାନ୍ କ'ଣ, ଜଗତ କ'ଣ, ଧର୍ମ କ'ଣ, ଗୀତାରେ ଏହିସବୁ ପ୍ରଶ୍ନର ଉତ୍ତର ସଂକ୍ଷେପରେ ଦିଆହୋଇଛି । ଅଥଚ ସନ୍ୟାସ ଶିକ୍ଷା ନୁହେଁ, କର୍ମଶିକ୍ ଷାହିଁ ଗୀତାର ଉଦ୍ଦେଶ । ଏଥିରେହିଁ ଗୀତାର ସାର୍ବଜନୀନ ଉପଯୋଗିତା । ---ପ୍ରସ୍ତାବନା .... ସମାପ୍ତ --- ---ପ୍ରଥମ ଅଧ୍ୟାୟ---ଧୃତରାଷ୍ଟ୍ର କହିଲେ : ହେ ସଞ୍ଜୟ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଆମ୍ଭ ପକ୍ଷ ଓ ପାଣ୍ଡବ ପକ୍ଷ ସମବେତ ହୋଇ କ'ଣ କଲେ ? ସଞ୍ଜୟ କହିଲେ : ସେତେବେଳେ ରାଜା ଦୁର୍ଯ୍ୟୋଧନ ବ୍ୟୁହ ରଚନାଯୁକ୍ତ ପାଣ୍ଡବସେନାଙ୍କୁ ଦେଖି ଆଚାର୍ଯ୍ୟଙ୍କ ପାଖରେ ଉପସ୍ଥିତ ହୋଇ ଏହି କଥା କହିଲେ : " ଦେଖନ୍ତୁ ଆଚାର୍ଯ୍ୟ, ଆପଣଙ୍କ ଶିଷ୍ୟ ଦ୍ରୁପଦତନୟ ଧୃଢ୍ଟଦ୍ୟୁମ୍ନ ଦ୍ଵାରା ରଚିତ ବ୍ୟୁହବଦ୍ଧ ମହତୀ ପାଣ୍ଡବ ସେନା ଦେଖନ୍ତୁ । ଏହି ବିରାଟ ସେନାରେ ଭୀମ ଓ ଅର୍ଜୁନ ତୁଲ୍ୟ ମହାଧନୁର୍ଦ୍ଧର ବୀରପୁରୁଷ ଅଛନ୍ତି - ଯୁଯୁଧାନ, ବିରାଟ ଓ ମହାରଥୀ ଦ୍ରୁପଦ, ଧୃଷ୍ଟକେତୁ, ଚେକିତାନ ଓ ମହାପ୍ରତାପୀ କାଶିରାଜ, ପୁରୁଜିତ, କୁନ୍ତିଭୋଜ ଓ ନରପୁଙ୍ଗବଶୈବ୍ୟ । ବିକ୍ରମଶାଳୀ ଯୁଧାମନ୍ୟୁ, ଓ ପ୍ରତାପବାନ୍ ଉତ୍ତମୌଜା, ସୁଭଦ୍ରା ତନୟ ଅଭିମନ୍ୟୁ ଓ ଦ୍ରୗପଦୀପୁତ୍ରଗଣ ପ୍ରଭୃତି ସକଳେହିଁ ମହାଯୋଦ୍ଧା ଅଛନ୍ତି । ଆମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅସାଧାରଣ ଶକ୍ତିସମ୍ପନ୍ନ, ଯେଉଁମାନେ ଆମ୍ଭ ସୈନ୍ୟର ନେତା, ସେମାନଙ୍କ ନାମ ଆପଣଙ୍କ ସ୍ମରଣାର୍ଥେ କହୁଛି, ଲକ୍ଷ୍ୟ କରନ୍ତୁ । ... ଆପଣ, ଭୀଷ୍ମ, କର୍ଣ୍ଣ ଓ ସମରବିଜୟୀ କୃପ, ଅଶ୍ଵତ୍ଥାମା, ବିକର୍ଣ୍ଣ ସୋମଦତ୍ତନୟ ଭୂରିଶ୍ରବା ଏବଂ ଜୟଦ୍ରଥ । ଏବଂ ଅନ୍ୟ ବହୁତ ବୀରପୁରୁଷ ମୋ ସକାଶେ ପ୍ରାଣର ମମତାକୁ ତ୍ୟାଗ କରିଛନ୍ତି, ସେମାନେ ସମସ୍ତେହିଁ ଯୁଦ୍ଧବିଶାରଦ ଓ ନାନାବିଧ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ଆମ୍ଭମାନଙ୍କ ଏହି ସୈନ୍ୟବଳ ଏକେତ ଅପରିମିତ, ପୁରୁଷ ଭୀଷ୍ମ ଆମ୍ଭମାନଙ୍କର ରକ୍ଷାକର୍ତ୍ତା; ସେମାନଙ୍କର ସେହି ସୈନ୍ୟ ପରିମିତ ଏବଂ ରକ୍ଷା ପାଇବାର ଆଶ୍ରୟସ୍ଥଳ ହେଉଛନ୍ତି ଭୀମ ! ଅତଏବ ଯୁଦ୍ଧର ଯେତେ ପ୍ରବେଶସ୍ଥଳ ଅଛି, ଆପଣମାନେ ସ୍ଵ ସ୍ଵ ନିର୍ଦିଷ୍ଟ ସୈନ୍ୟ ଭାଗରେ ଅବସ୍ଥାନ କରି ସକଳେ ଭୀଷ୍ମଙ୍କୁ ରକ୍ଷା କରନ୍ତୁ । " ଦୂର୍ଯ୍ୟୋଧନର ପ୍ରାଣରେ ହର୍ଷୋଦ୍ରେକ କରି କୁରୁବୃଦ୍ଧ ପିତାମହ ଉଚ୍ଚ ସିଂହାନାଦରେ ରଣସ୍ଥଳ ଧ୍ଵନିତ କରି ମହାପ୍ରତାପଭରେ ଶଙ୍ଖନିନାଦ କଲେ । ସେତେବେଲେ ଶଙ୍ଖ, ଭେରୀ, ପଣବ ଓ ପଟଇ ଓ ଗୋମୁଖୀ ବାଦ୍ୟ ହଠାତ୍ ବାଦିତ ହେଲା ଏବଂ ରଣସ୍ଥଳ ଉଚ୍ଚ ଶବ୍ଦସଙ୍କୁଳ ହେଲା । ଅନ୍ତରର ଶ୍ଵେତାଯୁକ୍ତ ବିଶାଳ ରଥରେ ଦଣ୍ଡାୟମାନ ମାଧବ ଓ ପାଣ୍ଡୁପୁତ୍ର ଅର୍ଜୁନ ଦିବ୍ୟଶଙ୍ଖଦ୍ଵୟ ବଜାଇଲେ । ହୃଷୀକେଶ ପାଞ୍ଚଜନ୍ୟ, ଧନଞ୍ଜୟ, ଦେବଦତ୍ତ, ଭୀମକର୍ମା, ବୃକୋଦର ପୌଣ୍ଡ୍ର ନାମକ ମହାଶଙ୍ଖ ବଜାଇଲେ । କୁନ୍ତିପୁତ୍ର ରାଜା ଯୁଧିଷ୍ଠିର ଅନନ୍ତବିଜୟ ଶଙ୍ଖ ଏବଂ ନକୁଳ ସହଦେବ ସୁଗ୍ହଷ ଓ ମଣିପୁଷ୍ପକ ଶଙ୍ଖ ବଜାଇଲେ । ପରମ ଧନୁର୍ଦ୍ଧର କାଶିରାଜ, ମହାରଥୀ ଶ୍ରୀଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ଅପରାଜିତ ଯୋଦ୍ଧା ସାତ୍ୟକି, ଦ୍ରୁପଦ , ଦ୍ରୗପଦୀଙ୍କ ପୁତ୍ରଗଣ , ମହାବାହୁ, ସୁଭଦ୍ରା ତନୟ, ସକଳେହିଁ ଚରିଦିଗରୁ ନିଜ ନିଜ ଶଙ୍ଖ ବଜାଇଲେ । ସେହି ମହାଶବ୍ଦ ଆକାଶ ଓ ପୃଥିବୀକୁ ତୁମୁଳ ରବରେ ପ୍ରତିଧ୍ଵନିତ କରି ଧାର୍ତ୍ତରାଷ୍ଟ୍ରଗଣଙ୍କ ହୃଦୟକୁ ବିଦୀର୍ଣ୍ଣ କଲା । ସେତେବେଲେ ଶସ୍ତ୍ରକ୍ଷେପ ଆରମ୍ଭ ହେବା ପୂର୍ବରୁ ଅର୍ଜୁନ ଧନୁ, ଉତ୍ତୋଳନ କରି ହୃଷୀକେଶଙ୍କୁ ଏହି କଥା କହିଲେ : ଅର୍ଜୁନ କହିଲେ - " ହେ ନିଷ୍ପାପ, ଦୁଇ ସୈନ୍ୟର ମଧ୍ୟସ୍ଥଳରେ ମୋ ରଥ ସ୍ଥାପନ କର, ଯୁଦ୍ଧସ୍ପୃହାରେ ଅବସ୍ଥିତ ଏହି ବିପକ୍ଷଗଣଙ୍କୁ ମୁଁ ନିରୀକ୍ଷଣ କରେ । ଜାଣିବାକୁ ଚାହେଁ, ଏହି ରଣୋତ୍ସବରେ କାହା ସଙ୍ଗେ ଯୁଦ୍ଧ କରିବାକୁ ହେବ । ଦେଖେ, ଏହି ଯୁଦ୍ଧପ୍ରାର୍ଥୀଗଣ କେଉଁମାନେ, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ଦୁର୍ବୁଦ୍ଧି ଧୃତରାଷ୍ଟ୍ରତନୟ ଦୁର୍ଯ୍ୟୋଧନର ପ୍ରିୟକାର୍ଯ୍ୟ କରିବା କାମନାରେ ଏହିଠାରେ ସମାଗତ ହୋଇଛନ୍ତି । " ସଞ୍ଜୟ କହିଲେ : "ଗୁଡାକେଶଙ୍କର ଏହି କଥା ଶୁଣି ହୃଷୀକେଶ ଦୁଇ ସୈନ୍ୟଙ୍କ ମଧ୍ୟସ୍ଥଳରେ ସେହି ଉତ୍କୃଷ୍ଟ ରଥ ସ୍ଥାପନ କରି ଭୀଷ୍ମ, ଦ୍ରୋଣ ଏବଂ ସକଳ ନୃପତିଗଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ହେ ପାର୍ଥ , ସମବେତ କୁରୁଗଣନ୍ଗ୍କୁ ଦେଖ ।" ସେହି ରଣ-ସ୍ଥଳରେ ପାର୍ଥ ଦେଖିଲେ ପିତା, ପିତାମହ, ଆଚାର୍ଯ୍ୟ, ମାତୁଲ, ଭ୍ରାତା, ପୌତ୍ର, ସଖା, ଶ୍ଵଶୁର, ସୁହୃଦ, ଆତ୍ମୀୟ ଓ ସ୍ଵଜନ ଦୁଇ ପରସ୍ପର ବୋରୋଧୀ ସୈନ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଛନ୍ତି । ଏହିପରି ଅବସ୍ଥିତ ସେହି ସକଳ ବନ୍ଧୁ ବାନ୍ଧବଙ୍କୁ ଦେଖି କୁନ୍ତିପୁତ୍ର ତୀବ୍ର କୃପାବିଷ୍ଟ ହୋଇ ବିଷାଦଗ୍ରସ୍ତ ହୃଦୟରେ ଏହି କଥା କହିଲେ : " ହେ କୃଷ୍ଣ , ଏହି ସକଳ ସ୍ଵଜନଙ୍କୁ ଯୁଦ୍ଧାର୍ଥେ ଅବସ୍ଥିତ ଦ୍ ଏଖି ମୋ ଦେହର ଅଙ୍ଗସକଳ ଅବସନ୍ନ ହେଉଛି, ମୁଖ ଶୁଖିଯାଉଛି, ସମସ୍ତ ଶରୀରରେ କମ୍ପ ଓ ରୋମହର୍ଷ ଜାତ ହେଉଛି, ଗାଣ୍ଡୀବ ହସ୍ତରୁ ଖସି ପଡୁଛି, ଚର୍ମ ଯେପରି ଅଗ୍ନିରେ ଦଗ୍ଧ ହେଉଛି । " ହେ କେଶବ, ମୋର ଛିଡା ହେବାର ଶକ୍ତି ନାହିଁ । ମନ ଯେପରି ଭ୍ରମିବାକୁ ଆରମ୍ଭ କଲାଣି । ଆଉ ଅଶୁଭ ଲକ୍ଷଣ ସବୁ ଦେଖୁଛି । ହେ କୃଷ୍ଣ, ଯୁଦ୍ଧରେ ସ୍ଵଜନଙ୍କୁ ବଧ କରିବାରେ କୌଣସି ଶ୍ରେୟଃ ଦେଖୁ ନାହିଁ, ମୁଁ ଜୟ ଚାହୁଁ ନାହିଁ, ରାଜ୍ୟ ଚାହୁଁ ନାହିଁ, ସୁଖ ଚାହୁଁ ନାହିଁ । ହେ ଗୋବିନ୍ଦ ! କୁହ, ରାଜ୍ୟରେ ଆମ୍ଭର କେଉଁ ଲାଭ ହେବ ? କେଉଁ ଲାଭ ହେବ ଭୋଗରେ ? ଜୀବନରେ ବା କ"ଣ ପ୍ରୟୋଜନ ? ଯେଉଁମାନଙ୍କ ସକାଶେ ରାଜ୍ୟ, ଭୋଗ, ଜୀବନ ବାଞ୍ଛନୀୟ, ସେମାନେ - ଆଚାର୍ଯ୍ୟ, ପିତା, ପୁତ୍ର, ପିତାମହ, ମାତୁଳ, ଶ୍ଵଶୁର, ପୌତ, ଶ୍ୟାଳକ, କୁଟୁମ୍ବ, - ଜୀବନ ଓ ଧନର ମୋହକୁ ତ୍ୟାଗ କରି ଏହି ରଣକ୍ଷେତ୍ରରେ ଆସି ଉପସ୍ଥିତ ହୋଇଛନ୍ତି । ହେ ମଧୁସୂଦନ, ଏମାନେ ଯଦି ମୋତେ ବଧକରନ୍ତି, ତଥାପି ଏମାନଙ୍କୁ ମୁଁ ବଧକରିବାକୁ ଚାହେଁ ନାହିଁ । ହେ ଜନାର୍ଦନ, ତ୍ରୖଲୋକ୍ୟ ରାଜ୍ୟରେ ଲୋଭରେ ବି ମୁଁ ସେମାନଙ୍କୁ ବଧ କରିବାକୁ ଚାହେଁ ନାହିଁ , ପୃଥିବୀର ଆଧିପତ୍ୟ ତ ଦୂରର କଥା । ଧାର୍ତ୍ତରାଷ୍ଟ୍ରଗଣଙ୍କୁ ସଂହାର କରି କ'ଣ ଆମ୍ଭମାନଙ୍କ ମନରେ ସୁଖ ଆସିପାରେ ? ହେ ମାଧବ, ଏମାନେ ଆତତାଯୀ, ତଥାପି ଏମାନଙ୍କୁ ବଧ କଲେ ପାପହିଁ ଆମମାନଙ୍କ ମନରେ ଆଶ୍ରୟ ନେବ । ଅତଏବ ଧାର୍ତ୍ତରାଷ୍ଟ୍ରଗଣ ଯଦି ଆମ୍ଭର ଆତ୍ମୀୟ, ତେବେ ସେମାନଙ୍କୁ ସଂହାର କରିବାକୁ ଆମ୍ଭେମାନେ ଅଧିକାରୀ ନୋହୁ । ସ୍ଵଜନକୁ ବଧ କରି ଆମ୍ଭେମାନେ କିପରି ସୁଖୀ ହେବୁ ? ଯଦିଓ ଏମାନେ ଲୋଭରେ ବୁଦ୍ଧି ଭ୍ରଷ୍ଟ ହୋଇ କୁଳକ୍ଷୟ ଦୋଷ ଓ ମିତ୍ରର ଅନିଷ୍ଟ କରିବା ମହାପାପ ବୋଲି ବୁଝନ୍ତି ନାହିଁ , ତେବେ ହେ ଜନାର୍ଦନ, ଆମ୍ଭେମାନେ କୁଳକ୍ଷୟର ଦୋଷ ବୁଝିଛୁ, କାହିଁକି ଆମ୍ଭମାନଙ୍କର ଜ୍ଞାନ ହେବ ନାହିଁ ? ଏହି ପାପରୁ ଆମ୍ଭେମାନେ କାହିଁକି ନିବୃତ୍ତ ହେବା ନାହିଁ ? କୁଳକ୍ଷୟରେ ସନାତନ କୁଳଧର୍ମସକଳ ବିନାଶ ପ୍ରାପ୍ତ ହୁଏ, ଧର୍ମନାଶରେ ଅଧର୍ମ ସମସ୍ତ କୁଳକୁ ଅଭିଭୂତ କରେ । ଅଧର୍ମର ଅଭିବୃଦ୍ଧିରେ, ହେ କୃଷ୍ଣ, କୁଳସ୍ତ୍ରୀଗଣ ଦୁଶ୍ଚରିତ୍ରା ହୁଅନ୍ତି, କୁଳସ୍ତ୍ରୀଗଣ ଦୁଶ୍ଚରିତ୍ରା ହେଲେ ବର୍ଣ୍ଣସଙ୍କର ଜାତ ହୁଏ । କୁଳ ଓ କୁଳନାଶମାନଙ୍କର ଏହି ବର୍ଣ୍ଣସଂକରୋତ୍ପାଦକ ଦୋଷର ଫଳରେ ସନାତନ ଜାତିଧର୍ମସକଳ ଓ କୁଳଧର୍ମସକଳ ଉତ୍ସନ୍ନ ହୁଏ । ଯେଉଁମାନଙ୍କର କୁଳଧରମ ଉତ୍ସନ୍ନ ହୋଇଛି, ସେମାନଙ୍କର ନିବାସ ନରକରେ ନିର୍ଦିଷ୍ଟ ହୁଏ, ଏହାହିଁ ପ୍ରାଚୀନକାଳରୁ ମୁଁ ଶୁଣିଆସୁଛି । ଓହୋ ! ଆମ୍ଭେମାନେ ଅତି ମହତ୍ ପାପ କରିବାକୁ କୃତ ନିଶ୍ଚୟ ହୋଇଥିଲୁ ଏବଂ ରାଜ୍ୟସୁଖ ଲୋଭରେ ସ୍ଵଜନଙ୍କୁ ବଧ କରିବାକୁ ଉଦ୍ୟମ କରିଥିଲୁ । ଯଦି ମୁଁ ଅଶସ୍ତ୍ର ଓ ପ୍ରତିକାର-ଅନୁଦ୍ୟୋଗୀ ହେବା ସତ୍ତ୍ଵେ ଧାର୍ତ୍ତରାଷ୍ଟ୍ରଗଣ ଯୁଦ୍ଧରେ ମୋତେ ସଂହାର କରନ୍ତି ତେବେ ବି ତାହା ଅପେକ୍ଷା ଏହା ମୋର ମଙ୍ଗଳକର ।ସଞ୍ଜୟ କହିଲେ : - ଏହା କହି ଅର୍ଜୁନ ଶୋକଦ୍ବେଗ କଳୁଷିତ ଚିତ୍ତରେ ଧନୁଶର ପରିତ୍ୟାଗ କରି ରଥରେ ବସିପଡିଲେ ।
ସଞ୍ଜୟଙ୍କର ଦିବ୍ୟଚକ୍ଷୁ ପ୍ରାପ୍ତି : ଗୀତା ମହାଭାରତର ମହାଯୁଦ୍ଧରେ ପ୍ରାକ୍ କାଳରେ ଉତ୍କ ହୋଇଥିଲା । ଅତଏବ ଗୀତାର ପ୍ରଥମ ଶୋଳ୍କରେ ଦେଖୁ ଯେ ରାଜା ଧୃତରାଷ୍ଟ୍ର ଦିବ୍ୟଚକ୍ଷୁପ୍ରାପ୍ତ ସଞ୍ଜୟଙ୍କ ପାଖରେ ଯୁଦ୍ଧର ବାର୍ତ୍ତା ପଚାରୁଛନ୍ତି । ଦୁଇ ସେନା ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ, ସେମାନଙ୍କର ପ୍ରଥମ ଚେଷ୍ଟା କ'ଣ, ବୃଦ୍ଧ ରାଜା ତାହା ଜାଣିବାକୁ ଚାହିଁଲେ । ସଞ୍ଜୟଙ୍କ ଦିବ୍ୟ-ଚକ୍ଷୁପ୍ରାପ୍ତିର କଥା ଆଧୁନିକ ଭାରତର ଇଂରାଜୀ ଶିକ୍ଷାପ୍ରାପ୍ତ ଲୋକଙ୍କ ଦୃଷ୍ଟିରେ କବି-କଳ୍ପନା ଛଡା ଆଉ କିଛି ମନେ ହେବ ନାହିଁ । ମୁଁ ଯଦି କହିଥା'ନ୍ତି କି ଅମୁକ ଲୋକ ଦୂରଦୃଷ୍ଟି ଏବଂ ଦୂରଶ୍ରବଣ ଲାଭ କରି ଦୂରସ୍ଥ ରଣକ୍ଷେତ୍ରରେ ଲୋମହର୍ଷଣ ଦୃଶ୍ୟ ଓ ମହାରଥୀଗଣଙ୍କ ସିଂହନାଦ ଇନ୍ଦ୍ରିୟଗୋଚର କରିଥିଲେ, ତାହାହେଲେ ବୋଧହୁଏ କଥାଟି ସେମାନଙ୍କର ତେତେ ଅବିଶ୍ଵାସଯୋଗ୍ୟ ହୋଇନଥା'ନ୍ତା । କିନ୍ତୁ ବ୍ୟାସଦେବ ସଞ୍ଜୟଙ୍କୁ ଯେ ଏହି ଶକ୍ତି ଦାନ କରିଥିଲେ, ତାହା ଆହୁରି ଅଗ୍ରାହ୍ୟ କାହାଣୀ ବୋଲି ଉଡାଇ ଦେବାକୁ ପ୍ରବୃତ୍ତି ହୁଏ । ଯଦି କହିଥା'ନ୍ତି ଯେ ଜଣେ ବିଖ୍ୟାତ ଇୟୋରୋପୀୟ ବିଜ୍ଞାନବିଦ୍ ଅମୁକ ଲୋକକୁ ସ୍ଵପ୍ନାବସ୍ଥାରେ ପକାଇ ରଖି ତାହାର ମୁଖରୁ ସେହି ଦୂର ଘଟଣାର କେତେକ ବର୍ଣ୍ଣନା ଅବଗତ ହୋଇଥିଲେ, ତାହାହେଲେ ଯେଉଁମାନେ ପାଶ୍ଚାତ ହିପ୍ନୋଟୋଜିମ୍ କଥା ମନଯୋଗ ସହ ପଢିଛନ୍ତି, ସେମାନେ ବି ବିଶ୍ଵାସ କରିପାରି ଥା'ନ୍ତେ । ଅଥଚ ହିପ୍ନୋଟୋଜିମ୍ ଯୋଗଶକ୍ତିର ନିକୃଷ୍ଟ ଓ ବର୍ଜନୀୟ ଅଙ୍ଗମାତ୍ର । ମନୁଷ୍ୟ ମଧ୍ୟରେ ଏପରି ବହୁତ ଶକ୍ତି ନିହିତ ଅଛି, ଯାହା ପୂର୍ବକାଳରେ ସଭ୍ୟ ଜାତି ଜାଣିଥିଲେ; କିନ୍ତୁ କଳି-ସ୍ତମ୍ଭୁତ ଅଜ୍ଞାନର ସ୍ରୋତରେ ସେହି ବିଦ୍ୟା ଭାସି ଯାଇଛି, କେବଳ ଅଳ୍ପ ଲୋକଙ୍କ ଭିତରେ ଆଂଶିକରୂପେ ଗୂଢ ଓ ଗୋପନୀୟ ଜ୍ଞାନ ବୋଲି ରକ୍ଷିତ ହୋଇଆସୁଛି । ସୂକ୍ଷ୍ମଦୃଷ୍ଟି ବୋଲି ସ୍ଥୂଳ-ଇନ୍ଦ୍ରିୟାତୀତ ଗୋଟିଏ ସୂକ୍ଷ୍ମ ଇନ୍ଦ୍ରିୟ ଅଛି, ଯାହାଦ୍ଵାରା ଆମ୍ଭେମାନେ ସ୍ଥୂଳ-ଇନ୍ଦ୍ରିୟର ଆୟତ୍ତାତୀତ ପଦାର୍ଥ ଓ ଜ୍ଞାନକୁ ଆୟତ୍ତ କରିପାରୁ; ସୂକ୍ଷ୍ମ ବସ୍ତୁ ଦର୍ଶନ, ସୂକ୍ଷ୍ମ ଶବ୍ଦ ଶ୍ରବଣ ସୂକ୍ଷ୍ମ ଗନ୍ଧ ଆଘ୍ରାଣ ସୂକ୍ଷ୍ମ ଦ୍ରବ୍ଯ ସ୍ପର୍ଶ ଓ ସୂକ୍ଷ୍ମ ଆହାର ଅସ୍ଵାଦ କରିପାରୁ । ସୂକ୍ଷ୍ମଦୃଷ୍ଟିର ଚରମ ପରିଣାମକୁ ଦିବ୍ୟ-ଦୃଷ୍ଟି କୁହାଯାଏ । ତାହାର ପ୍ରଭାବରେ ଗୁପ୍ତ ବା ଦୂରସ୍ଥ ବା ଅନ୍ୟ ଭୂମିଗତ ବିଷୟସକଳ ଆମ୍ଭମାନଙ୍କ ଜ୍ଞାନର ଗୋଚର ହୁଏ । ପରମ-ଯୋଗଶକ୍ତିର ଆଧାର ସ୍ଵରୂପ ମହାମୁନି ବ୍ୟାସ ଏହି ଦିବ୍ୟ ଚକ୍ଷୁ ଯେ ସଞ୍ଜୟଙ୍କୁ ଦେବାକୁ ସମର୍ଥ ହୋଇଥିଲେ, ତାହା ଅବିଶ୍ଵାସ କରିବାର କୌଣସି କାରଣ ମୁଁ ଦେଖୁ ନାହିଁ । ପାଶ୍ଚାତ ହିପ୍ନୋଟୋଜିମର ଅଦ୍ଭୁତ ଶକ୍ତିକୁ ଯଦି ଆମ୍ଭେମାନେ ବିଶ୍ଵାସ କରୁ, ତେବେ ମହାଜ୍ଞାନୀ ବ୍ୟାସଦେବଙ୍କ ଶକ୍ତିରେ କାହିଁକି ବିଶ୍ଵାସ କରିବୁ ନାହିଁ ? ଶକ୍ତିଶାଳୀଙ୍କ ଶକ୍ତି ଅନ୍ୟମାନଙ୍କ ଦେହରେ ସ6କ୍ରମିତ ହୋଇପାରେ, ତାହାର ଭୂରି ଭୂରି ପ୍ରମାଣ ଇତିହାସର ପ୍ରତ୍ୟକ ପୃଷ୍ଠାରେ ଓ ମନୁଷ୍ୟ ଜୀବନର ପ୍ରତ୍ୟକ କାର୍ଯ୍ୟରେ ମିଳିପାରେ । ନେପୋଲିୟନ, ଇତୋ ପ୍ରଭୃତି କର୍ମବୀର ଉପଯୁକ୍ତ ପାତ୍ରରେ ଶକ୍ତି ସଂକ୍ରମିତ କରି ନିଜର ସହକାରୀ ପ୍ରସ୍ତୁତ କରି ନେଉଥିଲେ । ଅତି ସାମାନ୍ୟ ଯୋଗୀ ବି କୌଣସି ସିଦ୍ଧିପ୍ରାପ୍ତ ହୋଇ କିଛିକାଳ ସକାଶେ ବା କୌଣସି ବିଶେଷ କାର୍ଯ୍ୟରେ ପ୍ରୟୋଗ କରିବା ନିମିତ୍ତ ଅନ୍ୟଙ୍କୁ ସ୍ଵୀୟ ସିଦ୍ଧି ପ୍ରଦାନ କରିପାରନ୍ତି । ବ୍ୟାସଦେବଙ୍କ ତୁଲ୍ୟ ଜଗତରର୍ ଶ୍ରେଷ୍ଠ ମନୀଷୀ ଓ ଅସାଧାରଣ ଯୋଗସିଦ୍ଧ ପୁରୁଷ ତ ନିଶ୍ଚୟହିଁ ପାରିବେ । ବସ୍ତୁତଃ ଦିବ୍ୟଚକକ୍ଷୁ ଅସ୍ତିତ୍ଵ ସ୍ଵପ୍ନ କାହାଣୀ ନୁହେଁ, ବୈଜ୍ଞାନିକ ସତ୍ୟ । ଆମ୍ଭେମାନେ ଜାଣୁ, ଚକ୍ଷୁ ଦର୍ଶନ କରେ ନାହିଁ, କର୍ଣ୍ଣ ଶ୍ରବଣ କରେ ନାହିଁ, ନସିକା ଘ୍ରାଣ କରେ ନାହିଁ, ତ୍ଵକ୍ ସ୍ପର୍ଶ କରେ ନାହିଁ, ରସନା ଆସ୍ଵାଦ କରେ ନାହିଁ , ମନହିଁ ଦର୍ଶନ କରେ, ମନହିଁ ଶ୍ରବଣ କରେ, ମନହିଁ ସ୍ପର୍ଶ ଉପଲବ୍ଧି କରେ, ମନହିଁ ଆସ୍ଵାଦ କରେ । ଦର୍ଶନଶାସ୍ତରେ ଓ ମନୋବିଜ୍ଞାନରେ ଏହି ସତ୍ୟ ବହୁଦିନରୁ ଗୃହୀତ୍ତ ହୋଇଆସୁଛି । ହିପ୍ନୋଟୋଜିମ୍ ରେ ଏହା ବୈଜ୍ଞାନିକ ପ୍ରମାଣ ଦ୍ଵାରା ପ୍ରମାଣିତ ହୋଇଛି; ଚକ୍ଷୁ ମୁଦ୍ରିତ ହେଲେ ସୁଦ୍ଧା ଦର୍ଶନେନ୍ଦ୍ରିୟ କ୍ରିଡା ଯେକୌଣସି ନାଡୀ ଦ୍ଵାରା ସମ୍ପାଦିତ ହୋଇପାରେ । ସେଥିରୁ ଏହାହିଁ ବୁଝାଏ ଯେ ଚକ୍ଷୁ ଇତ୍ୟାଦି ସ୍ଥୂଳେନ୍ଦ୍ରିୟ ଜ୍ଞାନପ୍ରାପ୍ତିର କେବଳ ସୁବିଧାଜନକ ଉପାୟ । ସ୍ଥୂଳ ଦେହର ସନାତନ ଅଭ୍ୟାସରେ ବଦ୍ଧ ହୋଇ ଆମ୍ଭେମାନେ ତାହାର ଦାସ ହୋଇଛୁ, କିନ୍ତୁ ପ୍ରକୃତପକ୍ଷେ କୌଣସି ଶାରୀରିକ ପ୍ରଣାଳୀ ଦ୍ଵାରା ଆମ୍ଭେମାନେ ସେହି ଜ୍ଞାନକୁ ମନରେ ପହଞ୍ଚାଇ ପାରୁ, ଯେପରି ଅନ୍ଧ ବ୍ୟକ୍ତି ସ୍ପର୍ଶ ଦ୍ଵାରା ବସ୍ତୁର ଆକୃତି ଓ ସ୍ଵଭାବର ନିର୍ଭୁଲ ଧାରଣା କରେ । କିନ୍ତୁ ଅନ୍ଧର ଦୃଷ୍ଟି ଓ ସ୍ଵପ୍ନାବସ୍ଥାପ୍ରାପ୍ତ ବ୍ୟକ୍ତି ବସ୍ତୁର ପ୍ରତିକୃତି ମନ ମଧ୍ୟରେ ଦେଖେ । ଏହାକୁହିଁ ଦର୍ଶନ କୁହାଯାଏ । ବସ୍ତୁତ ସମ୍ମୁଖରେ ଅବସ୍ଥିତ ପୁସ୍ତକ ମୁଁ ଦର୍ଶନ କରେ ନାହିଁ , ସେହି ପୁସ୍ତକର ପ୍ରତିମୂର୍ତ୍ତି ମୋ ଚକ୍ଷୁରେ ଚିତ୍ରିତ ହୁଏ, ତାହାହିଁ ଦେଖି ମନ କହେ , ମୁଁ ପୁସ୍ତକ ଦେଖିଲି, କିନ୍ତୁ ହିପ୍ନୋଟୋଜିମ୍ ବ୍ୟକ୍ତିର ଦୂରସ୍ଥ ପାଦାର୍ଥ ବା ଘଟଣା ଦର୍ଶନରେ ଓ ଶ୍ରବଣରେ ଏହା ବି ପ୍ରତିପନ୍ନ ହୁଏ ଯେ ପଦାର୍ଥବୋଧ ପ୍ରାପ୍ତି ନିମିତ୍ତ କୌଣସି ଶାରୀରିକ ପ୍ରଣାଳୀର ଆବଶ୍ୟକତା ନାହିଁ । - ସୂକ୍ଷ୍ମଦୃଷ୍ଟିରେ ତାହା ଦର୍ଶନ କରିପାରୁ । ଲଣ୍ଡନରେ ଘରେ ବସି ସେହି ମୁହୂର୍ତ୍ତରେ ଏଡିନବରାରେ ଯେଉଁ ଘଟଣା ଘଟୁଛି , ମନ ମଧ୍ୟରେ ତାହା ଦେଖିଲି, ଏହିରୂପେ ଦୃଷ୍ଟାନ୍ତର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁହିଁ କୁହାଯାଏ ସୂକ୍ଷ୍ମଦୃଷ୍ଟି ସୂକ୍ଷ୍ମଦୃଷ୍ଟି ଓ ଦିବ୍ୟଚକ୍ଷୁ ର ପ୍ରଭେଦ ଏହି ଯେ ସୂକ୍ଷ୍ମଦର୍ଶୀ ମନ ମଧ୍ୟରେ ଅଦୃଷ୍ଟ ପଦାର୍ଥର ପ୍ରତିରୂପ ଦର୍ଶନ କରାଏ, ଦିବ୍ୟଚକ୍ଷୁ ଦ୍ଵାରା ଆମ୍ଭେମାନେ ମନ ମଧ୍ୟରେ ସେହି ଦୃଶ୍ୟ ନ ଦେଖି ଶାରୀର ଚକ୍ଷୁର ସମ୍ମୁଖରେ ତାହା ଦେଖୁ, ଚିନ୍ତାସ୍ରୋତରେ ସେହି ଶବ୍ଦ ନ ଶୁଣି ଶାରୀର କର୍ଣ୍ଣରେ ଶୁଣୁ । ଏହାର ଗୋଟିଏ ସାମାନ୍ୟ ଦୃଷ୍ଟାନ୍ତ ସ୍ଫଟିକ ଖଣ୍ଡର ମଧ୍ୟରେ ବା କାଳିର ମଧ୍ୟରେ ଦେଖିବା । ପରନ୍ତୁ ଦିବ୍ୟଚକ୍ଷୁପ୍ରାପ୍ତ ଯୋଗୀ ପକ୍ଷରେ ଏପରି ଉପାଦାନର କୌଣସି ଆବଶ୍ୟକତା ନାହିଁ , ସେ ଏହି ଶକ୍ତି ବିକାଶରେ ବିନା ଉପକରଣରେ ଦିବ୍ୟଶକ୍ତି ଦ୍ଵାରା ଦେଶକାଳର ବନ୍ଧନ ଖୋଲି ଅନ୍ୟ ଦେଶର ଓ ଅନ୍ୟ କାଳର ଘଟଣା ଅବଗତ ହୋଇପାରନ୍ତି । ଦେଶ-ବନ୍ଧନ ଖୋଲିବାର ପ୍ରମାଣ ଆମ୍ଭେମାନେ ଯଥେଷ୍ଟ ପାଇଛୁ, କିନ୍ତୁ କାଳ-ବନ୍ଧନ ଯେ ଖୋଲାଯାଇପାରେ, ମନୁଷ୍ୟ ଯେ ତ୍ରିକାଳଦର୍ଶୀ ହୋଇପାରେ, ତାହାର ଏତେ ବହୁସଂଖ୍ୟକ ସନ୍ତୋଷଜନକ ପ୍ରମାଣ ଆଜି ପର୍ଯ୍ୟନ୍ତ ସମ୍ମୁଖରେ ଉପସ୍ଥିତ କରାହୋଇ ନାହିଁ । ଅଥାପି ଯଦି ଦେଶ-ବନ୍ଧନ ମୋଚନ କରିବା ସମ୍ଭବପର ହୁଏ, ତେବେ କାଳ-ବନ୍ଧନ ମୋଚନ କରିବା ଅସମ୍ଭବ, ଏପରି କୁହାଯାଇପାରେ ନାହିଁ । ଯାହାହେଉ ଏହି ବ୍ୟାସଦତ୍ତ ଦିବ୍ୟଚକ୍ଷୁ ଦ୍ଵାରା ସଞ୍ଜୟ ହସ୍ତିନାପୁରରେ ରହି ସୁଦ୍ଧା ଯେପରି କୁରୁକ୍ଷେତ୍ରରେ ଛିଡାହୋଇଥିବାର ସମବେତ କୁରୁପାଣ୍ଡବଗଣଙ୍କୁ ପ୍ରତ୍ୟକ୍ଷ ଦେଖିଲେ, ଦୁର୍ଯ୍ୟୋଧନର ଉକ୍ତି ପିତାମହ ଭୀଷ୍ମଙ୍କ ଭୀମ ସଂହନାଦ, ପାଞ୍ଚଜନ୍ୟର କୁରୁଧ୍ଵଂସ-ଘୋଷକ ମହାଶବ୍ଦ ଓ ଗୀତାର୍ଥଦ୍ୟୋତକ କୃଷ୍ଣାର୍ଜୁନ-ସମ୍ବାଦ କର୍ଣ୍ଣରେ ଶ୍ରବଣ କଲେ । ଆମ୍ଭମାନଙ୍କ ମତରେ ମହାଭାରତ ରୂପକ ନୁହେଁ, କୃଷ୍ଣ ତଥା ଅର୍ଜୁନ କବିଙ୍କ କଳ୍ପନା ନୁହେଁ, ଗୀତା ବି ଆଧୁନିକ ଦର୍ଶନର ସିଦ୍ଧାନ୍ତ ନୁହେଁ, ଅତଏବ ଗୀତୋକ୍ତ କୌଣସି କଥା ଅସମ୍ଭବ ବା ଯୁକ୍ତି ବିରୁଦ୍ଧ ନୁହେଁ, ତାହା ପ୍ ରତିପନ୍ନ କରିବାକୁ ହେବ ଏବଂ ଏହି ସକାଶେହିଁ ଦିବ୍ୟଚକ୍ଷୁ ପ୍ରାପ୍ତି ବିଷୟରେ ଏତେ ବିସ୍ତୃତ ଆଲୋଚନା କରାଗଲା ।
ଦୂର୍ଯ୍ୟୋଧନଙ୍କ ବାକ୍ ଚାତୁର୍ଯ୍ୟ : - ଏହାପରେ ସଞ୍ଜୟ ଯୁଦ୍ଧ-ପ୍ରଚେଷ୍ଟା ବର୍ଣ୍ଣନା କରିବାକୁ ଆରମ୍ଭ କଲେ । ଦୁର୍ଯ୍ୟୋଧନ ବ୍ୟୁହବଦ୍ଧ ସେନାଙ୍କୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଉପସ୍ଥିତ ହେଲେ । ସେ ଦ୍ରଣଙ୍କ ପାଖକୁ କାହିଁକି ଗଲେ ତାହା ଜାଣିବା ଆବଶ୍ୟକ : ଭୀଷ୍ମହିଁ ସେନାପତି, ଯୁଦ୍ଧ ବିଷୟରେ ତାଙ୍କୁହିଁ କହିବା ଉଚିତ ଥିଲା, କିନ୍ତୁ କୂଟବୁଦ୍ଧି ଦୁର୍ଯ୍ୟୋଧନ ମନରେ ଭୀଷ୍ମଙ୍କ ଉପରେ ବିଶ୍ଵାସ ନ ଥିଲା । ଭୀଷ୍ମ ପାଣ୍ଡବଙ୍କ ଅନୁରକ୍ତ, ହସ୍ତିନାପୁରର ଶାନ୍ତି-ଅନୁମୋଚନ ଦଳର ନେତା; ଯଦି କେବଳ ପାଣ୍ଡବ ଓ ଧାର୍ତ୍ତରାଷ୍ଟ୍ରଙ୍କ ମଧ୍ୟରେ ଯୁଦ୍ଧ ହୋଇଥା'ନ୍ତା, ତେବେ ଭୀଷ୍ମ କଦାପି ଅସ୍ତ୍ରଧାରଣ କରିନଥା'ନ୍ତେ ; କିନ୍ତୁ କୁରୁଙ୍କ ପ୍ରାଚୀନ ଶତ୍ରୁ ଓ ପ୍ରତିଦ୍ଵନ୍ଦୀ ସାମାଜ୍ୟ ଲିପ୍ସୁ ପାଞ୍ଚାଳ ଜାତି ଦ୍ଵାରା କୁରୁରାଜ୍ୟ ଆକ୍ରାନ୍ତ ଦେଖି , କୁରୁଜାତିଙ୍କ ପ୍ରଧାନ-ପୁରୁଷ, ଶ୍ରେଷ୍ଠ-ଯୋଦ୍ଧା ଓ ରାଜନୀତିବିଦ୍ ସେନାପତି ପଦରେ ନିଯୁକ୍ତ ହୋଇ ସ୍ଵୀୟ ବାହୁବଳରେ ଚିରରକ୍ଷିତ ସ୍ଵଜାତିର ଗୌରବ ଓ ପ୍ରାଧାନ୍ୟର ଶେଷରକ୍ଷା କରିବାକୁ କୃତସଂକଳ୍ପ ହୋଇଥିଲେ । ଦୁର୍ଯ୍ୟୋଧନ ସ୍ଵୟଂ ଅସୁର-ପ୍ରକୃତି, ରାଗଦ୍ଵେଷହି ତାଙ୍କର ସକଳ କାର୍ଯ୍ୟର ପ୍ରମାଣ ଓ ହେତୁ, ଅତଏବ ସେ କର୍ତ୍ତବ୍ୟପରାୟଣ ମହାପୁରୁଷଙ୍କ ମନୋଭାବ ବୁଝିବାକୁ ଅକ୍ଷମ; ଏହି କଠିନ ତପସ୍ଵୀଙ୍କର ମନରେ ପ୍ରାଣପ୍ରତିମ ପାଣ୍ଡବଗଣଙ୍କୁ ବି କର୍ତ୍ତବ୍ୟବୁଦ୍ଧିବଶରେ ଯୁଦ୍ଧକ୍ଷେତ୍ରରେ ସଂହାର କରିବାର ବଳ ଅଛି , ତାହା ଦୁର୍ଯ୍ୟୋଧନଙ୍କ ତୁଲ୍ୟ ମନୁଷ୍ୟ କିପରି ବିଶ୍ଵାସ କରିବେ । ସ୍ଵଦେଶହିତୈଷୀ ପୁରୁଷ ପରାମର୍ଶ ସମୟରେ ସ୍ଵୀୟ ମତ ପ୍ରକାଶପୂର୍ବକ ସ୍ଵଜାତିକୁ ଅନ୍ୟାୟ ଓ ଅହିତରୁ ନିବୃତ୍ତ କରିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ତଥାପି ସେହି ଅନ୍ୟାୟ ଓ ଅହିତ ଏକେବାରେ ଲୋକଙ୍କ ଦ୍ଵାରା ସ୍ଵୀକୃତ ହୋଇଗଲେ, ସେ ନିଜ ମତ ଉପେକ୍ଷା କରି ଅଧର୍ମ ଯୁଦ୍ଧରେ ବି ସ୍ଵଜାତିର ରକ୍ଷା ଓ ଶତ୍ରୁଦମନ କରନ୍ତି । ଭୀଷ୍ମ ବି ଠିକ୍ ସେହିପରି କରିଥିଲେ । ଏହି ମନୋଭାବ ଦୁର୍ଯ୍ୟୋଧନଙ୍କ ବୁଦ୍ଧିର ଅତୀତ । ଏହି କାରଣରୁ ସେ ଭୀଷ୍ମଙ୍କ ପାଖରେ ଉପସ୍ଥିତ ନ ହୋଇ ଦ୍ରୋଣଙ୍କୁ ସ୍ମରଣ କଲେ । ଦ୍ରୋଣ ବ୍ୟକ୍ତିଗତ ଭାବରେ ପାଞ୍ଚାଳ ରାଜ୍ୟର ଘୋର ଶତ୍ରୁ, ପାଞ୍ଚାଳ ଦେଶର ରାଜକୁମାର ଧୃଷ୍ଟଦ୍ୟୁମ୍ନ ଗୁରୁ ଦ୍ରୋଣଙ୍କୁ ବଧ କରିବା ସକାଶେ ପ୍ରତିଜ୍ଞା କରିଥିଲେ; ଅତଏବ ଦୁର୍ଯ୍ୟୋଧନ ଭାବିଲେ, ଏହି ବ୍ୟକ୍ତିଗତ ବୈରଭାବ କଥା ସ୍ମରଣ କରାଇଦେଲେ ଦ୍ରୋଣାଚାର୍ଯ୍ୟ ଶାନ୍ତିର ପକ୍ଷ ପରିତ୍ୟାଗ କରି ପୂର୍ଣ୍ଣ-ଉତ୍ସାହରେ ସଂଗ୍ରାମ କରିବେ । ଅବଶ୍ୟ ସ୍ପଷ୍ଟ ଭାବରେ ଏହି କଥା କହିଲେ ନାହିଁ । ଧୃଷ୍ଟଦ୍ୟୁମ୍ନର ନାମ ମାତ୍ର ଉଲ୍ଲେଖ କଲେ, ତା'ପରେ ଭୀଷ୍ମଙ୍କୁ ବି ସନ୍ତୁଷ୍ଟ କରିବା ନିମିତ୍ତ ତାଙ୍କୁ କୁରୁ ରାଜ୍ୟର ରକ୍ଷକ ଓ ବିଜୟର ଆଶା ସ୍ଵରୂପ ବୋଲି ନିର୍ଦେଶ କଲେ । ପ୍ରଥମେ ବିପକ୍ଷରେ ମୁଖ୍ୟ ମୁଖ୍ୟ ଯୋଦ୍ଧାଙ୍କ ନାମ ଉଲ୍ଲେଖ କଲେ, ପରେ ସ୍ଵପକ୍ଷୀୟ କେତେଜଣ ସୈନ୍ୟ-ନେତାଙ୍କ ନାମ କହିଲେ, ସକଳଙ୍କର ନାମ ନୁହେଁ, ଦ୍ରୋଣ ତଥା ଭୀଷ୍ମଙ୍କ ନାମହିଁ ନିଜର ଅଭୀଷ୍ଟ ସିଦ୍ଧି ସକାଶେ ଯଥେଷ୍ଟ, ତଥାପି ନିଜ ମନର କଥା ଗୋପନ କରିବା ସକାଶେ ଆହୁରି ଚାରି ପାଞ୍ଚଜଣଙ୍କ ନାମ କହିଲେ । ତା'ପରେ କହିଲେ ଆମ୍ଭର ସୈନ୍ୟ ବୃହତ୍ , ଭୀଷ୍ମ ଆମର ସେନାପତି, ପାଣ୍ଡବଙ୍କ ସୈନ୍ୟ ଅପେକ୍ଷାକୃତ କ୍ଷୁଦ୍ର, ତାଙ୍କର ଆଶାସ୍ଥଳ ଭୀମର ବାହୁବଳ, ଅତଏବ ଆମ୍ଭମାନଙ୍କର ଜୟ କାହିଁକି ନ ହେବ ? ତଥାପି ଭୀଷ୍ମ ଯଦି ଆମ୍ଭମାନଙ୍କର ପ୍ରଧାନ ଭରସା, ତାଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ସମସ୍ତଙ୍କର ଉଚିତ, ସେ ରହିଲେ ଆମ୍ଭମାନଙ୍କର ଜୟ ଅବଶ୍ୟମ୍ଭାବୀ ।" ବହୁତ ଲୋକ 'ଅପର୍ଯ୍ୟାପ୍ତ' ଶବ୍ଦର ବିପରୀତ ଅର୍ଥ କରନ୍ତି, ତାହା ଯୁକ୍ତି ସଙ୍ଗତ ନୁହେଁ, ଦୁର୍ଯ୍ୟୋଧନଙ୍କ ସେନା ଅପେକ୍ଷାକୃତ ବୃହତ, ସେହି ସେନାର ନେତାମାନେ ଶୌର୍ଯ୍ୟରେ ବୀର୍ଯ୍ୟରେ କାହାରିଠୁ ବି ନ୍ୟୁନ କରିବାକୁ କାହିଁକି ଯିବେ ? ଭୀଷ୍ମ ଦୁର୍ଯ୍ୟୋଧନଙ୍କ ମନୋଭାବ ଓ ତାଙ୍କ କଥାର ଗୂଢ ଉଦ୍ଦେଶ୍ୟ ବୁଝିପାରି ତାଙ୍କ ସନ୍ଦେହ ଦୂର କରିବା ନିମିତ୍ତ ସଂହନାଦ ଓ ଶଙ୍ଖନାଦ କଲେ । ସେଥିରେ ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷୋତ୍ପାଦିତ ହେଲା । ସେ ଭାବିଲେ ମୋର ଉଦ୍ଦେଶ୍ୟ ସାଧିତ ହୋଇଛି, ଦ୍ରୋଣ ଓ ଭୀଷ୍ମ ଉଭୟହିଁ ଦ୍ଵଧାଶୂନ୍ୟ ହୋଇ ଯୁଦ୍ଧ କରିବେ ।

No comments: