ବିଶ୍ଵଜନୀନ ଶିକ୍ଷାର ଯେଉଁ ଆବଶ୍ୟକତା ଓ ଅବିମିଶ୍ର ଉତ୍କର୍ଷ ରହିଛି ତାହା ଆଧୁନିକ ବିଚାର ବୁଦ୍ଧି ପାଇଁ ଏକ ଅପରିବର୍ତ୍ତନୀୟ ଅନ୍ଧ ମତବାଦରେ ପରିଣତ ହୋଇଛି, କୌଣସି ଉଦାର ଚିତ୍ତ ବା ଜାଗ୍ରତ ଜାତୀୟବିବେକ ଦ୍ଵାରା ଏହା ଏକ ବିବାଦତୀତ ବିଷୟଭାବେ ଗ୍ରହଣ କରି ନିଆଯାଇଛି, ଏବଂ ଏହି ମତବାଦଟି କୌଣସି ତ୍ରୁଟି ବା ଆପତ୍ତିର ସଂପୂର୍ଣ୍ଣ ଉର୍ଦ୍ଧ୍ଵରେ କି ନୁହେଁ, ଯାହାବି ହେଉନା କାହିଁକି, ଏହା ଜାତିର ବୌଦ୍ଧିକ ଓ ପ୍ରାଣିକ ପ୍ରୟାସର ସାଂପ୍ରତିକ ତଥା ଜରୁରୀ ଆବଶ୍ୟକତାରୁ ପୂରଣ କରୁଛି ବୋଲି ଧରି ନିଆ ଯାଇପାରେ । କିନ୍ତୁ ଶିକ୍ଷା କ'ଣ , ଅଥବା ବ୍ୟବହାରିକ କ୍ଷେତ୍ରରେ ଏବଂ ଆଦର୍ଶଗତ ଭାବେ ଏହା କିପରି ହେବା ଉଚିତ, ଏହା ଉପରେ ଯୁକ୍ତିଯୁକ୍ତ ବା ପ୍ରାଞ୍ଜଳ କୌଣସି ଧାରଣ ଅଥବା ସେପରି କୌଣସି ବିଶ୍ଵନୀନ ରାଜିନାମା ବା ସାର୍ବଜନୀନ ଉପଲବ୍ଧି ନାହିଁ । ଏହି ଅନିଶ୍ଚୟତା ସହ ଆଉ ଏକ ଦାବି ଯୋଗ କରାଯାଇଛି - ସେହି ଦାବିଟି ହେଉଛି ଜାତୀୟ ଧରଣ/ପଦ୍ଧତିର ଶିକ୍ଷା । ଆମ ଦେଶଭଳି ଏକ ଦେଶରେ, ଯେଉଁଠି ଏକ ପକ୍ଷରେ ଏସୀୟ ଚେତନା, ଅନ୍ୟ ପକ୍ଷରେ ଇଉରୋପୀୟ ବା ପାଶ୍ଚାତ୍ୟ ଚେତନା ଏବଂ ସେମାନେ ଯେଉଁ ଭିନ୍ନ ଭିନ୍ନ ସଭ୍ୟତା ଗଢିଥିଲେ, ସେଗୁଡିକ ମଧ୍ୟରେ ସଂଘର୍ଷ ଫଳରେ ଇଂରେଜୀ ଓ ଭାରତୀୟ ମନ ଓ ସଂସ୍କୃତିର ଜୋରଜବରଦସ୍ତି ମିଳନ ପାଇଁ ପ୍ରଚେଷ୍ଟା ଫଳରେ ଏବଂ ତା' ସହିତ ରାଜନୀତିକ ପରାଧୀନତା ଦ୍ଵାରା ଶିକ୍ଷାର ଚୁଡାନ୍ତ ରୂପରେଖ ନିର୍ଣ୍ଣୟ ଓ ନିୟନ୍ତ୍ରଣ ବିଦେଶୀମାନଙ୍କ ହାତକୁ ଚାଲିଯିବା ହେତୁ ସ୍ଵାଧୀନତା ପାଇଁ ଉନ୍ମାଦନା ଓ ଜାଗରଣ ସହ ସ୍ଵାଭାବିକ ଭାବରେ ଏହା ବାରଂବାର ଉତ୍ଥାପିତ ଏକ ତୁମୁଳ କୋଳାହଳ ପୂର୍ଣ୍ଣ ଦାବି ହୋଇ ଉଠିଛି । ଏବଂ ଏହି ବିଷୟଟି ଉପରେ ଆମର ଏକ ସ୍ପଷ୍ଟ ଧାରଣାର ଅଭାବ ହେତୁ , ଆମେ ବର୍ତ୍ତମାନ ଯେପରି ଏକ ବିରାଟ ଏବଂ ବିପର୍ଯ୍ୟସ୍ତ ବିଭ୍ରାନ୍ତି ଭିତରେ ପ୍ରବେଶ କରି ସାରିଲୁଣି, ସେହିପରି ଆଗକୁ ପୁଣି ଏକ ବିଭ୍ରାନ୍ତି ଭିତରେ ପ୍ରବେଶ କରିପାରୁ । କାରଣ ସାଧାରଣ ଭାବରେ ଶିକ୍ଷା ଯଥାର୍ଥରେ କ'ଣ ବା କ'ଣ ହେବା ଉଚିତ, ଏହା ଯଦି ସ୍ପଷ୍ଟତଃ ଆମେ ଜାଣି ନ ଥାଉଁ , ତେବେ ଜାତୀୟ ଶିକ୍ଷାର ଅର୍ଥ ଆମେ ତଦପେକ୍ଷା କମ୍ ଜାଣିଛ ବୋଲି ବୁଝିବାକୁ ହେବ । ଏ ସମ୍ବନ୍ଧେ ଯାହା ସର୍ବସମ୍ମତ ବୋଲି ମନେ ହୁଏ, ତାହା ହେଲା ବିଦ୍ୟାଳୟ ବା ବିଶ୍ଵବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ଶିକ୍ଷା ନିକୃଷ୍ଟ ଧରଣର ଏବଂ ତାହା ସହିତ ଜାତୀୟ ମନ, ଆତ୍ମା ଓ ଚରିତ୍ରକୁ ଏହା ବିଜାତୀୟ, ଅଧଃପତିତ ଓ ଦୁର୍ବଳ କରାଏ କାରଣ ବିଦେଶୀ ଶକ୍ତି ଦ୍ଵାରା ଏହା ଆଶ୍ରିତ ଏବଂ ଲକ୍ଷ୍ୟ, ପଦ୍ଧତି, ତାତ୍ପର୍ଯ୍ୟ ଓ ଚେତନାରେ ମଧ୍ୟ ଏହା ବିଦେଶୀ । କିନ୍ତୁ ଏହି ସଂପୂର୍ଣ୍ଣ ନାସ୍ତିବାଚକ ରାଜିନାମ ଆମକୁ ବେସୀ ଦୂରକୁ ଅଗ୍ରସର କରାଇ ପାରେ ନାହିଁ ; ଏଥିରୁ ଆମେ ସ୍ପଷ୍ଟତଃ ବୁଝିପାରୁ ନାହିଁ ଯେ ନୀତି ବା ଅଭ୍ୟାସ ଦୃଷ୍ଟିରୁ ଆମେ କ'ଣ ଚାହୁଁ ବା ଏହା ସ୍ଥାନରେ ଆମେ ଅନ୍ୟ କ'ଣ ପ୍ରତିଷ୍ଠା କରିବା ଉଚିତ । କୌଣସି ଏକ ନାମ ବା ପଦରେ ଅଧିକ ବୈଶିଷ୍ଟ୍ୟ ଥାଇପାରେ କିନ୍ତୁ କୌଣସି ବିଦ୍ୟାଳୟ ବା ମହାବିଦ୍ୟାଳୟ ବା ଏପରିକି କୌଣସି ଶିକ୍ଷାପରିଷଦ ବା ବୋର୍ଡ୍ ସହିତ "ଜାତୀୟ" ଶବ୍ଦଟି ଯୋଡିବା, ବିଶେଷତଃ ଯେଉଁମାନେ କି ଆମ୍ଭେମାନେ ପ୍ରକାଶ୍ୟଭାବେ ନିନ୍ଦା କରୁଥିବା ପଦ୍ଧତିରେ ତାଲିମପ୍ରାପ୍ତ ହୋଇଛନ୍ତି, ସେପରି ସ୍ଵଦେଶୀ ସଂସ୍ଥା ହାତରେ ସେଗୁଡିକୁ ଛାଡିଦେବା, ଟିକିନିଖି ବିଷୟ ଓ ପାଠ୍ୟକ୍ରମର କେତେକ ପାର୍ଥକ୍ୟ, ଯୋଗ, ବିୟୋଗ ଓ ପରିବର୍ତ୍ତନ ସହ ସେହି ଦୋଷାରୋପିତ ପଦ୍ଧତିକୁ ପୁନରାୟ ପ୍ରୟୋଗ କରିବା, ବାହ୍ୟ କର୍ମରେ କିଛି ପରିବର୍ତ୍ତନ ଆଣି ସମସ୍ୟାର ସମାଧାନ ହୋଇଛି ବୋଲି ଭାବିବା - ଏହି ସବୁ ଦ୍ଵାରା ବାସ୍ତବରେ କିଛି ପରିବର୍ତ୍ତନ ହୁଏ ନାହିଁ । ଏହି ପ୍ରକାର କୌଶଳ ପ୍ରୟୋଗ କରି ସନ୍ତୁଷ୍ଟ ହେବାର ଅର୍ଥ ହେଉଛି ଆମର ବୁଦ୍ଧିଗତ ମାଧ୍ୟାକର୍ଷଣ କେନ୍ଦ୍ର ଚାରିପାଖରେ ଶୂନ୍ ଚିତ୍ ପ୍ରଦର୍ଶନ କରିବା ; ପୂର୍ବରୁ ଆମେ ଯେଉଁଠାରେ ଥିଲୁ ସେହିଠାରେହିଁ ପଡିରହି ଆମେ ଅନ୍ୟ ଏକ କ୍ଷେତ୍ରରେ ପହଞ୍ଚିଛୁ ବୋଲି ଭାବିବା - ଏହା ସ୍ପଷ୍ଟତଃ ଏକ ବିଶେଷ ଅସନ୍ତୋଷଜନକ କର୍ମଧାରା । ନୂତନ ନାମରେ ପରିଚାଳିତ ଅନୁଷ୍ଠାନଗୁଡିକ ଅନ୍ୟ ଅନୁଷ୍ଠାନଗୁଡିଅକ ଅପେକ୍ଷା ହୁଏତ ଅଧିକ ଉତ୍ତମ ଶିକ୍ଷାପ୍ରଦାନ କରୁଥିବେ ବା ନ କରୁଥିବେ, କିନ୍ତୁ କେଉଁ ଭାବରେ ଏଗୁଡିକ ଅଧିକ ଜାତୀୟ, ଏପରିକି ସବୁଠାରୁ ସମ୍ମତଭାବେ ସହାନୁଭୂତିସୂଚକ ସମାଲୋଚନାଶୀଳ ବୁଦ୍ଧି ନିକଟରେ ଏହା ଅଧିକ ଜାତିଧର୍ମୀ, ଏହା ଆଦୌ ସ୍ପଷ୍ଟ ନୁହେଁ । ଏହି ଯେ ସମସ୍ୟା, ବାସ୍ତବରେ ଏହାକୁ ଅତିକ୍ରମ କରିବାକୁ ହେଲେ ବାଧାବିଘ୍ନ ମଧ୍ୟଦେଇ ଯିବାକୁ ହେବ ଏବଂ ଚିନ୍ତା ବା କର୍ମର କେଉଁ ବିନ୍ଦୁରୁ ଆରମ୍ଭ କରିବାକୁ ହେବ, ନୂତନ ଅନୁଷ୍ଠାନଟିକୁ କେ ଉଁ ମୂଳନୀତି ଅନୁସରଣ କରି ଗଢିତୋଳିବାକୁ ହେବ ବା କେଉଁ ଧାରାରେ ଏହାର ନକ୍ସା ତିଆରି କରିବାକୁ ହେବ - ଏସବୁ ଆବିଷ୍କାର କରିବା ଆଦୌ ସହଜ ନୁହେଁ । ଅବସ୍ଥା ଅତି ଜଟିଳ ଏବଂ ଯାହା କରିବାକୁ ହେବ, ତାହାକୁ ସଂପୂର୍ଣ୍ଣ ଏକ ନୂତନ ଧାରାରେ ସୃଷ୍ଟି କରିବାକୁ ହେବ । ଭାରତରେ କୌଣସି ସମୟରେ ପ୍ରଚଳିତ କୌଣସି ଅତୀତ ନୀତି, ପଦ୍ଧତି ଓ ରୀତିକୁ - ତାହା ଯେତେ ମହାନ୍ ହେଉ ବା ଆମର ଅତୀତ ସଭ୍ୟତା ଓ ସଂସ୍କୃତି ସହିତ ତାହାର ଯେତେ ସଂଗତି ଥାଉ ନା କାହିଁକି - ତାହାର କେବଳ ପୁନଃପ୍ରଚଳନ କରାଇ ଆମେ ସନ୍ତୁଷ୍ଟ ହୋଇପାରିବୁ ନାହିଁ । ଅତୀତକୁ ପ୍ରତ୍ୟାବର୍ତ୍ତନ କରିବାର ଅର୍ଥ ହେବ ଏକ ନିଷ୍ଫଳ ଓ ଅସମ୍ଭବ ପ୍ରଚେଷ୍ଟା ଯାହା ବର୍ତ୍ତମାନର ଜରୁରୀ ଦାବି ଓ ଆମ ଭିବିଷ୍ୟତର ଆହୁରି ବୃହତ୍ତର ଦାବି ସକାଶେନୈରାଶ୍ୟଜନକଭାବେ ଅପର୍ଯ୍ୟାପ୍ତ ହେବ । ଅନ୍ୟ ପକ୍ଷରେ , ଇଂରାଜୀ, ଜର୍ମାନ୍ , ବା ଆମେରିକାନ୍ ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳ ଶିକ୍ଷାଧାରାକୁ ଗ୍ରହଣ କରିନେବା ବା ଭାରତୀୟତାର ବାହ୍ୟ ଆବରଣ ଦେଇ ସେହିସବୁରେ କିଛି ପରିବର୍ତ୍ତନ ସହ ଗ୍ରହଣ କରିବା ହୁଏତ ଆକର୍ଷଣୀୟ ଭାବେ ସହଜସାଧ୍ୟ ଏକ କାର୍ଯ୍ୟଧାରା ହୋଇପାରେ ଏବଂ ତଦ୍ଦ୍ଵାରା ହୁଏତ ବେଶୀ ଚିନ୍ତା କରିବାରୁ ଓ ନୂତନ ପରୀକ୍ଷା ନିରୀକ୍ଷାର ଆବଶ୍ୟକତାରୁ କ୍ଷାନ୍ତି ମିଳିପାରେ, କିନ୍ତୁ ସେହି କ୍ଷେତ୍ରରେ ଶିକ୍ଷାର ଜାତୀୟକରଣ ସମ୍ବନ୍ଧେ ଉଚ୍ଚ କୋଳାହଳ ନିମିତ୍ତ ଆହ୍ଵାନ କରିବାର ପ୍ରଶ୍ନ ଉଠୁ ନାହିଁ, ସେଥିପାଇଁ ଯାହାକିଛି ଆବଶ୍ୟକ ତାହା ହେଲା ନିୟନ୍ତ୍ରଣ, ଶିକ୍ଷାଦାନର ମାଧ୍ୟମ, ପାଠ୍ୟକ୍ରମର ଛାଞ୍ଚ ଓ ଯୋଜନା ଏବଂ କେତେକ ପରିଣାମରେ ବିଷୟଗୁଡିକ ମଧ୍ଯରେ ଭାରସାମ୍ୟ ରକ୍ଷା । ମୁଁ ଅନୁମାନ କରୁଛି ଯେ ଏ ବିଷୟରେ ଆମେ ଯାହା ଭାବୁଛୁ, ତାହା ଅପେକ୍ଷା ଏହା ଅଧିକକିଛି ଗଭୀର, ମହାନ୍ ଓ ଅନୁସନ୍ଧାନ କରିବାର ବିଷୟ ଏବଂ ଏହାକୁ ରୂପଦେବା ଯେତେ କଷ୍ଟସାଧ୍ୟ ହେଲେ ମଧ୍ୟ ଏହା ଭାରତୀୟ ଆତ୍ମା, ଆବଶ୍ୟକତା , ମାନସିକ ପ୍ରକୃତି ଓ ସଂସ୍କୃତିର ଉପଯୋଗୀ ଏକ ଶିକ୍ଷା ଯାହାର ଅନୁସନ୍ଧାନ କରିବାରେ ଆମ୍ଭେମାନେ ପ୍ରବୃତ୍ତ; ଯଥାର୍ଥରେ ଏହା ଏପରି କିଛି ନୁହେଁ ଯାହା କେବଳ ଅତୀତ ପ୍ରତି ବିଶ୍ଵସ୍ତ, କିନ୍ତୁ ଏହା ଭାରତର ବିକାଶଶୀଳ ଆତ୍ମା ପ୍ରତି, ତାହାର ଭବିଷ୍ୟତ୍ ଆବଶ୍ୟକତା ପ୍ରତି, ତାହାର ଆଗାମୀ ଆତ୍ମ-ସୃଜନର ମହାନତା ପ୍ରତି, ତାହାର ଶାଶ୍ଵତ ଆତ୍ମା ପ୍ରତି ବିଶ୍ଵସ୍ତ । ଏହି ବିଷୟହିଁ ଆମ୍ଭମାନଙ୍କ ମନରେ ସ୍ପଷ୍ଟ ହେବା ଆବଶ୍ୟକ, ଏବଂ ମହାନ୍ ଭାବେ କର୍ମସଂପାଦନ କରିବା ପୂର୍ବରୁ ଆମ୍ଭେମାନେ ତାହାର ମୌଳିକ ଭିତ୍ତି ମଧ୍ୟକୁ ଭେଦ କରିଯାଇ ତାହାକୁ ଦୃଢୀଭୂତ କରିବା ଆବଶ୍ୟକ । ତା'ନହେଲେ ସବୁଠୁ ସହଜ କାର୍ଯ୍ୟ ହେବ, ସତ୍ୟ ବୋଲି ପ୍ରତୀତ ହେଉଥିବା ଏକ ମିଥ୍ୟା ଧ୍ଵନିକୁ ଆଶ୍ରୟ କରି କାର୍ଯ୍ୟାରମ୍ଭ କରିବା ଅଥବା ପ୍ରକୃତ କ୍ଷେତ୍ରମଧ୍ୟକୁ ପ୍ରବେଶ କରୁ ନ ଥିବା ଏକ ସ୍ପର୍ଶକ ରେଖା ପରି ଏକ ଭୁଲ୍ ବିନ୍ଦୁରୁ ଯାତ୍ରାରମ୍ଭ କରି ଯଥାର୍ଥ ପଥଠାରୁ ବହୁ ଦୂରରେ ଦୂରରେ ଯାତ୍ରା କରିବା । ଏହା ଆମକୁ କୌଣସି ଲକ୍ଷ୍ୟରେ ତ ପହଞ୍ଚାଇବ ନାହିଁ ପରନ୍ତୁ ପରିଣାମ ହେବ ଶୂନ୍ୟତା ଓ ବିଫଳତା । କିନ୍ତୁ ଆମକୁ ପ୍ରଥମେ ପ୍ରାଥମିକ କ୍ଷତିକର ଆପତ୍ତି-ଅଭିଯୋଗ ସବୁକୁ ପଥରୁ ପରିଷ୍କାର କରିଦେବାକୁ ହେବ ମିଂବା ଅନ୍ତତଃ ସେଗୁଡିକୁ ଯଥାର୍ଥ ସ୍ଥାନ ଦେବାକୁ ହେବ ଏବଂ ଆଲୋକ ସମ୍ମୁଖକୁ ଆଣିବାକୁ ହେବ । ଏହି ଅଭିଯୋଗଗୁଡିକ ହେଲା : ପ୍ରକଳ୍ପିତ ଏକ ଜାତୀୟ ଶିକ୍ଷାର ଧାରଣାରେ କୌଣସି ଅର୍ଥ ନାହିଁ ବା ଏଥିପାଇଁ କୌଣସି ପ୍ରକାର କଷ୍ଟସ୍ଵୀକାର କରିବା ମୂଲ୍ୟହୀନ । ଏହି ଧାରଣା ହେଉଛି ଯେଉଁ କ୍ଷେତ୍ରରେ ଉତ୍ତମ ନାଗରିକତ୍ଵ ସମ୍ବଦନ୍ଧେ ତାଲିମ ଦେବା ବ୍ୟତୀତ ସ୍ଵଦେଶ-ପ୍ରେମର କୌଣସି ନ୍ୟାୟସଙ୍ଗତ ସ୍ଥାନ ନାହିଁ, ତାହାରି ମଧ୍ୟକୁ ଏକ ମିଥ୍ୟା ଓ ସଂକୀର୍ଣ୍ଣ ସ୍ଵଦେଶ-ପ୍ରମର ଏକ ଅବାଞ୍ଛିତ ଓ କ୍ଷତିକର ଅନଧିକାର ପ୍ରବେଶ । ଏବଂ ସେହି ଉଦ୍ଦେଶ୍ୟଟି ନିମିତ୍ତ କୌଣସି ବିଶେଷ ପ୍ରକାର ବା ପ୍ରଣାଳୀର ଶିକ୍ଷା ଅନାବଶ୍ୟକ , ଯେହେତୁ ଉତ୍ତମ ନାଗରିକତ୍ଵ ସକାଶେ ଦିଆଯାଉଥିବା ତାଲିମ ପ୍ରାଚ୍ୟ ବା ପାଶ୍ଚାତ୍ୟରେ ହେଉ , ଇଂଲଣ୍ଡ ବା ଜର୍ମାନୀ ବା ଜାପାନ ବା ଭାରତରେ ହେଉ, ସମସ୍ତଙ୍କ ସକାଶେ ସମସ୍ତ ସାରବସ୍ତୁ ସହିତ ସମାନ ହେବା ଆବଶ୍ୟକ । ମାନବଜାତି ଓ ଏହାର ଆବଶ୍ୟକତା ସକଳ ସର୍ବତ୍ର ସମାନ ଏବଂ ସକଳ ଦେଶ ନିର୍ବିଶେଷରେ ସତ୍ୟ ଓ ଜ୍ଞାନ ଏକ; ଶିକ୍ଷା ମଧ୍ୟ ହେବା ଆବଶ୍ୟକ ଏକ ସାର୍ବଜନୀନ ବିଷୟ ଏବଂ ସକଳ ଜାତୀୟ ବା ଦେଶଗତ ସୀମାରେଖାରୁ ମୁକ୍ତ । ଉଦାହରଣ ସ୍ଵରୂପ , ବିଜ୍ଞାନ-କ୍ଷେତ୍ରରେ ଜାତୀୟ ଶିକ୍ଷାର ଅର୍ଥ କ'ଣ ହୋଇପାରେ ଏବଂ ଏହା କ'ଣ ଏହି ମହତ୍ତ୍ଵକୁ ପ୍ରକାଶ କରେ ଯେ ଆମକୁ ଆଧିନିକ ସତ୍ୟ ଓ ବିଜ୍ଞାନର ଆଧିନିକ ପଦ୍ଧତିକୁ ବର୍ଜନ କରିବାକୁ ହେବ ଯେହେତୁ ଆମ ପାଖକୁ ସେସବୁ ଇଉରୋପରୁ ଆସିଛି ? ପ୍ରାଚୀନ ଭାରତରେ ଅପୂର୍ଣ୍ଣ ଭୌତିକ ଜ୍ଞାନ ଦିଗରେ ଫେରିଯାଇ ଗାଲିଲିଓ ଓ ନିଉଟନ୍ ଙ୍କ ବିଜ୍ଞାନ ଓ ଅନ୍ୟ ଯାହାକିଛି ପରେ ଆସିଛି ସେସବୁକୁ ଆମେ କ'ଣ ବର୍ଜନ କରିବା ଏବଂ ଯାହାକିଛି ଭାସ୍କରାଚାର୍ଯ୍ୟ, ଆର୍ଯ୍ୟଭଟ୍ଟ ଓ ବରାହମିହିରଙ୍କୁ ଜଣାଥିଲା, କେବଳ ସେତିକିହିଁ ଶିଖାଇବା ? କିମ୍ବା ସଂସ୍କୃତ ବା ବ୍ୟବହୃତ ଦେଶୀୟ ଭାଷାମାନଙ୍କର ଶିକ୍ଷାଦାନ ଲାଟିନ ବା ଆଧୁନିକ ଇଉରୋପୀୟ ଭାଷାମାନଙ୍କ ଶିକ୍ଷାଦନଠାରୁ ପ୍ରକାର ଓ ପଦ୍ଧତିରେ କିପରି ଭିନ୍ନ ହେବା ଉଚିତ ? ତେବେ କ'ଣ ଆମେ ନଦେୟାର "ଟୋଲ" ମାନଙ୍କର ଶିକ୍ଷାପଦ୍ଧତିକୁ ନା ତକ୍ଷଶୀଳା ଓ ନାଳନ୍ଦାର ପ୍ରଚୀନ ଶିକ୍ଷା-ବ୍ୟବସ୍ଥାକୁ, ଯଦି ଆମେ ତାହାକୁ ଯଥାର୍ଥରେ ଆବିଷ୍କାର କରିପାରୁ, ଫେରାଇ ଆଣିବା ? ଅତି ବେଶୀରେ ଯାହା ଦାବୀ କରାଯାଇପାରେ , ତାହା ହେଲା ଆମ ଦେଶର ଅତୀତର ଶିକ୍ଷାକୁ ପ୍ରଶସ୍ତତର ସ୍ଥାନ ଦେବା, ଇଂରାଜୀ ଭାଷାକୁ ନିମ୍ନତର ସ୍ଥାନ ଦେଇ ଦ୍ଵିତୀୟ ଭାଷାରୂପେ ଗ୍ରହଣ କରିବା - କିନ୍ତୁ ଏପରି ପରିବର୍ତ୍ତନସବୁ ଆଣିବାର ଯୌକ୍ତିକତା ସମ୍ବନ୍ଧେ ଆପତ୍ତି କରିବାର ସମ୍ଭାବନା ମଧ୍ୟ ରହିଛି । ସର୍ବୋପରି, ଆମେ ବିଂଶ ଶତାବ୍ଦୀରେ ବାସ କରୁଛୁ ଏବଂ ଚନ୍ଦ୍ରଗୁପ୍ତ ବା ଆକବରଙ୍କ ଯୁଗର ଭାରତବର୍ଷକୁ ବର୍ତ୍ତମାନ ପୁନର୍ଜୀବିତ କରିପାରିବୁ ନାହିଁ ; ଆମ୍ଭେମାନେ ସତ୍ୟ ଓ ଜ୍ଞାନର ଅଗ୍ରଗତି ସହ ସମତାଳ ଦେଇ ଆଗେଇ ଚାଲିବା, ଏବଂ ବାସ୍ତବ ପରିସ୍ଥିତି ମଧ୍ୟରେ ବଞ୍ଚିବା ନିମିତ୍ତ ଆମ୍ଭମାନଙ୍କୁ ଉପକୁକ୍ତ କରି ଗଢିତୋଳିବା ଆବଶ୍ୟକ; ଏବଂ ସେହି କାରଣରୁ ଆମ୍ଭମାନଙ୍କର ଶିକ୍ଷା ବାହ୍ୟରୂପ ତଥା ସାରତତ୍ତ୍ଵରେ ଯୁଗୋପଯୋଗୀ ଏବଂ ଜୀବନ ତଥା ଅନ୍ତଶ୍ଚେତନାରେ ଆଧୁନିକ ହେବା ଆବଶ୍ୟକ ।
No comments:
Post a Comment