About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday, 13 June 2007

-----ମାନବ ମନ-----

ଶିକ୍ଷାର ଯଥାର୍ଥ ଭିତ୍ତି ହେଉଛି ଶୈଶବ, କୈଶୋର ଓ ପ୍ରୌଢାବସ୍ଥାର ମାନବ-ମନର ଅନୁଶୀଳନ । ଜ୍ଞାନ-କୈନ୍ଦ୍ରିକ ପୂର୍ଣ୍ଣତାର ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ ଶିକ୍ଷାବ୍ୟବସ୍ଥା ଯାହା ଅଧ୍ୟୟନର ଉପକରଣକୁ ଉପେକ୍ଷା କରେ ତାହା ପୂର୍ଣାଙ୍ଗ ଓ ସୁଷମ ମନର ଗଠନ ନ କରି ବୁଦ୍ଧିଗତ ଉତ୍କର୍ଷକୁ ଅଧିକାର ଭାବେ ବାଧାଦେବାର ଓ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ଥାଏ । କାରଣ ଶିକ୍ଷାବିତ୍ କୁ କଳାକାର ବା ସ୍ଥପତି ସଦୃଶ ନିର୍ଜୀବ ଉପକରଣକୁ ନେଇ ନୁହେଁ, କିନ୍ତୁ ଅସୀମ ଭାବେ ସୂକ୍ଷ୍ମ ଓ ସଂବେଦନଶୀଳ ଜୀବନକୁ ନେଇ କାର୍ଯ୍ୟ କରିବାକୁ ହୁଏ । ସେ କାଷ୍ଠ ବା ପ୍ରସ୍ତର ସଦୃଶ କୌଣସି ମାନବକୁ ଶିକ୍ଷାକ୍ଷେତ୍ରରେ ଶ୍ରେଷ୍ଠ ଅବଦାନର ରୂପାୟିତ କରିପାରିବ ନାହିଁ, ଯେଉଁ ମନକୁ ବୁଝିବା ଦୁରୂହ ତାହାର ଉପାଦାନକୁ ନେଇ ତାକୁ କାର୍ଯ୍ୟ କରିବାକୁ ହେବ ଏବଂ ଭଙ୍ଗୁର ମାନବ-ଶରୀର ଦ୍ଵାରା ସେହି ମନ ଉପରେ ଆରୋପିତ ସୀମିତ ଅବସ୍ଥା ଉପରେ ତାକୁ ବିବେଚନା କରିବାକୁ ହେବ । ଏହି ନିଃସନ୍ଦେହ ଯେ ଇଉରୋପର ଆଧୁନିକ ଶିକ୍ଷାବ୍ୟବସ୍ଥା ପ୍ରାଚୀନ କାଳର ଅନେକ ଶିକ୍ଷାବ୍ୟବସ୍ଥା ଅପେକ୍ଷା ବିଶେଷ ଅଗ୍ରଗତି କରିଛି, କିନ୍ତୁ ଏହାର ତୃଟି ସକଳ ମଧ୍ୟ ସ୍ପଷ୍ଟ । ମାନବ-ମନସ୍ତତ୍ତ୍ଵର ଅପୂର୍ଣ୍ଣ ଜ୍ଞାନହିଁ ଏହାର ଭିତ୍ତିଭୂମି, ଏବଂ କେବଳ ଇଉରୋପରେହିଁ ଏହାକୁ ଏହାର ବିପଜ୍ଜନକ ପରିଣାମରୁ ସୁରକ୍ଷିତ କରାଯାଇ ପାରିଛି । କାରଣ ସେଠାରେ ଏହି ଶିକ୍ଷାବ୍ୟବସ୍ଥାର ପ୍ରକ୍ରିୟାକୁ ସାଧାରଣ ଛାତ୍ର ଅସ୍ଵୀକାର କରିଥାଏ, ଦଣ୍ଡରୁ ରକ୍ଷା ପାଇବା କିଂବା ତୁରନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମିତ୍ତ ଯେତିକି ଆବଶ୍ୟକ କେବଳ ସେତିକି ଅଧ୍ୟୟନର ଅଭ୍ୟାସ କରେ, କେତେକ ସକ୍ରିୟ ଅଭ୍ୟାସ ଓ ଜୋରଦାର ଶାରୀରିକ ବ୍ୟାୟମ ଅବଲମ୍ବନ କରେ । କେବଳ ଭାରତରେହିଁ ଶରୀର, ମନ ଓ ଚରିତ୍ର ଉପରେ ଏହି ଶିକ୍ଷାବ୍ୟବସ୍ଥାର ଶୋଚନୀୟ ପରିଣାମ ବିଶେଷ ଭାବେ ପରିଲକ୍ଷିତ ହୁଏ । ଜାତୀୟ ଶିକ୍ଷା-ବ୍ୟବସ୍ଥାର ପ୍ରଥମ ସମସ୍ୟା ହେଲା ଇଉରୋପୀୟ ଶିକ୍ଷା-ବ୍ୟବସ୍ଥା ସଦୃଶ ବ୍ୟାପକ, ଏବଂ ତଦପେକ୍ଷୀ ଅଧିକ ସଂପୂର୍ଣ୍ଣ ତଥା ତୃଟିହୀନ ଶିକ୍ଷାଦାନ କରିବା ଯହିଁରେ ଅଧିକ ମାନସିକ ଶ୍ରାନ୍ତି ଓ ଅର୍ଥହୀନ ମୁଖସ୍ଥ କରିବାର କୁପରିଣାମ ଦେଖା ଦେବ ନାହିଁ । ଏହା କେବଳ ଜ୍ଞାନାର୍ଜନର ଉପକରଣର ଅଧ୍ୟୟନ ଏବଂ ଏକ ସ୍ଵାଭାବିକ, ସହଜ ଓ ଫଳପ୍ରଦ ଶିକ୍ଷା-ବ୍ୟବସ୍ଥାର ଆବିଷ୍କାର ଦ୍ଵାରା ସମ୍ଭବ ହୋଇପାରେ । କେବଳ ଏହି ଜ୍ଞାନାର୍ଜନର ଉପକରଣଗୁଡିକୁ ସେସବୁର ସର୍ବୋତ୍ତମ ସାମର୍ଥ୍ୟରେ ଶକ୍ତିଶାଳୀ ଓ ତୀକ୍ଷଣ କରିବା ଦ୍ଵାରାହିଁ ଆଧୁନିକ ଅବସ୍ଥାରେ ପ୍ରୟୋଜନୀୟ ବୃଦ୍ଧିପ୍ରାପ୍ତ ବ୍ୟବହାର ନିମିତ୍ତ ଫଳପ୍ରଦ କରାଯାଇପାରେ । ମାନସିକ ଶକ୍ତିସବୁକୁ ସରଳ ଓ ସହଜ ଉପାୟ ଦ୍ଵାରା ତନ୍ନ ତନ୍ନ ଭାବେ ତାଲିମ୍ କରିବାକୁ ହେବ, ତେବେହିଁ-ଏବଂ ତାହା ହେବା ପୂର୍ବରୁ ନୁହେଁ- ବୁଦ୍ଧିଗତ ଶକ୍ତିର ଅସାଧାରଣ କାର୍ଯ୍ୟସକଳ ସେସବୁ ଦ୍ଵାରା ସାଧିତ ହୋଇପାରିବ । ଯଥାର୍ଥ ଶିକ୍ଷାଦାନର ପ୍ରଥମ ନୀତି ଏହି ଯେ କିଛି ବି ଶିକ୍ଷା ଦିଆଯାଇ ପାରିବ ନାହିଁ । ଶିକ୍ଷକ ଜଣେ ଉପଦେଷ୍ଟା ବା ଅବଧାନ ନୁହନ୍ତି , ସେ ଜଣେ ସାହାଯ୍ୟଦାତା ଓ ପଥପ୍ରଦର୍ଶକ । ତାଙ୍କର କର୍ତ୍ତବ୍ୟ ହେଲା ସୂଚନା ଦେବା, କିନ୍ତୁ ଜବରଦସ୍ତି କିଛି ଲଦିଦେବା ନୁହେଁ । ବାସ୍ତବରେ ସେ ଛାତ୍ରର ମନକୁ ତାଲିମ କରନ୍ତି ନାହିଁ, ସେ କେବଳ ତାହାର ଜ୍ଞାନାର୍ଜନର ଯନ୍ତ୍ରଗୁଡିକୁ କିପରି ପୂର୍ଣ୍ଣତା ପ୍ରଦାନ କରିବାକୁ ହେବ, ତାହା ଦେଖାଇ ଦିଅନ୍ତି ଏବଂ ତାହାର ପଦ୍ଧତିରେ ଉତ୍ସାହିତ ଓ ସହାୟତା କରନ୍ତି । ସେ ତାକୁ ଜ୍ଞାନ ପ୍ରଦାନ କରନ୍ତି ନାହିଁ, ନିଜେ କିପରି ଜ୍ଞାନ୍ ଅର୍ଜନ କରିପାରିବ ତାହାର ଉପାୟ ଦେଖାଇ ଦିଅନ୍ତି । ସେ ଛାତ୍ର ମଧ୍ୟରେ ଅନ୍ତର୍ନିହିତ ଜ୍ଞାନକୁ ବହିର୍ଦେଶକୁ ଆଣି ତାହାର ପ୍ରୟୋଗ କରନ୍ତି ନାହିଁ, କେବଳ ତାକୁ ଦେଖାଇ ଦିଅନ୍ତି ଯେ ତାହା କେଉଁଠାରେ ନିହିତ ଏବଂ ତାହାକୁ ବହିର୍ଦେଶକୁ ଆଣିବାକୁ ସେ କିପରି ଅଭ୍ୟସ୍ତ ହୋଇପାରେ । ଏହି ନିୟମ କେବଳ କିଶୋର ଓ ପ୍ରୌଢ ମନକୁ ଶିକ୍ଷା ଦେବା ନିମିତ୍ତ ଏହା ପ୍ରଯୋଜ୍ୟ ନୁହେଁ, - ଏହା ଏକାନ୍ତ ରକ୍ଷଣଶୀଳ ଏବଂ ଅଜ୍ଞାନମୂଳକ ମତବାଦ । ଶିଶୁ ବା ବୟସ୍କ ବ୍ୟକ୍ତି, ବାଳକ ବା ବାଳିକା, ସମସ୍ତଙ୍କ ନିମିତ୍ତ ଶିକ୍ଷାଦାନର କେବଳ ଏହି ଏକମାତ୍ର ଉତ୍ତମ ନିୟମ ଅଛି । ବୟସର ତାରତମ୍ୟ ଅନୁସାରେ ପ୍ରୟୋଜନୀୟ ସାହାର୍ଯ୍ୟ ଓ ମାର୍ଗ ଦର୍ଶନର ନିର୍ଦେଶର ମାତ୍ରା କମ୍ ବା ବେଶି ହୋଇପାରେ କିନ୍ତୁ ମୂଳତଃ ଏହି ନିୟମର ପ୍ରକୃତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ଦ୍ଵିତୀୟ ନୀତି ହେଲା ଉତ୍କର୍ଷସାଧନ ନିମିତ୍ତ ମନକୁ ନିଜର ପରାମର୍ଶ ଗ୍ରହଣ କରିବାକୁ ହେବ । ଛତ୍ରମାନଙ୍କୁ ପିତା-ମାତା ବା ଶିକ୍ଷକଙ୍କ ଅଭିଳଷିତ ଚାଞ୍ଚରେ ପିଟାପିଟି କରି ଗଢିତୋଳିବାର ଧାରଣା ଏକ ବର୍ବୋରଚିତ ଅଜ୍ଞାନ କୁସଂସ୍କାର ମାତ୍ର । ଛାତ୍ର ନିଜେ ହିଁ ନିଜର ସ୍ଵଭାବ ଅନୁଯାୟୀ ବିକାଶପ୍ରାପ୍ତ ହେବାକୁ ଅନୁପ୍ରାଣିତ ହେବା ଉଚିତ । ପୂତ୍ର-କନ୍ୟାଙ୍କୁ ପୂର୍ବନିର୍ଦ୍ଧାରିତ କୌଣସି ନିର୍ଦ୍ଦିଷ୍ଟ ଗୁଣାବଳୀ, ଶକ୍ତି, ଭାବଧାରା, ନୈତିକ ଉତ୍କର୍ଷର ଅଧିକାରୀ କରାଇବା ନିମିତ୍ତ ଅଥବା ପୂର୍ବ କଳ୍ପିତ ଏକ ଜୀବନନିର୍ବାହ-ପନ୍ଥା ନିମିତ୍ତ ପ୍ରସ୍ତୁତ କରାଇବାର ମନୋଭାବ ଧାରଣ କରିବାଠାରୁ ପିତାମାତାଙ୍କ ପକ୍ଷରେ ଆଉ କିଛି ବଡ ଭୁଲ ନାହିଁ । ସ୍ଵଭାବକୁ ତାହାର ନିଜ ଧର୍ମ ତ୍ୟାଗ ନିମିତ୍ତ ବାଧ୍ୟ କରିବାର ଅର୍ଥ ସବୁଦିନ ପାଇଁ ତାହାର କ୍ଷତି ଘଟାଇବା, ବିକାଶରେ ବ୍ୟାଘାତ ଆଣିବା ଓ ପୂର୍ଣ୍ଣତା ଲାଭକୁ ବିକୃତ କରିବା । ମାନବ ଆତ୍ମା ଉପରେ ଏହା ଏକ ସ୍ଵାର୍ଥଜଡିତ ଅତ୍ୟାଚାର ଏବଂ ରାଷ୍ଟ୍ର ସକାଶେ ଏକ ଆଘାତ; କାରଣ ଏହା ଫଳରେ ଏହାର ମଙ୍ଗଳ ନିମିତ୍ତ ବ୍ୟକ୍ତି ତାହାର ଯେଉଁ ସର୍ବୋତ୍କୃଷ୍ଟ ଦାନ ଦେଇଥା'ନ୍ତା ତାହା ରାଷ୍ଟ୍ର ହରାଇ ବସେ ଏବଂ ତତ୍ ପରିବର୍ତ୍ତେ ତାହାଠାରୁ ଗ୍ରହଣ କରିବାକୁ ବାଧ୍ୟ ହୁଏ ଯାହା ଅପୂର୍ଣ୍ଣ, କୃତ୍ରିମ, ଦ୍ଵିତୀୟ ଶ୍ରେଣୀୟ, ଆଗ୍ରହହୀନ ଓ ସାଧାରଣ । ପ୍ରତ୍ୟକ ମନୁଷ୍ୟ ମଧ୍ୟରେ ଏପରି କିଛି ନିହିତ ଯାହା ଦିବ୍ୟ, ଯାହା ତାହାର ନିଜସ୍ଵ, ଏବଂ ପୂର୍ଣ୍ଣତା ଓ ସାମର୍ଥ୍ୟପ୍ରାପ୍ତି ନିମିତ୍ତ ପ୍ରତ୍ୟକର ରହିଛି ସୁଯୋଗ - ତାହାର ପରିସର ଯେତେ କ୍ଷୁଦ୍ର ହେନୁନା କାହିଁକି - ଯାହା ଭଗବାନ ତାକୁ ଦାନ କରନ୍ତି ଏବଂ ତାକୁ ସେ ଗ୍ରହଣ ଅଥବା ବର୍ଜନ କରିପାରେ । ଆମର ଏକାନ୍ତ କର୍ତ୍ତବ୍ୟ ହେଲା ଏହାକୁ ଆବିଷ୍କାର କରିବା, ବିକଶିତ କରାଇବା ଓ ବ୍ୟବହାର କରିବା । ଶିକ୍ଷାର ସର୍ବପ୍ରଧାନ ଲକ୍ଷ୍ୟ ହେବା ଉଚିତ ଏକ ମହତ୍ ଉଦ୍ଦେଶ୍ୟସାଧନ ନିମିତ୍ତ ବିକାଶଶୀଳ ଅନ୍ତରତ୍ମାକୁ ତାହାର ନିଜ ମଧ୍ୟସ୍ଥ ସର୍ବୋତ୍କୃଷ୍ଟ ବସ୍ତୁକୁ ବାହାର କରି ଆଣିବା ଓ ତାହାକୁ ପୂର୍ଣ୍ଣତା ପ୍ରଦାନ କରିବାରେ ସାହାଯ୍ୟ କରିବା । ଶିକ୍ଷାଦାନର ତୃତୀୟ ନୀତି ହେଉଛି ନିକଟସ୍ଥ ପାରିପାର୍ଶ୍ଵ ଅବସ୍ଥାରୁ ଆରମ୍ଭ କରି ଦୂର-ଦୂରାନ୍ତ ପର୍ଯ୍ୟନ୍ତ, ବର୍ତ୍ତମାନ ଯାହା ଉପସ୍ଥିତ ତହିଁରୁ ଆରମ୍ଭ କରି ଭବିଷ୍ୟତରେ ଯାହା ଉଠିବ ସେଥି ନିମିତ୍ତ କାର୍ଯ୍ୟକରିବା । ପ୍ରାୟ ସଦାସର୍ବଦା, ମାନବପ୍ରକୃତିର ମୂଳଭିତ୍ତି ହେଲା ତାହାର ଅନ୍ତରାତ୍ମାର ଅତୀତ ଅବସ୍ଥା ଏବଂ ତାହାର ବଂଶପରମ୍ପରା, ପରିବେଶ, ଜାତୀୟତା, ଦେଶ, ଯେଉଁ ମୃତ୍ତିକାରୁ ସେ ଖାଦ୍ୟ ଗ୍ରହଣ କରେ, ଯେଉଁ ବାୟୁ ସେ ନିଃଶ୍ଵାସରେ ସେବନ କରେ, ଯେଉଁ ଦୃଶ୍ୟ , ଶବ୍ଦ ଓ ଅଭ୍ୟାସରାଜି ସହ ସେ ଅଭ୍ୟସ୍ତ । ଯେହେତୁ ସେସବୁ ତାହାକୁ ତାହାର ଅଜ୍ଞାତସାରରେ ପ୍ରଭାବିତ କରନ୍ତି, ତଥାପି ଏହା ନୁହେଁ ଯେ ସସବୁ କମ୍ ପ୍ରଭାବଶାଳୀ ଭାବେ ତାହାକୁ ଗଢି ତୋଳନ୍ତି । ତେଣୁ ସେହିସବୁକୁ ନେଇ ହିଁ ଆମକୁ ଶିକ୍ଷା ଆରମ୍ଭ କରିବାକୁ ହେବ । ବ୍ୟକ୍ତି ଯେଉଁ ଦେଶରେ ବାସ କରେ, ସ୍ଵଚ୍ଛନ୍ଦରେ ଗଢି ଉଠେ ଏବଂ ଯାହାର ପରିବେଶ ମନକୁ ପରିବେଷ୍ଟିତ କରେ ତହିଁରୁ ତାହାର ପ୍ରକୃତିର ଚେରମୂଳକୁ ଉତ୍ପାଟିତ କରି ତାହାର ବିପରୀତଧର୍ମୀ ଦେଶ ଓ ଜୀବନର ମାନସିକ ଚିତ୍ର ଓ ଭାବଧାରାକୁ ଗ୍ରହଣ କରିବା ଉଚିତ ନୁହେଁ । ଯଦି ବାହାରୁ କିଛି ଆଣିବାକୁ ହେବ ତେବେ ତାହାକୁ ଗ୍ରହଣ କରିବା ନିମିତ୍ତ ମନ ନିକଟରେ ସମର୍ପଣ କରିବାକୁ ହେବ, କିନ୍ତୁ ବାଧ୍ୟ କରି ଲଦି ଦେବାକୁ ହେବ ନାହିଁ । ଏକ ସ୍ଵାଧୀନ ଓ ସ୍ଵଭାବିକ ଅଭିବୃଦ୍ଧି ହିଁ ଯଥାର୍ଥ ବିକାଶର ସର୍ତ୍ତ । ଏପରି ମାନବାତ୍ମାସବୁ ଦେଖାଯାନ୍ତି ଯେଉଁମାନେ ସ୍ଵଭାବତଃ ସେମାନଙ୍କ ପରିବେଶ ବୋରୋଧରେ ବିଦ୍ରୋହୀ ହୋଇଉଠନ୍ତି ଏବଂ ଏହା ବୋଧ ହୁଏ ଯେ ସେମାନେ ଭିନ୍ନ ଯୁଗ ଓ ଦେଶର ବ୍ୟକ୍ତି । ସେମାନେ ସେମାନଙ୍କର ସ୍ଵାଭାବିକ ଆଗ୍ରହକୁ ଅନୁସରଣ କରିବା ଉଚିତ; କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅବସନ୍ନ, ଶକ୍ତିହୀନ, ଶୂନ୍ୟ ଓ ଅପ୍ରାକୃତିକ ହୋଇପଡନ୍ତି ଯଦି ସେମାନଙ୍କୁ କୃତ୍ରିମ ଭାବେ କୌଣସି ବିପରୀତ ଧର୍ମୀ ଛାଞ୍ଚରେ ପକାଇ ଗଢିବାର ପ୍ରୟାସ କରାଯାଏ । ଏହା ଇଶ୍ଵରଙ୍କର ବ୍ୟବସ୍ଥା ଯେ ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ , ଯୁଗ ଓ ସମାଜର ବ୍ୟକ୍ତି ହେବା ଉଚିତ; ସେମାନେ ହେବା ଉଚିତ ବର୍ତ୍ତମାନର ଅଧିକାରୀ ଶିଶୁଗଣ, ଭବିଷ୍ୟତର ସ୍ରଷ୍ଟା । ଅତୀତ ହେଉଛି ଆମ୍ଭମାନଙ୍କର ଭିତ୍ତିଭୂମି, ବରର୍ତ୍ତମାନ ଆମ୍ଭମାନଙ୍କର ବିଷୟବସ୍ତୁ ଏବଂ ଭବିଷ୍ୟତ ହେଉଛି ଆମ୍ଭମାନଙ୍କର ଲକ୍ଷ୍ୟ ଓ ପ୍ରଗତିର ପରାକାଷ୍ଠା । ଜାତୀୟ ଶିକ୍ଷା ବ୍ୟବସ୍ଥାରେ ପ୍ରତ୍ୟକେହିଁ ନିଜ ନିଜର ଉପଯୁକ୍ତ ଓ ସ୍ଵାଭାବିକ ସ୍ଥାନ ଗ୍ରହଣ କରିବା ଉଚିତ ।

2 comments:

Anonymous said...

Nice Blog, Specially thanks to publish a blog in Oriya Language.
Keep it up
Great Job

Anonymous said...

Nice use of unicode fonts. Its really working. Keep the post up