About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Wednesday, 13 June 2007

ଗୀତାର ଭୂମିକା..........

ଭ୍ରାତୃବଧ ଓ କୁଳନାଶ :- ଅର୍ଜୁନଙ୍କ ସମସ୍ତ ଯୁକ୍ତି କୁଳହିତ ଉପରେ ପ୍ରତିଷ୍ଠିତ । କୁଳ ପ୍ରତି ସେନ୍ହ ବଶର ସମଗ୍ର ଜାତିର ହିତ ଚିନ୍ତା ତାଙ୍କ ମନରୁ ଦୂର ହୋଇଛି । ସେ କୁରୁକୁଳର ହିତ କଥା ଭାବି ଭାରତର ହିତ ବିସ୍ମୃତ ହୋଇଛନ୍ତି । ଅଧର୍ମର ଭୟରେ ଧର୍ମକୁ ଜଳାଞ୍ଜଳି ଦେବାକୁ ସେ ବଦ୍ଧପରିକର । ସ୍ଵାର୍ଥ ନିମିତ୍ତ ଭ୍ରାତୃବଧ ମହାପାପ, ଏକଥା ସମସ୍ତେ ଜାଣନ୍ତି, କିନ୍ତୁ ଭ୍ରାତୃପ୍ରେମବଶରେ ଜାତୀୟ ଅନର୍ଥ ସମ୍ପାଦନରେ ରତହେବା, ଜାତୀୟ ହିତସାଧନରେ ବିମୁଖ ହେବା ଗୁରୁତର ପାପ ।ଯଦି ଅରୁଜୁନ ଶସ୍ତ୍ର ତ୍ୟାଗ କରନ୍ତି, ତେବେ ଅଧର୍ମର ଜୟ ହେବ, ଦୁର୍ଯ୍ୟୋଧନ ଭାରତର ପ୍ରଧାନ ନୃପତି ଓ ସମଗ୍ର ଦେଶର ନେତା ହୋଇ ଜାତୀୟ ଚରିତ୍ରକୁ ତଥା କ୍ଷତ୍ରିୟକୁଳର ଆଚରଣକୁ ନିଜର କୁଦୃଷ୍ଟାନ୍ତରେ କଳୁଷିତ କରିବେ; ଭାରତର ପ୍ରବଳ ପରାକ୍ରାନ୍ତ କୁଳସବୁ ସ୍ଵାର୍ଥ, ଈର୍ଷା ଓ ବିରୋଧର ପ୍ରେରଣାରେ, ପରସ୍ପରକୁ ବିନାଶ କରିବାକୁ ଉଦ୍ୟତ ହେବେ, ଦେଶକୁ ଏକତ୍ରିତ, ନିୟନ୍ତ୍ରିତ ଓ ଶକ୍ତିର ସମାବେଶରେ ସୁରକ୍ଷିତ କରିବା ସକାଶେ କୌଣସି ଅସପତ୍ନ ଧର୍ମପ୍ରଣୋଦିତ ରାଜଶକ୍ତି ରହିବ ନାହିଁ । ସେତେବେଳର ଏହି ଅବସ୍ଥାରେ ଯଦି ବିଦେଶୀ ଆକ୍ରମଣ ରୁଦ୍ଧ ସମୁଦ୍ରର ତରଙ୍ଗଦୁଲ୍ୟ ଆସି ପଡିଥା'ନ୍ତା ତେବେ ତାହା ଅସମୟରେ ଆସି ଆର୍ଯ୍ୟସଭ୍ୟତାକୁ ଧ୍ଵଂସ କରି ଜଗତର ଭାବୀ ହିତର ଆଶା ନିର୍ମୂଳ କରିଥା'ନ୍ତା । ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ପ୍ରତିଷ୍ଠିତ ସାମ୍ରାଜ୍ୟର ଦୁଇ ସହସ୍ର ବର୍ଷ ପରେ ଭାରତରେ ଯେଉଁ ରାଜନୈତିକ ଉତ୍ପାତ ଆରମ୍ଭ ହେଲା, ତାହା ସେହି ସମୟରେହିଁ ହୋଇଥା'ନ୍ତା । ଲୋକେ କହନ୍ତି, ଅର୍ଜୁନ ଯେଉଁ ଅନିଷ୍ଟର ଭୟରେ ଏହି ଆପତ୍ତି କରିଥିଲେ, ସତକୁ ସତ୍ ଅ କୁରୁକ୍ଷେତ୍ର ଯୁଦ୍ଧ ଫଳରେ ସେହି ଅନିଷ୍ଟ ଫଳିଲା । ଭ୍ରାତୃବଧ, କୁଳନାଶ କୁରୁକ୍ଷେତ୍ର ଯୁଦ୍ଧର ଫଳ । କୁରୁକ୍ଷେତ୍ର ଯୁଦ୍ଧହିଁ ହେଲା କଳିଯୁଗ ଆବିର୍ଭାର କାରଣ । ଏହି ଯୁଦ୍ଧରେ ଭୀଷଣ ଭ୍ରାତୃବଧ ହେଲା, ଏହା ସତ୍ୟ । ଏଠାରେ ପ୍ରଶ୍ନ ଉଠିପାରେ, ଅନ୍ୟ କେଉଁ ଉପାୟରେ ଶ୍ରୀକୃଷ୍ଣଙ୍କ ମହତ୍ ଉଦ୍ଦେଶ୍ୟ ସାଧିତ ହୋଇ ପାରିଥା'ନ୍ତା କି ? ଏହି ସକାଶେହିଁ ସନ୍ଧିପ୍ରାର୍ଥନା ବିଫଳ ହେବା ଜାଣି ବି ଶ୍ରୀକୃଷ୍ଣ ସନ୍ଧି ସ୍ଥାପନ ନିମିତ୍ତ ଅନେକ ଚେଷ୍ଟା କରିଥିଲେ । ଏପରିକି ପଞ୍ଚଗ୍ରାମ ଫେରି ପାଇଲେ ଯୁଧିଷ୍ଠିର ଯୁଦ୍ଧରୁ ବିରତ ହୋଇଥା'ନ୍ତେ, ସେତିକି ମାତ୍ର ପଦ ରଖିବାର ସ୍ଥଳ ପାଇଥିଲେ ବି ଶ୍ରୀକୃଷ୍ଣ ଧର୍ମରାଜ୍ୟ କରିପାରିଥା'ନ୍ତେ । କିନ୍ତୁ ଦୁର୍ଯ୍ୟୋଧନଙ୍କର ଦୃଢ ନିଶ୍ଚୟ ଥିଲା ଯେ ବିନା ଯୁଦ୍ଧରେ ସୂଚ୍ୟଗ୍ର ଭୂମି ବି ଦେବେ ନାହିଁ । ଯେତେବେଳେ ସମସ୍ତ ଦେଶର ଭବିଷ୍ୟତ ଯୁଦ୍ଧର ଫଳାଫଳ ଉପରେ ନିର୍ଭର କରୁଛି, ତେତେବେଳେ ସେହି ଯୁଦ୍ଧାର ଭ୍ରାତୃବଧ ହେବ ବୋଲି ମହତ୍ କର୍ମରୁ ବିମୁଖ ହେବା ଅଧର୍ମ ହେବ । ପରିବାରର ହିତକୁ ଜାତି ଓ ଜଗତର ହିତରେ ବିସର୍ଜନ କରିବାକୁ ହୁଏ । ଭ୍ରାତୃ ସ୍ନେହରେ, ପାରିବାରିକ ପ୍ରୀତିର ମୋହରେ କୋଟି କୋଟି ଲୋକଙ୍କର ସର୍ବନାଶ କଲେ ଚଳିବ ନାହିଁ, କୋଟି କୋଟି ଲୋକଙ୍କର ଭାବୀ ସୁଖ ବା ଦୁଃଖମୋଚନ ବିନଷ୍ଟ କଲେ ଚଳିବ ନାହିଁ, ଏଥିରେ ବ୍ୟକ୍ତି ଓ କୁଳର ନରକ ପ୍ରାପ୍ତି ହେବ । କୁରୁକ୍ଷେତ୍ର ଯୁଦ୍ଧରେ କୁଳନାଶ ହୋଇଗଲା, ଏହା ସତ୍ୟ କଥା । ଏହି ଯୁଦ୍ଧ ଫଳରେ ମହାପ୍ରତାପୀ କୁରୁବଂଶ ଏକପ୍ରକାର ଲୋପ୍ ପାଇଗଲା । କିନ୍ତୁ ଯଦି କୁରୁଜାତିର ଲୋପରେ ସମସ୍ତ ଭାରତର ରକ୍ଷା ହୋଇଥାଏ, ତେବେ ଏହି କୁଳଧ୍ଵଂସରେ କ୍ଷତି ନ ହୋଇ ଲାଭହିଁ ହୋଇଛି । ଯେପରି ପାରିବାରିକ ପ୍ରେମର ମାୟା ଅଛି, ସେହିପରି କୁଳର ବି ମାୟା ଅଛି । ଆମ ଭାଇଙ୍କୁ କିଛି କହିବୁ ନାହିଁ, ଦେଶବାସୀଙ୍କ ସଙ୍ଗେ ବିରୋଧ୍ କରିବୁ ନାହିଁ, ଅନିଷ୍ଟ କଲେ ସୁଦ୍ଧା, ଆତତାୟୀ ହେଲେ ସୁଦ୍ଧା, ଦେଶର ସର୍ବନାଶ କଲେ ସୁଦ୍ଧା - ସେ ଆମର ଭାଇ, ସ୍ନେହର ପାତ୍ର, ନୀରବରେ ଏହିସବୁ ଅନ୍ୟାୟ ସହ୍ୟ କରିବୁ ; ଆମ୍ଭମାନଙ୍କ ମଧ୍ୟରେ ଯେଉଁ ବୈଷ୍ଣବୀ ମାୟାପ୍ରସୂତ ଅଧର୍ମ ଧର୍ମବେଶ ଧରି ବହୁତଙ୍କ ବୁଦ୍ଧି ଭ୍ରଂଶ କରେ, ତାହା ଏହି କୁଳର ମାୟାମୋହରୁ ଉତ୍ପନ୍ନ । ବିନା କାରଣରେ ବା ସ୍ଵାର୍ଥ ନିମିତ୍ତ ନିତାନ୍ତ ପ୍ରୟୋଜନ ବା ଆବଶ୍ୟକତାର ଅଭାବରେ, ଦେଶ-ଭାଇଙ୍କ ସଙ୍ଗେ ବିରୋଧ ଓ କଳହ କରିବା ଅଧର୍ମ । କିନ୍ତୁ ଯେ ଦେଶ-ଭାଇମାନଙ୍କ ଜନନୀକୁ ପ୍ରାଣରେ ମାରିବାକୁ ବା ତାହାର ଅନିଷ୍ଟ କରିବାକୁ ବଦ୍ଧପରିକର, ତାହାର ଦୌରାତ୍ମ୍ୟ ନୀରବରେ ସହ୍ୟ କରି ସେହି ମାତୃହତ୍ୟା ଓ ଅନିଷ୍ଟାଚରଣକୁ ପ୍ରଶ୍ରୟ ଦେବା ଆହୁରି ଗୁରୁତର ପାପ । ଯେତେବେଳେ ଶିବାଜି ମୁସଲମାନମାନଙ୍କ ପକ୍ଷୀୟ ଦେଶଭାଇଙ୍କୁ ସଂହାର କରିବାକୁ ଗଲେ, ସେତେବେଳେ ଯଦି କେହି କହିଥା'ନ୍ତା ଆହା କ'ଣ କରୁଛ, ଏମାନେ ଦେଶଭାଇ, ନୀରବରେ ସବୁ ସହ୍ୟ କର, ତାହାଫଳରେ ମାହାରାଷ୍ଟ୍ର ମୋଗଲଙ୍କ ହାତରେ ଗଲେ ଯାଉ, ମରହଟ୍ଟା, ମରହଟ୍ଟାଙ୍କ ମଧ୍ୟରେ ପ୍ରେମ ରହିଲେହିଁ ଯଥେଷ୍ଟ - ଏପରି କଥା ଏକାନ୍ତ ହାସ୍ୟକର ବୋଧ ହୋଇ ନ ଥାଆନ୍ତା ? ଆମେରିକାବାସୀଗଣ ଯେତେବେଳେ ଦାସତ୍ଵପ୍ରଥା ହଟାଇବା ନିମିତ୍ତ ଦେଶରେ ବିରୋଧ ସୃଶ୍ଟିକରି ହଜାର ହଜାର ଦେଶଭାଇଙ୍କ ପ୍ରାଣନାଶ କଲେ, ସେତେବେଳେ କ'ଣ ସେମାନେ କୁକର୍ମ କରିଥିଲେ ? ଏପରି ହୋଇପାରେ ଯେ ଦେଶଭାଇଙ୍କ ସଙ୍ଗେ ବିରୋଧ , ଦେଶଭାଇଙ୍କୁ ଯୁଦ୍ଧରେ ବଧକରିବା, ଏହାହିଁ ଜାତିର ହିତ ଓ ଜଗତର ହିତ ସାଧନର ଏକମାତ୍ର ଉପାଯ । ଏଥିରେ କୁଳନାଶର ଆଶଙ୍କା ଯଦିଓ ଥାଏ, ତଥାପି ଜାତିର ହିତ ଓ ଜଗତ ହିତ ସାଧନରୁ ଆମ୍ଭେମାନେ ବିରତ ହେବା ଉଚିତ ନୁହେଁ । ଅବଶ୍ୟ ଯଦି ସେହି କୁଳରକ୍ଷା ଜାତିର ହିତ ସକାଶେ ଆବଶ୍ୟକ ହୁଏ, ତେବେ ସମସ୍ୟାଟି ଆହୁରି ଜଟିଳ ହୋଇପଡେ । ମହାଭାରତଯୁଗରେ ଭାରତରେ ଜାତି ପ୍ରତିଷ୍ଠିତ ହୋଇ ନ ଥିଲା, ସମସ୍ତେ କୁଳକୁହିଁ ମନୁଷ୍ୟ-ଜାତିର କେନ୍ଦ୍ର ବୋଲି ଜାଣିଥିଲେ । ସେହି ସକାଶେ, ଭୀଷ୍ମ, ଦ୍ରୋଣ ପ୍ରଭୃତି ଯେଉଁମାନେ ପୁରାତନ ବିଦ୍ୟାର ଆକର ଥିଲେ, ସେମାନେ ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ଧର୍ମ ଯେ ପାଣ୍ଡବମାନଙ୍କ ପକ୍ଷରେ ଅଛି, ଅକଥା ସେମାନେ ଜାଣିଥିଲେ । କିନ୍ତୁ ସେମାନେ ଏହା ବି ବୁଝିଥିଲେ ଯେ କୁଳହିଁ ଧର୍ମର ପ୍ରତିଷ୍ଠା ଓ ଜାତିର କେନ୍ଦ୍ର, କୁଳ ନଷ୍ଟ ହେଲେ ଧର୍ମରକ୍ଷା ତଥା ଜାତି ସ୍ଥାପନ ଅସମ୍ଭବ । ଏହି ଭ୍ରମରେ ଅର୍ଜୁନ ବି ପତିତ ହେଲେ । ଏହି ଯୁଗରେ ଜାତିହିଁ ହେଲା ଧର୍ମର ପ୍ରତିଷ୍ଠା, ମାନବସମାଜର କେନ୍ଦ୍ର । ଜାତିରକ୍ଷାହିଁ ଏହି ଯୁଗର ପ୍ରଧାନ ଧର୍ମ, ଜାତିନାଶହିଁ ଏହି ଯୁଗର ମାହାପାପ । କିନ୍ତୁ ଏପରି ଯୁଗ ବି ଆସିପାରେ, ଯେତେବେଳେ ଗୋଟିଏ ବୃହତ୍ ମାନବସମାଜ ପ୍ରତିଷ୍ଠିତ ହେବ, ତେତେବେଳେ ହୁଏତ ଜଗତର ଶ୍ରେଷ୍ଠ ଜ୍ଞାନୀ ଓ କର୍ମୀଗଣ ଜାତିରକ୍ଷା ନିମନ୍ତେ ଯୁଦ୍ଧ କରିବେ; ଅପର ପକ୍ଷରେ ଶ୍ରୀକୃଷ୍ଣ ବିପ୍ଳବକାରୀ ହୋଇ ନବ କୁରୁକ୍ଷେତ୍ର ଯୁଦ୍ଧ ଲଗାଇ ଜଗତର ହିତ ସାଧନ କରିବେ ।
ଶ୍ରୀକୃଷ୍ଣଙ୍କ ରାଜନୀତିର ଫଳ : - ପ୍ରଥମେ କୃପାବିଷ୍ଟ ହୋଇ ଅର୍ଜୁନ କୁଳନାଶ ଉପରେହିଁ ଅଧିକ ନିର୍ଭର କରିଥିଲେ, କାହିଁକି ନା ଏହି ବୃହତ୍ ସେନାସମାବେଶ ଦେଖି କୁଳର ଭାବନା, ଜାତିର ଭାବନା ଆପେ ଆପେ ମନକୁ ଉଠିଆସିଲା । କୁହାଯାଇଛି ଯେ କୁଳର ହିତଚିନ୍ତା ତତ୍କାଳୀନ ଭାରତବାସୀଙ୍କ ପକ୍ଷେ ସ୍ଵାଭାବିକ ଥିଲା, ଯେପରି ଜାତିର ହିତଚିନ୍ତା ଆଧୁନିକ ମନୁଷ୍ୟଙ୍କ ପକ୍ଷେ ସ୍ଵାଭାବିକ । କିନ୍ତୁ କୁଳନାଶରେ ଜାତିର ପ୍ରତିଷ୍ଠା ନାଶ ହେବ, ଏହି ଆଶଙ୍କା କ'ଣ ଅମୂଳକ ଥିଲା ? ବହୁତ ଲୋକ କହନ୍ତି ଯେ ଅର୍ଜୁନ ଯେଉଁ ଭୟ କରିଥିଲେ, ବାସ୍ତବିକ ତାହାହିଁ ଘଟିଲା । କୁରୁକ୍ଷେତ୍ର ଯୁଦ୍ଧ ଭାରତର ଅବନତି ଓସୁଦୀର୍ଘ ପରାଧୀନତାର ମୂଳ କାରଣ ହେଲା । ତେଜସ୍ଵୀ କ୍ଷାତ୍ରବଂଶର ଲୋପରେ, କ୍ଷାତ୍ର ତେଜର ହ୍ରାସରେ ଭାରତର ବିଷମ ଅମଙ୍ଗଳ ହୋଇଛି । ଜଣେ ବିଖ୍ୟାତ ବିଦେଶୀ ମହିଳା ଯାହାଙ୍କ ଶ୍ରୀଚରଣରେ ବହୁତ ହିନ୍ଦୁ ଆଜି ବି ଶିଷ୍ୟଭାବରେ ନତଶିର, ସେ ଏହା କହିବାକୁ କୁଣ୍ଠିତ ବୋଧ କରୁ ନ ଥିଲେ ଯେ ସ୍ଵୟଂ ଭଗବାନ୍ ଅବତୀର୍ଣ୍ଣ ହେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ଷତ୍ରିୟ ନାଶ କରି ଇଂରେଜ ରାଜ୍ୟ ସ୍ଥାପନର ପଥ ସୁଗମ କରିବା । ଆମ୍ଭମାନଙ୍କର ଧାରଣା ଏହି ଯେ ଯେଉଁମାନେ ଏପରି ଅସଙ୍ଗତ କଥା କହନ୍ତି ସେମାନେ ବିଷୟଟିର ଗଭୀର ବିଚାର ନ କରି ଅତି ନଗଣ୍ୟ ରାଜନୈତିକ ପ୍ରେରଣାର ବଶବର୍ତ୍ତୀ ହୋଇ ଶ୍ରୀକୃଷ୍ଣଙ୍କ ଉପରେ ଦୋଷାରୋପ କରନ୍ତି । ରାଜନୀତିତତ୍ତ୍ଵ ମ୍ଳେଚ୍ଛବିଦ୍ୟା, ଅନାର୍ଯ୍ୟଚିନ୍ତା ପ୍ରାଣାଳୀରୁ ସମ୍ଭୁତ । ଅନାର୍ଯ୍ୟମାନେ ଆସୁରିକ ବଳରେ ବଳୀୟାନ, ସେହି ବଳକୁ ସ୍ଵାଧୀନତା ଓ ଜାତୀୟ ମହତ୍ତ୍ଵର ଏକମାତ୍ର ଭିତ୍ତି ବୋଲି ସେମାନେ ଭାବନ୍ତି । କେବଳ କ୍ଷାତ ତେଜ ଉପରେ ଜାତୀୟ ମହତ୍ତ୍ଵ ପ୍ରତିଷ୍ଠିତ ହୋଇପାରେ ନାହିଁ, ଚାରିବର୍ଣ୍ଣଙ୍କର ଚାରିପ୍ରକାର ତେଜ ଉପରେହିଁ ସେହି ମହତ୍ତ୍ଵର ପ୍ରତିଷ୍ଠା । ସାତତ୍ତ୍ଵିକ ବ୍ରହ୍ମ ତେଜ, ରାଜସିକ କ୍ଷାତ୍ରତେଜକୁ ଜ୍ଞାନ, ବିନୟ ଓ ପରହିତ ଚିନ୍ତାର ମଧୁର ସଞ୍ଜୀବନସୁଧାରେ ଜୀବିତ କରି ରଖେ, କ୍ଷାତତେଜ ଶାନ୍ତ ବ୍ରହ୍ମତେଜକୁ ରକ୍ଷା କରେ । କ୍ଷାତତେଜ ଶୂନ୍ୟ ହେଲେ ବ୍ରହ୍ମତେଜ ତମୋଭାବ ଦ୍ଵାରା ଆକ୍ରାନ୍ତ ହୋଇ ଶୂଦ୍ରତ୍ଵର ନିକୃଷ୍ଟ ଗୁଣସମୂହକୁ ଆଶ୍ରୟ ଦିଏ, ଏହି ସକାଶେ ଯେଉଁ ଦେଶରେ କ୍ଷତ୍ରିୟ ନାହାନ୍ତି ସେ ଦେଶରେ ବ୍ରାହ୍ମଣଙ୍କ ବାସ ନିଷିଦ୍ଧ । ଯଦି କ୍ଷାତ୍ର ବଂଶ ଲୋପ ପାଇଯାଏ , ତେବେ ନୂତନ କ୍ଷତ୍ରିୟ ସୃଷ୍ଟି କରିବା ବ୍ରାହ୍ମଣଙ୍କର ପ୍ରଥମ କର୍ତ୍ତବ୍ୟ । ବ୍ରହ୍ମତେଜ ବର୍ଜିତ କ୍ଷାତ୍ରତେଜ ଦୁର୍ଦାନ୍ତ, ଉଦ୍ଦାମ, ଆସୁରିକ ବଳରେ ପରିଣତ ହୋଇ ପ୍ରଥମେ ପରହିତକୁ ବିନାଶ କରିବାକୁ ଚେଷ୍ଟାକରେ, ପରିଶେଷରେ ସ୍ଵୟଂ ବିନଷ୍ଟ ହୁଏ । ରୋମ୍ ଦେଶର କବି ଯଥାର୍ଥରେ କହିଛନ୍ତି ଯେ ଅସୁରଗଣ ନିଜ ବଳରେ ଅଭିଭୂତ ହୋଇ ନିଜେହିଁ ସମୂଳେ ବିନଷ୍ଟ ହୁଅନ୍ତି । ସତ୍ତ୍ଵ ରଜକୁ ସୃଷ୍ଟି କରିବ, ରଜ ସତ୍ତ୍ଵକୁ ରକ୍ଷା କରିବ, ସାତ୍ତ୍ଵିକ କର୍ମରେ ନିଯୁକ୍ତ ହେବ, ଏପରି ହେଲେ ବ୍ୟକ୍ତିର ଓ ଜାତିର ମଙ୍ଗଳ ସମ୍ଭବ ହୁଏ । ସତ୍ତ୍ଵ ଯଦି ରଜକୁ ଗ୍ରାସ କରେ ଏବଂ ରଜଃ ଯଦି ସତ୍ତ୍ଵକୁ ଗ୍ରାସ କରେ ତେବେ ତମୋଗୁଣର ପ୍ରାଦୁର୍ଭାବରେ ବିଜୟୀଗୁଣ ସ୍ଵୟଂ ପରାଜିତ ହୁଏ, ତମସର୍ ରାଜ୍ୟ ପ୍ରତିଷ୍ଠିତ ହୁଏ । ବ୍ରାହ୍ମଣ କେବେ ବି ରାଜା ହୋଇପାରେ ନାହିଁ, କ୍ଷତ୍ରିୟ ବିନଷ୍ଟ ହେଲେ ଶୂଦ୍ର ରାଜା ହେବ, ବ୍ରାହ୍ମଣ ତମୋଗ୍ରସ୍ତ ହୋଇ ଅର୍ଥଲୋଭରେ ଜ୍ଞାନକୁ ବିକୃତ କରି ଶୂଦ୍ରର ଦାସ ହେବ, ଆଧ୍ୟାତ୍ମିକଭାବ ତାମସିକ ଜଡତାକୁ ପୋଷଣ କରିବ, ସ୍ଵୟଂ ମ୍ଳାନ ହୋଇ ଧର୍ମ ଅବନତିର କାରଣ ହେବ । ନିକ୍ଷତ୍ରିୟ ଶୂଦ୍ରଚାଳିତ ଜାତିର ଦାସତ୍ଵ ଅବଶ୍ୟମ୍ଭାବୀ । ଭାରତର ଏହି ଅବସ୍ଥା ଘଟିଛି । ଅନ୍ୟ ପକ୍ଷରେ ଆସୁରିକ ବଳର ପ୍ରଭାବରେ, କ୍ଷଣିକ ଉତ୍ତେଜନାରେ ଶକ୍ତିସଂଚାର ହୋଇ ପାରେ, ମହତ୍ତ୍ଵ ଆସିପାରେ ସତ୍ୟ, କିନ୍ତୁ ଶୀଘ୍ର ହୁଏତ ଦୁର୍ବଳତା , ଗ୍ଳାନି ଓ ଶକ୍ତିକ୍ଷୟ ହୋଇ ଦେଶ ଅବସନ୍ନ ହୋଇପଡେ ନଚେତ୍ ରାଜସିକ ବିଳାସ, ଦମ୍ଭ ଓ ସ୍ଵାର୍ଥର ବୃଦ୍ଧିରେ ଜାତି ଅନୁପଯୁକ୍ତ ହୋଇ ମହତ୍ତ୍ଵରକ୍ଷାରେ ଅସମର୍ଥ ହୁଏ ଅଥବା ଅନ୍ତର୍ବିରୋଧରେ , ଦୁର୍ନୀତିର ଅତ୍ୟାଚାରରେ ଦେଶ ଛାରଖାର ହୋଇ ସହଜରେ ଶତ୍ରୁର କବଳରେ ପଡେ । ଭାରତ ଓ ଇଉରୋପରେ ଇତିହାସରେ ଏହି ସକଳ ପରିଣାମର ଭୂରି ଭୂରି ଦୃଷ୍ଟାନ୍ତ ଦେଖିବାକୁ ମିଳେ । ମହାଭାରତ ସମୟରେ ଆସୁରିକ ବଳର ଭାରରେ ପୃଥିବୀ ଅସ୍ଥିର ହୋଇଥିଲା । ଭାରତରେ ସେହିପରି ତେଜସ୍ଵୀ କ୍ଷତ୍ରିୟ ତେଜର ବିସ୍ତାର ପୂର୍ବେ କେବେ ହୋଇ ନ ଥିଲା, ପରେ ବି ହୋଇ ନାହିଁ । କିନ୍ତୁ ସେହି ଭୀଷଣ ବଳର ସଦୁପଯୋଗ ହେବାର ସମ୍ଭାବନା ଅତ୍ୟନ୍ତ କମ୍ ଥିଲା । କାରଣ ଯେଉଁମାନେ ଏହି ବଳର ଆଧାର ଥିଲେ, ସେମାନେ ସକଳେହିଁ ଅସୁରପ୍ରକୃତିର ଥିଲେ; ଅହଂକାର, ଦର୍ପ, ସ୍ଵାର୍ଥ, ସ୍ଵେଚ୍ଛାଚାର ସେମାନଙ୍କ ମଜ୍ଜାଗତ ଥିଲା । ଏହି ଆସୁରିକ ବଳକୁ ବିନାଶ କରି ଶ୍ରୀକୃଷ୍ଣ ଯଦି ଧର୍ମରାଜ୍ୟ ସ୍ଥାପନ କରି ନ ଥା'ନ୍ତେ ତେବେ ଉପରେ ଯେଉଁ ତିନୋଟି ପରିଣାମର ବର୍ଣ୍ଣନା ଅଛି, ତହିଁରୁ ଗୋଟିଏ ନ ଗୋଟିଏ ନିଶ୍ଚୟ ଘଟିଥା'ନ୍ତା । ଭାରତ ଅସମୟରେ ମ୍ଳେଚ୍ଛର ହାତରେ ପଡିଥା'ନ୍ତା । ମନେ ରଖିବା ଉଚିତ ଯେ ପାଞ୍ଚହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ର ଯୁଦ୍ଧ ଘଟିଥିଲା ଏବଂ ଅଢେଇ ହଜାର ବର୍ଷ କଟିଯିବା ପରେ ମ୍ଳେଚ୍ଛମାନଙ୍କର ପ୍ରଥମ ସଫଳ ଆକ୍ରମଣ ସିନ୍ଧୁ ନଦୀର ଅପର ପାରି ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।ଅତଏବ ଅର୍ଜୁନଙ୍କ ଦ୍ଵାରା ପ୍ରତିଷ୍ଠିତ ଧର୍ମରାଜ୍ୟ ଏତେକାଳ ପର୍ଯ୍ୟନ୍ତ ବ୍ରହ୍ମତେଜ ଅନୁପ୍ରାଣିତ କ୍ଷାତ୍ରତେଜର ବଳରେ ଦେଶକୁ ରକ୍ଷା କରିଥିଲା । ସେତେବେଳ ପର୍ଯ୍ୟନ୍ତ ଭାରତରେ ସଞ୍ଚିତ କ୍ଷାତ୍ରତେଜ ଏତେ ଥିଲା ଯେ ତାହାର ଭଗ୍ନାଂଶହିଁ ଦେଶକୁ ଦୁଇ ସହସ୍ର ବର୍ଷ ବଞ୍ଚାଇ ରଖିଲା । ଚନ୍ଦ୍ର ଗୁପ୍ତ, ପୁଷ୍ୟମିତ୍ର, ସମୁଦ୍ର ଗୁପ୍ତ, ସଂଗ୍ରାମ ସିଂହ, ପ୍ରତାପ, ରାଜସିଂହ, ପ୍ରତାପାଦିତ୍ୟ, ଶିବାଜି ପ୍ରଭୃତି ମହାପୁରୁଷ ସେହି କ୍ଷାତ୍ରତେଜର ପ୍ରଭାବରେ ଦେଶର ଦୁର୍ଭାଗ୍ୟ ସଙ୍ଗେ ସଂଗ୍ରାମ କରି ଆସିଛନ୍ତି । ସେଦିନ ଗୁଜରାଟ ଯୁଦ୍ଧରେ ଓ ଲକ୍ଷ୍ମୀବାଇଙ୍କ ଚିତାରେ, ପଞ୍ଜାବର ପତନରେ ତାହାର ଶେଷ ସ୍ଫୁଲିଙ୍ଗ ଲିଭିଗଲା । ସେଦିନ ଶ୍ରୀକୃଷ୍ଣଙ୍କ ରାଜନୀତିକ କାର୍ଯ୍ୟର ସୁଫଳ ଓ ପୁଣ୍ୟ କ୍ଷୟ ହୋଇଗଲା, ଭାରତ ତଥା ଜଗତକୁ ରକ୍ଷା କରିବା ନିମିତ୍ତ ପୁଣି ପୂର୍ଣ୍ଣ ଅବତାରଙ୍କର ପ୍ରୟୋଜନ ହେଲା । ସେହି ଅବତାର ଆସି ପୁଣି ଲୁପ୍ତ ବ୍ରହ୍ମତେଜକୁ ଜଗାଇ ଦେଇଗଲେ, ସେହି ବ୍ରହ୍ମତେଜହିଁ କ୍ଷାତ୍ରତେଜ ସୃଷ୍ତି କରିବ । ଶ୍ରୀକୃଷ୍ଣ ଭାରତର କ୍ଷାତ୍ରତେଜକୁ କୁରୁକ୍ଷେତ୍ରର ରକ୍ତ ସମୁଦ୍ରରେ ଏକେବାରେ ନିର୍ବାପିତ କରି ନ ଥିଲେ, ବରଂ ଆସୁରିକ ବଳକୁ ବିନାଶ କରି ବ୍ରହ୍ମତେଜ ଓ କ୍ଷାତ୍ରତେଜ ଉଭୟକୁହିଁ ରକ୍ଷାକରିଥିଲେ । ଆସୁରିକ ବଳଦୃପ୍ତ କ୍ଷତ୍ରିୟ ବଂଶର ବିନାଶ ଦ୍ଵାରା ଉଦ୍ଦାମ ରଜଃ ଶକ୍ତିକୁ ଛିନ୍ନଭିନ୍ନ କରି ଦେଇଥିଲେ ଏହା ସତ୍ୟ । ଏହିପରି ମହାବିପ୍ଳବ, ଅନ୍ତର୍ବିରୋଧକୁ ଉତ୍କଟ ଭୋଗ ଦ୍ଵାରା କ୍ଷୟ କରି ନିଗୃହୀତ କରିବା, ଉଦ୍ଦାମ କ୍ଷତ୍ରିୟ କୁଳର ସଂହାରକରିବା ସର୍ବଦା ଅନିଷ୍ଟକର ନୁହେଁ । ଅନ୍ତର୍ବିରୋଧରେ ରୋମାନ୍ କ୍ଷତ୍ରିୟ ଉଦ୍ଦାମକୁଳନାଶରେ ଓ ରାଜତନ୍ତ୍ର ସ୍ଥାପନାରେ ରୋମ୍ ର ବିରାଟ ସାମ୍ରାଜ୍ୟ ଅକାଳ ବିନାଶରୁ ରକ୍ଷା ପାଇଥିଲା । ଇଂଲଣ୍ଡରେ ଶ୍ଵେତ ଓ ରକ୍ତ ଗୋଲାପର ଅନ୍ତର୍ବିରୋଧରେ କ୍ଷତ୍ରିୟ କୁଳନାଶରେ ଚତୁର୍ଥ ଏଡୁଆର୍ଡ୍ , ଅଷ୍ଟମ ହେନେରୀ, ଓ ରାଣୀ ଏଲିଜାବେଥ୍ ସୁରକ୍ଷିତ ପରାକ୍ରମଶାଳୀ ବିସ୍ଵବିଜୟୀ ଆଧୁନିକ ଇଂଲଣ୍ଡର ଭିତ୍ତି ସ୍ଥାପନ କରିପାରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ଭାରତର ବି ସେହିପରି ରକ୍ଷା ପାଇଥିଲା । କଳିଯୁଗରେ ଭାରତରେ ଅବନତି ହୋଇଛି , ଏକଥା କେହି ଅସ୍ଵୀକାର କରି ପାରିବେ ନାହିଁ, କିନ୍ତୁ ଅବନତିକୁ ଆଣିବା ନିମନ୍ତେ ଭଗବାନ୍ କେବେ ଅବତୀର୍ଣ୍ଣ ହୁଅନ୍ତି ନାହିଁ । ଧର୍ମରକ୍ଷା, ବିଶ୍ଵରକ୍ଷା, ଲୋକରକ୍ଷା ନିମିତ୍ତ ଅବତାର । ବିଶେଷତଃ କଳିଯୁଗରେ ଭଗବାନ ପୂର୍ଣ୍ଣରୂପେ ଅବତୀର୍ଣ୍ଣ ହୁଅନ୍ତି କାରଣ କଳିରେ ମନୁଷ୍ୟର ଅବନତିର ଅଧିକ ଭୟ ଥାଏ ଏବଂ ସ୍ଵଭାବତଃ ଅଧର୍ମ ବୃଦ୍ଧିପାଏ । ଅତଏବ ମାନବଜାତିର ରକ୍ଷା ନିମିତ୍ତ, ଏହି ଯୁଗରେ ଭଗବାନ୍ ପୁନଃ ପୁନଃ ଅବତୀର୍ଣ୍ଣ ହୁଅନ୍ତି । ଶ୍ରୀକୃଷ୍ଣ ଯେତେବେଳେ ଅବତୀର୍ଣ୍ଣ ହୋଇଥିଲେ ସେତେବେଳେ କଳିରାଜ୍ୟ ଆରମ୍ଭ ହେବାର ସମୟ ଆସିଥିଲା, କେବଳ ତାଙ୍କରି ଆବିର୍ଭାବରେ ଭୀତ ହୋଇ କଳି ନିଜ ରାଜ୍ୟରେ ପଦସ୍ଥାପନା କରିପାରି ନ ଥିଲା , ଏକମାତ୍ର ତାଙ୍କ ପ୍ରସାଦରେ ପରୀକ୍ଷିତ କଳିକୁ ପାଞ୍ଚଗ୍ରାମ ଦାନ କରି କଳିଯୁଗରେ କଳିର ଏକାଧିପତ୍ୟ ସ୍ଥଗିତ ରଖିଥିଲେ । କଳିଯୁଗ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ ସହିତ କଳିର ଯେଉଁ ଘୋର ସଂଗ୍ରାମ ଚାଲିଛି ଓ ଚାଲିବ, ସେହି ସଂଗ୍ରାମର ସହାୟ ଓ ନାୟକରୂପେ ଭଗବାନଙ୍କ ଅବତାର ଓ ବିଭୁତି କଳିଯୁଗରେ ବାରଂବାର ଆସନ୍ତି । ସେହି ସଂଗ୍ରାମର ଉପଯୋଗୀ ବ୍ରହ୍ମତେଜ, ଜ୍ଞାନ, ଭକ୍ତି, ନ୍ନିଷ୍କାମ କର୍ମର ଶିକ୍ଷା ଦେବାକୁ ଏବଂ ସେହି କର୍ମକୁ ରକ୍ଷା କରିବାକୁ ଭଗବାନ କଳିର ଆରମ୍ଭରେ ମାନବଶରୀର ଧାରଣ କରିଥିଲେ । ଭାରତର ରକ୍ଷା ମାନବକଲ୍ୟାଣର ଭିତ୍ତି ଓ ଆଶାସ୍ଥଳ । ଭଗବାନ୍ କୁରୁକ୍ଷେତ୍ରରେ ଭାରତକୁ ରକ୍ଷା କରିଥିଲେ । ସେହି ରକ୍ତସମୁଦ୍ରରେ ନୂତନ ଜଗତର ଲୀଳାକମଳରେ କାଲରୂପୀ ବିରାଟ ପୁରୁଷ ବିହାର କରିବାକୁ ଆରମ୍ଭ କଲେ ।

No comments: